ନୂଆଦିଲ୍ଲୀ,୧୦/୦୧: ବଞ୍ଚିବାକୁ ମାତ୍ର ୩ରୁ ୬ ମାସ ଅଛି । ହାତରେ ୨,୧୯୦ ଦିନ । ଗୋଟିଏ ଗୋଟିଏ ଦିନ ମୂଲ୍ୟବାନ । ଏବେ ଭାବ କ’ଣ କରିବ ? ଚିକିତ୍ସା କରାଇବ ନା କ୍ରିକେଟ୍ ଖେଳିବ । କ୍ୟାନ୍ସର ଟ୍ରିଟମେଣ୍ଟ୍ ସମୟରେ ଯେବେ ଭାରତୀୟ କ୍ରିକେଟର ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ କିଛି ଏମିତି କହିଥିଲେ ଡାକ୍ତର । ଏ କଥାକୁ ମନେ ପକାଇ ଭାବୁକ ହୋଇଛନ୍ତି ଯୁବରାଜ ସିଂହ । 

କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହ ପଡ଼ିଆରେ ବ୍ୟାଟ୍, ବଲରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି । ୨୦୦୭ ଟି-ଟ୍ୱେଣ୍ଟି ଓ ୨୦୧୧ ଦିନିକିଆ ବିଶ୍ୱକପରେ ତାଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୨୦୧୧ ୱାର୍ଲ଼୍ଡ କପରେ ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ ଯୁବରାଜ ।  ୨୦୧୧ ବିଶ୍ୱକପ୍ ତାଙ୍କ କ୍ୟାରିୟରର ସୁବର୍ଣ୍ଣ ସମୟ ଥିଲା । ହେଲେ ଭାଗ୍ୟର ଯୋଜନା କିଛି ଅଲଗା ଥିଲା । ବିଶ୍ୱକପ୍ ଜିତିବାର କିଛି ଦିନ ପରେ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ ୟୁବି । ଶରୀରରେ ଏକ ଟ୍ୟୁମର ଚିହ୍ନଟ ହୋଇଥିଲା । ମ୍ୟାଚରେ ଲଢି ବିପକ୍ଷଠୁ ବିଜୟ ଛଡାଇ ଆଣୁଥିବା ଖେଳାଳି ଜୀବନ-ମୃତ୍ୟୁ ସହ ଲଢେଇ କରିଥିଲେ । ଧୀରେ ଧୀରେ ଯୁବରାଜଙ୍କ ଦେହ ଖରାପ ହେଲା । ଡାକ୍ତର ତାଙ୍କୁ କହିଥିଲେ ପାଖରେ ଆଉ ମାତ୍ର ୩ରୁ ୬ମାସ ସମୟ ଅଛି । ଜୀବନର ସବୁଠାରୁ ଅନ୍ଧକାର ସମୟକୁ ମନେ ପକାଇ ସେହି ଭୟଙ୍କର କାହାଣୀ ବଖାଣିଛନ୍ତି ଯୁବରାଜ । ଦି ସ୍ୱିଚରେ ଇଂଲଣ୍ଡର ପୂର୍ବତନ ଅଧିନାୟନ କେଭିନ୍ ପିଟରସନଙ୍କ ସହ ଆଲୋଚନା କରି ଯୁବରାଜ କହିଛନ୍ତି, ଡାକ୍ତର ମୋତେ କହିଥିଲେ ମୋ ପାଖରେ ଆଉ ୩ ମାସ ସମୟ ଅଛି, ଖେଳିବ ନା ଚିକିତ୍ସା କରିବ ? ସେବେ ମୁଁ ଭାବିଥିଲି ମୃତ୍ୟୁ ଖୁବ୍ ନିକଟ । ଟ୍ୟୁମର ମୋ ଫୁସଫୁସ୍ ଓ ହାର୍ଟ ମଝିରେ ଥିଲା । ଡାକ୍ତର କରିଥିଲେ ଯଦି କେମୋଥେରାପି ନକର ତେବେ ହୃଦଘାତ୍ ହୋଇଯିବ । ଏହା ପରେ ମୋତେ ଚିକିତ୍ସା ପାଇଁ ପଠାଯାଇଥିଲା । ମୋର ସମସ୍ତ ପରୀକ୍ଷା କରାଯାଇଥିଲା । ଡାକ୍ତର କହିଥିଲେ ତୁମେ ଏମିତି ଜଣେ ବ୍ୟକ୍ତି ହୋଇ ଆସିବ ଯାହାଙ୍କୁ କେବେ କର୍କଟ ହୋଇନଥିଲା । ଟ୍ରିଟମେଣ୍ଟ ପାଇଁ ଯିବାବେଳେ ଡାକ୍ତରଙ୍କ ଏହି ପଦିଏ କଥା ମୋ ପାଇଁ ସଞ୍ଜୀବନି ହୋଇଥିଲା ।

ମୃତ୍ୟୁକୁ ମାତ୍ ଦେଇ ଯୁବରାଜ ସିଂହ ପ୍ରମାଣିତ କରିଥିଲେ ଚାମ୍ପିଅନ ସବୁବେଳେ ଚାମ୍ପିଅନ । କ୍ୟାନ୍ସରକୁ ମାତ୍ ଦେଇ ୨୦୧୨ରେ ଅନ୍ତର୍ଜାତୀୟ କ୍ରିକେଟରେ ଦମଦାର କମବ୍ୟାକ୍ କରିଥିଲେ । ବାମହାତୀ ଅଲରାଉଣ୍ଡ ଯୁବରାଜ କୁହନ୍ତି କି, ପ୍ରତିଯୋଗିତା ମୂଳକ ମାନସିକତା ହିଁ ତାଙ୍କର ସବୁଠୁ ବଡ଼଼ ଶକ୍ତି । ସମସ୍ତେ ଆଶା ଛାଡି ଦେଇଥିଲେ ମୁଁ କମବ୍ୟାକ କରିପାରିବି ନାହିଁ ବୋଲି ଭାବିଥିଲେ ମୁଁ ଏହାକୁ ସମ୍ଭବ କରି ଦେଖାଇବାକୁ ସଂକଳ୍ପ ନେଇଥିଲି । ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟିରେ ଅପରାଜିତ ୭୭ରନର ପାଳି ଖେଳିଥିଲେ । ୧୦୧୭ରେ କଟକରେ ଇଂଲଣ୍ଡ ବିପକ୍ଷରେ ୧୫୦ନ ତାଙ୍କ କ୍ୟାରିୟର ବଡ଼ ସଫଳତା ଥିଲା । ୨୦୧୯ରେ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଇଥିଲେ ଯୁବରାଜ ।