ମାଲକାନଗିରି, ୧/୯(ଆପ୍ର.). ସାବେରୀ ନଦୀ ଡ଼ଙ୍ଗାରେ ପାର ହେଉଥିବା ବେଳେ ମଝି ନଈରେ ବୁଡିଗଲା ଡ଼ଙ୍ଗା। ଡଙ୍ଗାରେ ଥିବା ଯୁବକ ଜଣକ ନଦୀ ମଝିରେ ଫସି ଯାଇଥିଲେ। ଗଛ ଡାଳ ଧରି ମଝି ନଈରେ ଜଳବନ୍ଦୀ ହୋଇ ଅଟକି ରହିଥିଲେ। ଦୀର୍ଘ ୨୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ମଝି ନଈରେ ଅଟକି ରହିଥିବା ଯୁବକକୁ ସୋମବାର ସ୍ୱତନ୍ତ୍ର ହେଲିକେପ୍ଟର ଦ୍ୱାରା ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବକ ଜଣକ ହେଲେ ମାଲକାନଗିରି ଜିଲ୍ଲା ମାଟାପେକା ପଞ୍ଚାୟତ କତାମାଟେରୁ ଗ୍ରାମ ର ଇର୍ମା ସୋଡି (୪୫)।
କତାମାଟେରୁ ଗ୍ରାମର ଇର୍ମା ସୋଡି (୪୫) ରବିବାର ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାକୁ କାମ କରିବା ପାଇଁ ଯାଇଥିଲେ। ସେ କାମ ସାରି ସନ୍ଧ୍ୟାରେ ଏକ ହୁଲି ଡ଼ଙ୍ଗାରେ ସାବେରୀ ନଦୀ ପାର ହୋଇ ନିଜ ଗ୍ରାମକୁ ଫେରୁଥିଲେ। ନଦୀରେ ପ୍ରବଳ ଜଳ ସ୍ରୋତ ଥିବାରୁ ଡ଼ଙ୍ଗାଟି ବୁଡି ଯାଇଥିଲା। ଜୀବନ ବଞ୍ଚାଇବା ପାଇଁ ଇର୍ମା ପହଁରି ପହଁରି ନଦୀ ମଝିରେ ଏକ ଟାପୁରେ ଥିବା ଗଛ ଡାଳକୁ ଧରି ଅଟକି ରହି ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରିଥିଲେ। ସନ୍ଧ୍ୟା ହୋଇଥିବାରୁ ତାଙ୍କ କଥା କେହି ଶୁଣି ପାରିନଥିଲେ।

ସୋମବାର ସକାଳୁ ସୁକୁମା ତେଲ୍ୱାର ଗ୍ରାମର କିଛି ଲୋକ ନଦୀକୂଳକୁ ମାଛ ଧରିବା ପାଇଁ ଯାଇଥିଲେ। ଜଣେ ଲୋକ ନଦୀ ମଝି ରେ ଫସି ରହିଛି ଦେଖିଥିଲେ। ସେମାନେ କତାମେଟରୁ ଗ୍ରାମକୁ ଫୋନ ଯୋଗେ ଜଣାଇ ଥିଲେ। ଗ୍ରାମର ଲୋକେ ମାଟା ପେକା ସରପଞ୍ଚ ବିନାୟକ ମାଡ଼କାମିଙ୍କୁ ଜଣାଇଥିଲେ। ସେ ମାଲକାନଗିରି ବିଧାୟକ ନରସିଂହ ମାଡକାମିଙ୍କୁ ଜଣାଇଥିଲେ। ବିଧାୟକ ଶ୍ରୀ ମାଡକାମୀ ମାଲକାନଗିରି ଓ ସୁକୁମା ଅଗ୍ନିଶମ ବିଭାଗକୁ ଫୋନ ଯୋଗେ ଘଟଣା ସମ୍ପର୍କରେ କହିଥିଲେ। କଟମେଟାରୁ ଗାଁ ରୁ ନଦୀ ଘାଟକୁ ଭଲ ରାସ୍ତା ନଥିବାରୁ ଦୀର୍ଘ ୪ କିଲୋମିଟର ଜଙ୍ଗଲ କାଦୁଅ ରାସ୍ତାରେ ଏକ ଟ୍ରାକ୍ଟର ଯୋଗେ ଯାଇ ବିଧାୟକ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ମାଲକାନଗିରି ଓ ସୁକୁମା ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଉଦ୍ଧାର କାର୍ଯ୍ୟ ରେ ଲାଗିପଡ଼ିଥିଲେ। ନଦୀ ରେ ବନ୍ୟାଜଳ ଅଧିକ ପ୍ରଭାବିତ ହୋଇ ପ୍ରବଳ ବେଗରେ ସ୍ରୋତ ଥିବାରୁ ବୋଟ କିମ୍ବା ଡ଼ଙ୍ଗା ନଦୀ ମଝିରେ ଫସି ରହିଥିଵା ଯୁବକ ନିକଟ କୁ ଯାଇ ପାରି ନଥିଲା। ବୋଟ କିମ୍ବା ଡ଼ଙ୍ଗା ଦ୍ୱାରା ଉଦ୍ଧାର ସମ୍ଭବ ହେଉ ନଥିବାରୁ ବିଧାୟକ ଶ୍ରୀ ମାଡକାମୀ ସୁକୁମା ଏସପି କିରନ ଚୌହାନଙ୍କୁ ଫୋନ ଯୋଗେ ତାଙ୍କ ବିଏଏସଫ କ୍ୟାମ୍ପର ହେଲିକେପ୍ଟର ପଠାଇବା ପାଇଁ କହିଥିଲେ। ଏହା ବ୍ୟତିତ ସୁକୁମା ଜିଲ୍ଲା ବିଜେପି ସଭାପତି ଦନିରାମ ବାର୍ଷେ ଙ୍କୁ ମଧ୍ୟ ଫୋନ କରିଥିଲେ ।
ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ବିଏସଏଫ କ୍ୟାମ୍ପରୁ ସ୍ୱତନ୍ତ୍ର ଏକ ହେଲିକେପ୍ଟର ଘଟଣା ସ୍ଥଳ ରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅନେକ ସମୟ ଆକାଶ ମାର୍ଗରେ ଉଡି ପ୍ରଚେଷ୍ଟା କରି ଅପରାହ୍ନ ରେ ସାବେରୀ ନଦୀ ମଝି ରେ ଫସି ରହିଥିବା ଯୁବକ ଇର୍ମା ସୋଡିଙ୍କୁ ଉଦ୍ଧାର କରିଥିଲା। ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଖରାପ ହୋଇଥିବାରୁ ତାଙ୍କୁ ହେଲିକେପ୍ଟର ଯୋଗେ ସୁକୁମା ହସ୍ପିଟାଲକୁ ନିଆ ଯାଇଛି। ସେଠାରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଗାଡି ଯୋଗେ ମାଲକାନଗିରି କତା ମାଟେରୁ ଗ୍ରାମ କୁ ଅଣାଯିବ ବୋଲି ଜଣା ପଡିଛି।