ନୟାଗଡ, ୨୧।୧୨ : ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅଞ୍ଚଳରେ ଜଣେ ଅଜଣା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ଘଟଣାର ପୋଲିସ ପର୍ଦ୍ଦାଫାସ କରିଛି। ସମ୍ପତ୍ତି ଲୋଭରେ ଘନିଷ୍ଠ ସାଙ୍ଗ ରଚିଥିଲା ହତ୍ୟାକାଣ୍ଡ ।ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ସୁବାସିନୀ ବେହେରା , ଦିଲ୍ଲିପ ବେହେରା ଏବଂ ପ୍ରଦୀପ ନାୟକ।
ଗତ ୧୨ ତାରିଖରେ ବାଣିଗୋଛା ଥାନା ଅଞ୍ଚଳର ଗଙ୍ଗାଡିହ ଗାଁ ନିକଟ ଜଙ୍ଗଲ ରାସ୍ତାରେ ଜଣେ ଅଜଣା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ନେଇ ତଦ ଆରମ୍ଭ କରିଥିଲା । ମୃତଦେହ ମିଳିବାର ୨ଦିନ ପରେ ମୃତ ମହିଳାଜଣଙ୍କ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ତୋଟାଗୁଡା ଗାଁର ସୁକାନ୍ତି ବେହରା ବୋଲି ଜଣାପଡିଥିଲା । ସୁକାନ୍ତି ଅବିବାହିତ ଥିଲେ ଏବଂ ସେହିଦିନ ସେ ହାଟକୁ ଆସି ଆଉ ଘରକୁ ଫେରିନଥିଲେ । ତେବେ ସେହିଦିନ ଭନଗରରେ ଥିବା ତାଙ୍କ ଭଉଣିଙ୍କ ସହ ଫୋନରେ କଥା ହୋଇ ଭନଗର ଯାଉଥିବା କହିଥିଲେ । ସୁକାନ୍ତି ସୁଧରେ ଟଙ୍କା ଦେଉଥିବା ଜଣାପଡିବା ପରେ ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା । ମୃତଦେହ ମିଳିବା ସ୍ଥାନରୁ ତୋଟାଗୁଡା ଗାଁ ୧୦କିଲୋମିଟର୍ ହେବ ବୋଲି ଅତିରିକ୍ତ ଏସ୍ପି. କହିଛି । ଅଧିକ ଖୋଳତାଡ ପରେ ମୃତ ସୁକାନ୍ତିଙ୍କ ଘନିଷ୍ଠ ସାଙ୍ଗ ସେହି ଗାଁର ସୁବାସିନୀ ବେହେରାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବା ପରେ ହତ୍ୟାକାଣ୍ଡର ରହସ୍ୟ ଜଣାପଡିଥିଲା । ସୁକାନ୍ତିଙ୍କ ସମ୍ପତ୍ତି ଅକ୍ତିଆର କରିବା ଉଦ୍ଦେଶ୍ୟରେ ସୁବାସିନୀ ଏହି ହତ୍ୟାକାଣ୍ଡ ରଚିଥିଲା । ବୁଲିଯିବା ପାଇଁ କହି ସୁକାନ୍ତିଙ୍କ ସାଥିରେ ବସରେ ସୁବାସିନୀ ବାଣିଗୋଛା ପର୍ଯ୍ୟନ୍ତ ଆସିବା ପରେ ସେଠାରୁ ଏକ ଅଟୋରେ ହତ୍ୟାକାଣ୍ଡ ସ୍ଥଳ ପର୍ଯ୍ୟନ୍ତ ଆସିଥିଲେ । ସେହି ସ୍ଥାନଟି ନିଛାଟିଆ ହୋଇଥିବାରୁ ପୁର୍ବ ଯୋଜନା ଅନୁଯାୟୀ ସେଠାରେ ପୂର୍ବରୁ ରହିଥିବା ତୋଟାଗୁଡା ଗାଁର ଦିଲ୍ଲିପ ବେହେରା ଏବଂ ବାଣିଗୋଛା ଥାନା ଦସନିପଡା ଗାଁର ପ୍ରଦୀପ ନାୟକ ମିଶି ଅତି ବିବତ୍ସ ଭାବେ ସୁକାନ୍ତିଙ୍କୁ ହତ୍ୟା କରିଥିଲେ । ପୋଲିସ ସୁବାସିନୀ ବେହେରା , ଦିଲ୍ଲିପ ବେହେରା ଏବଂ ପ୍ରଦୀପ ନାୟକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଛୁରି ଏବଂ ସୁକାନ୍ତିଙ୍କ ଗୋଟିଏ ସୁନାହାରକୁ ଜବତ କରିଛି ପୋଲିସ । ଅଧିକ ତଦନ୍ତ ଚାଲିଛି ବୋଲି ଅତିରିକ୍ତ ଏସ୍ . ପି. ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ।