ଠାକୁରମୁଣ୍ଡା ୨୭/୮( ଆପ୍ର) : ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ଗ୍ରାମ ପଞ୍ଚାୟତ ପଥିରିଆ ସାହିରେ ଭାଲୁ କାମୁଡାରେ ଜଣେ  ଯୁବକ ଗୁରୁତର ହୋଇଛି। ଯୁବକଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଛି।  ଗୁରୁତର ଯୁବକ ଜଣକ ହେଲେ ପଥିରିଆ ସାହିର କିଶୋର ଲିଆଙ୍ଗି( ୨୪) ।

ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅର୍ନ୍ତଗତ ପଥିରିଆ ସାହିର କିଶୋର ଲିଆଙ୍ଗି( ୨୪) ଏଵଂ ସମ୍ପର୍କୀୟ ଭାଇ ରମେଶ ଲିଆଙ୍ଗି ସାଙ୍ଗହୋଇ ସାତକୋଶିଆ ଜଙ୍ଗଲକୁ ବଳଦ ଚରେଇବାକୁ  ଯାଇଥିଲେ ।ଵଳଦ ଚରାଇ ଘରକୁ ଫେରିବା ବେଳେ   ଏକ ଭାଲୁ ହଠାତ୍ ଜଙ୍ଗଲରୁ ବାହାରି କିଶୋର ଲିଆଙ୍ଗିଙ୍କୁ ଆକ୍ରମଣ କରିଥିଲା। କିଶୋର ଭାଲୁ ମୁହଁରୁ ନିଜକୁ ବଞ୍ଚାଇବା କୁ ଯାଇ ଭାଲୁକୁ ଏକ ସାନ କୁରାଢ଼ିରେ ପ୍ରତି ଆକ୍ରମଣ କରିବାରୁ ଭାଲୁ ଗୋଡ଼ ଏବଂ ଜଙ୍ଘରେ କାମୁଡ଼ି ଜଙ୍ଗଲକୁ ପଳାଇଥିଲା। ସାଙ୍ଗରେ ଥିବା ରମେଶ ଲିଆଙ୍ଗି ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ଜଙ୍ଗଲକୁ ଯାଇ କିଶୋରକୁ କାନ୍ଧରେ ବୋହି  ୫୩ ନମ୍ବର ରାଜ୍ୟ ରାଜପଥ କଡ଼କୁ ଆଣିଥିଲେ।ଏକ ଅଟୋ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିଶୋର ଲିଆଙ୍ଗି ଙ୍କର ଵାମଗୋଡ ଭାଙ୍ଗିବା ସହିତ ଜଙ୍ଘରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଅବସ୍ଥା ଗୁରୁତର ଥିବାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ପଠାଯାଇଛି।