ନୂଆଦିଲ୍ଲୀ,୧୭/୦୧: ହରିୟାଣା-ପଞ୍ଜାବ ସୀମାର ଶମ୍ଭୁ ଠାରେ  ଆନ୍ଦୋଳନ କରୁଥିବା ଚାଷୀମାନେ ଆସନ୍ତା ୨୧ ତାରିଖରେ ଦିଲ୍ଲୀ ଅଭିଯାନରେ  ବାହାରିବେ ବୋଲି ଘୋଷଣା କରିଛନ୍ତି । 

ଚାଷୀ ନେତା ସରୱଣ ପନେ୍ଧର କହିଛନ୍ତି ୧୦୧ ଜଣ ଚାଷୀ ଦିଲ୍ଲୀ ପଦଯାତ୍ରାରେ ସାମିଲ ହେବେ । ସେ  କହିଛନ୍ତି କେନ୍ଦ୍ର ସରକାର ସେମାନଙ୍କ ଦାବି ଉପରେ ଆଲୋଚନା କରିବାକୁ  କୌଣସି ଆଗ୍ରହ ଦେଖାଉନାହାନ୍ତି । ତେଣୁ ସେମାନେ ଆନ୍ଦୋଳନକୁ  ଜୋର୍‌ଦାର କରିବେ। 

ସେ ଆହୁରି ମଧ୍ୟ ଦୃଢ଼ୋକ୍ତି କରିଛନ୍ତି କି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ରହିବା ଭିତରେ ସେମାନେ ଫସଲର ଏମ୍‌ଏସ୍‌ପି  ଉପରେ ଆଇନଗତ ଗ୍ୟାରେଣ୍ଟି ନିଶ୍ଚିତ ଆଣିବେ । ଚାଷୀଙ୍କ ସମସ୍ତ ଦାବି ଦେଶର ହିତ ପାଇଁ । ତେଣୁ ତାକୁ ନିଶ୍ଚିତ ଭାବେ ଲାଗୁ କରାଯିବ । ଏହା ପୂର୍ବରୁ ଗତ ଡିସେମ୍ବରରେ ଚାଷୀମାନେ ୩ ଥର ଦିଲ୍ଲୀ ଯିବାକୁ ଉଦ୍ୟମ କରିଛନ୍ତି ।  କିନ୍ତୁ ହରିୟାଣା ପୁଲିସ ସେମାନଙ୍କୁ ବ୍ୟାରିକେଡ କରି ଅଟକାଇଛି । ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ  ଦାବିରେ ଚାଷୀମାନେ ଶମ୍ଭୁ ଓ ଖନୌରୀ ସୀମାରେ ଗତ ୧୧ମାସ ହେଲା ଆନ୍ଦୋଳନ ଚଳାଇଛନ୍ତି ।