• ଜୋମାଟୋ ସିଇଓ କଲେ ବଡ଼ ଖୁଲାସା
  • ପ୍ରତି ମାସରେ ଚାକିରୀ ଛାଡ଼ୁଛନ୍ତି ପାଖା ପାଖି ୨୦ ହଜାର କର୍ମଚାରୀ
  • ଠକେଇ ପାଇଁ ପ୍ରତି ମାସରେ ଚାକିରୀରୁ ଛଟେଇ ହେଉଛନ୍ତି ୫ ହଜାରରୁ ଅଧିକ

ନୂଆଦିଲ୍ଲୀ; ୪/୧ :ଗତ ଡିସେମ୍ବର ୨୫ ଏବଂ ୩୧ ତାରିଖରେ ଗିଗ୍ ଓ୍ବାର୍କର୍ସଙ୍କ ଧର୍ମଘଟ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଖାଦ୍ୟ ହୋମ ଡେଲିଭରୀ କରୁଥିବା କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଧର୍ମଘଟ କରିଥିଲେ । ବଡ଼ଦିନରେ କିଛି ସହରରେ ଏହାର ପ୍ରଭାବ ମଧ୍ୟ ପଡ଼ିଥିଲା । ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏବେ ପୁଣି ଜୋମାଟୋର ପ୍ରତିଷ୍ଠାତା ତଥା ସିଇଓ ଦିପିନ୍ଦର ଗୋୟଲଙ୍କ ବୟାନ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଛନ୍ତି କି, ପ୍ରତି ମାସରେ ୫ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଉଛି । ଏହାସହ ୧୫ ହଜାରରୁ ୨୦ ହଜାର କର୍ମଚାରୀ ସ୍ବଇଛାରେ ଚାକିରୀ ଛାଡ଼ି ଦେଉଛନ୍ତି ।

ନିକଟରେ ଏକ ପୋଡକାଷ୍ଟରେ ଅତିଥୀଭାବେ ନଜର ଆସି ଏଭଳି ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି କି, ଠକେଇ ପାଇଁ ଆମେ ପ୍ରତି ମାସରେ କିଛି କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବାକୁ ବାଧ୍ୟ ହେଉଛୁ । କ୍ୟାସଅନ୍ ଡେଲିଭରୀରେ କର୍ମଚାରୀମାନେ ଟଙ୍କା ଫେରସ୍ତ ନକରିବା ଭଳି ଅଭିଯୋଗ ମଧ୍ୟ ଆସୁଛି । ଅନ୍ୟପଟେ କର୍ମଚାରୀମାନେ କାହିଁକି ଏହି ପ୍ଲାଟଫର୍ମ ଛାଡ଼ୁଛନ୍ତି ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି କି, ଏହି କାମକୁ ଅନେକ କର୍ମଚାରୀ ଦୀର୍ଘକାଳିନ କାର୍ଯ୍ୟ ଭାବେ ଗ୍ରହଣ କରିପାରୁନାହାନ୍ତି । ଏହାକୁ ଏକ ପାର୍ଟ ଟାଇମ୍ ଜବ ଭାବେ ଅନେକ କର୍ମଚାରୀ ଭାବନ୍ତି । ଏହାକୁ ନେଇ କ୍ୟାରିୟର କରିବା ମଧ୍ୟ ଅନେକ ଚାହୁଁନାହାନ୍ତି । ଏଣୁ ପ୍ରତି ମାସରେ କେତେ କର୍ମଚାରୀ ସ୍ବେଚ୍ଛାକୃତ ଭାବେ ଚାକିରୀ ଛାଡ଼ୁଛନ୍ତି ତାହା ଆକଳନ କରିବା ଅସମ୍ଭବ । ଜୋମାଟେ ଏକ ଭଲ ଲାଭକାରୀ ବ୍ୟବସାୟ ହୋଇଥିବା ମଧ୍ୟ ସେ କହିଛନ୍ତି । ମାତ୍ର ପ୍ରଥମରୁ ଯେଭଳି ରୋଜଗାର ହେଉଥିଲା ଏବେ କମିଯାଇଛି । ବ୍ଲିଙ୍କଟ୍ ଏବେ ଜୋମାଟୋକୁ ପଛରେ ପକାଇ ଦେଇଥିବା ମଧ୍ୟ ସେ ମାନିଛନ୍ତି ।