କେନ୍ଦ୍ରାପଡ଼ା ,୧୫/୫ : କଟକ କାଠଯୋଡ଼ି ନଦୀ ଉପରେ ଆମ୍ବୁଲାନ୍ସରେ ଚାଲିଗଲା ଯୁବକଙ୍କ ଜୀବନ । ଆମ୍ବୁଲାନ୍ସରୁ ଅଧା ବାଟରେ ପେଟ୍ରୋଲ ସରିଯିବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତକ ହେଲେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଗୋବିନ୍ଦପୁର ଗାଁର ପ୍ରକାଶ କାଣ୍ଡି। ଆମ୍ବୁଲାନ୍ସରେ ଥିବା ପ୍ରକାଶଙ୍କ ଭାଉଜ ଝରଣା ଦାସଙ୍କ କହିବାନୁଯାଇ ଆମ୍ବୁଲାନ୍ସରେ ଯାନ୍ତ୍ରିକ ତୃଟି ନ ଥିଲା ବରଂ ତେଲ ସରିଯାଇଥିଲା l ତେବେ ତେଲ ସରିଯାଇଥିବା କଥା ତାଙ୍କୁ ଡ୍ରାଇଭର ହିଁ କହିଥିଲେ।
ଅନ୍ୟ ଏକ ଆମ୍ବୁଲାନ୍ସ କରି ପ୍ରକାଶଙ୍କୁ ଭୁବନେଶ୍ୱର ପଠାଇବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର କହିବାରୁ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ କାଠଯୋଡ଼ି ପୋଲ ଉପରେ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଲା । କିନ୍ତୁ ଶେଷରେ ଆମ୍ବୁଲାନ୍ସ ଆସିଲା ସତ, ସେତେବେଳକୁ ପ୍ରକାଶଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ପ୍ରକାଶଙ୍କ ମୃତଦେହ ଧରି ପରିବାର ଲୋକେ ଗାଁକୁ ଫେରିଥିଲେ। ଏହି ଘଟଣାରେ ଉପଯୁକ୍ତ ତଦନ୍ତ କରି ଦୋଷୀ ଆମ୍ବୁଲାନ୍ସ ସଂସ୍ଥା ବିରୋଧରେ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପ୍ରକାଶଙ୍କ ପରିବାର ଲୋକେ l
ସୂଚନା ଅନୁସାରେ, ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ଗତ ୧୪ତାରିଖ ଦିନ ପ୍ରଥମେ ଡେରାବିଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏବଂ ଶେଷରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁରେ ବେଡ଼ ନ ଥିବା ଦର୍ଶାଇ ଆଜି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେଇଯିବାକୁ ମେଡ଼ିକାଲ କର୍ମଚାରୀ କହିଥିବା ପ୍ରକାଶଙ୍କ ଭାଉଜ ଝରଣା ଅଭିଯୋଗ କରିଛନ୍ତି।