ଭୁବନେଶ୍ୱର, ୧୬/୧୧: ସଡ଼କ ଦୁର୍ଘଟଣା ଜନିତ ମୃତାହତ ସଂଖ୍ୟା ହ୍ରାସ ପାଇଁ ବ୍ୟାପକ ଜନ ସଚେତନତା କରାଯାଉଛି । ସେଥିପାଇଁ ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ଡ୍ରାଇଭିଙ୍ଗ ଲାଇସେନ୍ସ ପଡିଆରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତୀଥି ଭାବେ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପୁଲିସ କମିଶନର ଏସ ଦେବଦତ୍ତ ସିଂହ ଓ ପରିବହନ କମିଶନର ଅମିତାଭ ଠାକୁର ଯୋଗ ଦେଇଥିଲେ । 
ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲାମାନଙ୍କୁ ଏନେଇ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଏହି ଅବସରରେ ଏକ ସଚେତନତା ରଥ ଶୁଭାରମ୍ଭ କରାଯାଇଛି । ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପାଳନ ସମୟରେ ସଡ଼କ ନିୟମ ଉଲ୍ଲଙ୍ଘକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରାଯିବ । ସାରା ରାଜ୍ୟରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ। ଏଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ଅନ୍ୟ ବିଭାଗ ସହ ମିଳିତ ଭାବରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ବ୍ୟାପକ କରାଯିବ । ବିଶେଷକରି, ଜନଗହଳି ସ୍ଥାନ, ଟ୍ରାଫିକ ପଏଣ୍ଟ, ଶିକ୍ଷାନୁଷ୍ଠାନ, ବଡ ବଡ଼ ମଲ୍ ଓ ବଜାର ଆଦି ସ୍ଥାନରେ ଟିମ୍ ମୁତୟନ ରହିବେ । ସଡ଼କରେ ବେପରୁଆ ଗାଡ଼ି ଚାଳନା କରି ନିଜ ସହ ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଓ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।