ଖଲ୍ଲିକୋଟ ,୨।୮ : ୧୬ ନମ୍ବର ଜାତୀୟ ରାଜପଥର ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଦୁଇଟି ଦୁର୍ଘଟଣା ଘଟିଛି। ଏକ ଟ୍ରେଲରକୁ ପଛରୁ କଣ୍ଟେନର ଧକ୍କା ଦେବାରୁ ଡ୍ରାଇଭର ଗୁରୁତର ଆହତ ହୋଇଛି। ସେପଟ ରାସ୍ତାରେ ଏକ ଟ୍ରକ ଓ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଡ୍ରାଇଭର ଆହତ ହୋଇଛନ୍ତି।
ଚେନ୍ନାଇରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କଣ୍ଟେନର ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଥିବା ବ୍ରିଜ ଉପରେ ଆଗରେ ଯାଉଥିବା ଏକ ଟ୍ରେଲର ପଛକୁ ଧକ୍କା ଦେଇଥିଲା।ଫଳରେ କଣ୍ଟେନର ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ଡ୍ରାଇଭରଙ୍କ ଦୁଇଟି ଯାକ ଗୋଡ଼ ଚାପି ହୋଇ ରହିଥିବାରୁ ଦୀର୍ଘ ସମୟ ସେ ଗାଡି ଭିତରେ ଫସି ହୋଇ ରହିଥିଲେ। ଖବର ପାଇ ପୁଲିସ ପହଞ୍ଚିବା ସହିତ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଅକ୍ଲାନ୍ତ ପରିଶ୍ରମ କରି ଗ୍ୟାସ କଟର ସାହାଯ୍ୟରେ ଗାଡିକୁ କାଟି ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ବ୍ରିଜ ଉପରେ ଦୁର୍ଘଟଣା ଘଟି ଥିବାରୁ ବ୍ରହ୍ମପୁର-ଭୁବନେଶ୍ୱର ରାସ୍ତା ବନ୍ଦ ହୋଇ ଯାଇଥିଲା।ପୁଲିସ ପହଂଚି ଭୁବନେଶ୍ୱର -ବ୍ରହ୍ମପୁର ରାସ୍ତା ରେ ଉଭୟ ପଟ ର ଗାଡି କୁ ଛାଡି ଥିଲା।

ପୁଣି ସେହି ରାସ୍ତାରେ ଆଉ ଏକ ଦୁର୍ଘଟଣା ଘଟିଥିଲା। ଗୋଟିଏ ଡାକ ପାର୍ସଲ ଟ୍ରକ ସହ ଏକ ଟ୍ରେଲରର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇଟି ଗାଡିର ଡ୍ରାଇଭର ଆହତ ହୋଇ ଚିକିତ୍ସା ପାଇଁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ କ୍ଷତିଗ୍ରସ୍ତ ହେଲାଣି।
ଘାଟି ରାସ୍ତାର ନିର୍ମାଣ ଶୈଳୀରେ ତ୍ରୁଟି ରହିଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା କହିଛନ୍ତି ଖଲ୍ଲିକୋଟ ଏନଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା। ଶ୍ରୀ ବେହେରା ଚାକିରୀ ରୁ ଅବସର ଗ୍ରହଣ କରିବା ପୂର୍ବରୁ ଜାତୀୟ ରାଜପଥର ଇଞ୍ଜିନିୟର ଦାୟୀତ୍ୱ ରେ ଥିଲେ। ଯଦି ଜାତୀୟ ରାଜପଥ କର୍ତ୍ତ୍ତୃପକ୍ଷ ତାଙ୍କ ସହ ଯୋଗାଯୋଗ କରନ୍ତି ତାହେଲେ ସେ କେଉଁଠି ତ୍ରୁଟି ରହିଛି ଜଣାଇ ଦେବେ ବୋଲି କହିଛନ୍ତି। ଦୁର୍ଘଟଣାକୁ ରୋକିବା ପାଇଁ ଏହି ରାସ୍ତାର ପୁନଃ ନିର୍ମାଣର ଆବଶ୍ୟକତା ରହିଛି ବୋଲି ଇଂ. ନିରଞ୍ଜନ ବେହେରା କହିଛନ୍ତି।