ସୋରଡ଼ା,୦୭/୦୬: ଜୀବନ, ଜୀବିକା ଓ ପରିବେଶର ସୁରକ୍ଷା ଦାବିରେ ଶନିବାର ଅଖିଳ ଭାରତ କିଶାନ୍ ମଜଦୁର ସଭା (AIKMS)ର ସୋରଡା ବ୍ଲକ୍ ଶାଖା ପକ୍ଷରୁ ଏକଲପୁର ପଞ୍ଚାୟତର ଲୋକାମରୀ ଠାରେ ଏକ ଗଣ ସମାବେଶ ଆୟୋଜିତ ହୋଇଯାଇଛି । ଭିଟାମାଟିର ସୁରକ୍ଷା ପାଇଁ ସଂଗଠନର ବ୍ଳକ୍ ସଭାପତି କାଳୀଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ଏହି ସମାବେଶରେ ବ୍ଳକର ବିଭିନ୍ନ ଗ୍ରାମରୁ ଶହ ଶହ ଲୋକ ଯୋଗ ଦେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ଲୋକାମରୀଠାରେ ଗ୍ରାନାଇଟ୍ ଖଣିର ଏକ ଘରୋଇ କମ୍ପାନୀକୁ ସ୍ଥାନୀୟ ଗ୍ରାମବାସୀମାନଙ୍କ ବିରୋଧ ସତ୍ତ୍ଵେ ଲିଜ୍ ଦେଇଛନ୍ତି । ସମ୍ପୃକ୍ତ କମ୍ପାନୀ ଖଣି ଖନନ ପାଇଁ ବିସ୍ଫୋରଣ କରୁଛନ୍ତି । ଯାହାଫଳରେ ଗାଁ ଲୋକଙ୍କ ଘରଦ୍ୱାର ଭାଙ୍ଗିଯିବା ସହ ସେମାନଙ୍କ ଚାଷ ନଷ୍ଟ ହେବାରେ ଲାଗିଛି । ଖଣି ଖନନ ଯୋଗୁଁ ଲୋକଙ୍କ ଧନ ଜୀବନ ପ୍ରତି ସୃଷ୍ଟି ହୋଇଥିବା ଏହି ବିପଦ ସମ୍ପର୍କରେ ଅତୀତରେ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ଏଯାଏଁ କୌଣସି ପଦକ୍ଷେପ ଦେଖିବାକୁ ନିଆଯାଇନାହିଁ । ବରଂ ସ୍ଥାନୀୟ ତହସିଲଦାର ଓ ଖଣି ଅଧିକାରୀଙ୍କୁ ନେଇ ଗଠିତ ମିଳିତ ତଦନ୍ତ ଦଳ କମ୍ପାନୀର ବେଆଇନ କାର୍ଯ୍ୟକୁ ଚିହ୍ନଟ କରିବା ବଦଳରେ ତାକୁ କ୍ଳିନ୍ ଚିଟ୍ ପ୍ରଦାନ କରିଛି । ଏହି ପରିପ୍ରେକ୍ଷୀରେ ନିଜର ଭିଟାମାଟି, ଘରଦ୍ୱାର ଓ ପରିବେଶର ସୁରକ୍ଷା ପାଇଁ ଗାଁଲୋକେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଲୋକଙ୍କ ଶାନ୍ତିପୂର୍ଣ୍ଣ ବିରୋଧ ଫଳରେ ବର୍ତ୍ତମାନ କମ୍ପାନୀ ତରଫରୁ ସେଠାରେ ଖଣି ଖନନ ସ୍ଥଗିତ ରହିଛି ।
ଆଜିର ଏହି ଗଣ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ବ୍ଳକ୍ ସମ୍ପାଦକ ସଂଗ୍ରାମ ନାୟକ, ରାଜ୍ୟ କମିଟି ସଦସ୍ୟ ତଥା ଆଦିବାସୀ ନେତା କୁଶନାଥ ପ୍ରଧାନ, ପୀତବାସ ପ୍ରଧାନ, ସର୍ବିନ ଗମାଙ୍ଗ, ଗାଁ କମିଟିର ସମ୍ପାଦକ ପଞ୍ଚାନନ ନାୟକ, ଡ୍ରାଇଭର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସଂଗ୍ରାମୀ ସ୍ଳୋଗାନ ଦେଇ ଗାଁ ପରିକ୍ରମା କରିଥିଲା ଶୋଭାଯାତ୍ରା ।