ଗାଜା ସିଟି,୨୮/୦୩: ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ୨୩ ଲକ୍ଷ ଜନସଂଖ୍ୟାର ଗାଜାରେ ଏକେ ଭୋକର ରାଜୁତି । ଭୟଙ୍କର ଖାଦ୍ୟସଙ୍କଟ ଭିତରେ ଦିନ କାଟୁଛନ୍ତି ଗାଜାବାସୀ । ପାଣି ବୁନ୍ଦେ, ଖାଦ୍ୟ ଟିକିଏ ପାଇଁ ନିଜ ଜୀବନ ବି ବାଜିରେ ଲଗାଉଛନ୍ତି । ଯୁଦ୍ଧରୁ ଜୀବନ ବଞ୍ଚାଇବା ପାଇଁ ଯୁଦ୍ଧଭୂମିରୁ ଦୂରେଇ ଥିଲେ ବି ଭୋକ କବଳରୁ ପ୍ରାଣ ରକ୍ଷା କରିବା ଆହୁରି କଷ୍ଟକର ହୋଇପଡ଼ିଛି ସେମାନଙ୍କ ପାଇଁ । ମଙ୍ଗଳବାର ଘଟିଥିବା ହୃଦୟ ବିଦାରକ ଦୃଶ୍ୟ ଏହାର ଜ୍ୱଳନ୍ତ ଉଦାହରଣ । ଉତ୍ତର ଗାଜାରୁ ବେଟ୍ ଲାହିୟାରେ ବିମାନ ଯୋଗେ ଖାଦ୍ୟ ପ୍ୟାକେଟ ପକା ଯାଉଥିବାବେଳେ ତାହା ସମୁଦ୍ରରେ ପଡ଼ିଥିଲା । ସେହି ପ୍ୟାକେଟ ପାଇବା ଉଦ୍ୟମ ବେଳେ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ସମୁଦ୍ରରେ ବୁଡ଼ି ଯାଇଥିବାବେଳେ ୬ ଜଣ ଦଳାଚକଟାରେ ପ୍ରାଣ ହରାଇଛନ୍ତି ।
ସୂଚନା ଅନୁସାରେ, ଆମେରିକା ପକ୍ଷରୁ ଗାଜାକୁ ୮୦ ବଣ୍ଡଲ ଖାଦ୍ୟ ପଠାଯାଇଥିଲା । ପାରାସୁଟ୍ ଯୋଗେ ତାହାକୁ ଆକାଶମାର୍ଗରୁ ଗାଜାରେ ପକାଯିବାର ଥିଲା । କିନ୍ତୁ ୩ ଖାଦ୍ୟ ବଣ୍ଡଲରେ ଲାଗିଥିବା ପାରାସୁଟ୍ରେ ତ୍ରୁଟି ଦେଖାଯାଇଥିଲା । ଫଳରେ ୩ଟି ଯାକ ବଣ୍ଡଲ୍ ସମୁଦ୍ରରେ ଖସିପଡ଼ିଥିଲା । ତେବେ ପାଣି ଭିତରୁ ସେହି ଖାଦ୍ୟ ଗୋଟାଇଆଣିବାକୁ ଗାଜାବାସୀଙ୍କ ମଧ୍ୟରେ ଧାଁଦୌଡ଼ ଲାଗିଥିଲା । ଅନେକେ ସମୁଦ୍ର ଭିତରକୁ ପଶିଯାଇଥିଲେ ।
ଏ ନେଇ ପାଲେଷ୍ଟାଇନ ସରକାରଙ୍କ ପକ୍ଷରୁ କୁହାଯାଇଛି, ବିମାନ ଯୋଗେ ରିଲିଫ୍ ସାମଗ୍ରୀ ବଣ୍ଟନ ଫଳପ୍ରଦ ହେଉନାହିଁ । ତାହାକୁ ତୁରନ୍ତ ବନ୍ଦ କରିଦେବା କଥା । ସହାୟତା ଏଜେନ୍ସିଗୁଡ଼ିକର କହିବା ଅନୁସାରେ, ଗାଜା ପାଇଁ ବାହାରୁ ଆସୁଥିବା ଜରୁରି ସାମଗ୍ରୀର କେବଳ ଏକ ପଞ୍ଚମାଂଶ ହିଁ ପହଞ୍ଚିପାରୁଛି । ଇସ୍ରାଏଲ ପକ୍ଷରୁ ଆକାଶମାର୍ଗ ଏବଂ ସ୍ଥଳଭାଗରେ ଆକ୍ରମଣ ଜାରିରହିଛି । ଏଥିଯୋଗୁ ଗାଜା ଛାରଖାର ହୋଇଯାଇଛି । ଗାଜାର କେତେକ ସ୍ଥାନରେ ଅକାଳ ସ୍ଥିତି ସୃଷ୍ଟି ହୋଇଛି । ଜାତିସଂଘରେ ପାଲେଷ୍ଟାଇନର ସ୍ୱତନ୍ତ୍ର ରାଷ୍ଟ୍ରଦୂତର ଫ୍ରାନ୍ସେସ୍କୋ ଆଲ୍ବାନିଜ୍ କହିଛନ୍ତି, ଗତ ୫ ମାସ ଭିତରେ ଇସ୍ରାଏଲ ଗାଜା ଉପରେ ୨୫ ହଜାର ଟନ୍ର ବିସ୍ଫୋରକ ବ୍ୟବହାର କରିଛି, ଯାହା କି ଦୁଇ ପରମାଣୁ ବୋମା ସହ ସମାନ ।