ନୂଆଦିଲ୍ଲୀ,୧୪/୦୮: ସୁନା ପରେ ଏବେ ସରକାର ରୁପା ଗହଣାର ହଲ୍ମାର୍କିଂକୁ ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେପ୍ଟେମ୍ବର ୧ରୁ ବ୍ୟବସାୟୀଙ୍କ ପାଇଁ ଏହାକୁ ଇଚ୍ଛାମୂଳକ ଆଧାରରେ ଲାଗୁ କରାଯିବ । ସୁନା ଭଳି ଏହା ୬ ଗ୍ରେଡ୍ ରୁପା ଗହଣା ଉପରେ ଲାଗୁ ହେବ । ଚାନ୍ଦି ଉପରେ ୬ ଅଙ୍କବିଶିଷ୍ଟ ଏଚ୍ୟୁଆଇଡି ହଲ୍ମାର୍କିଂ କାର୍ଯ୍ୟକାରୀ ହେବ । ହଲ୍ମାର୍କିଂରୁ ଶୁଦ୍ଧତାର ଗ୍ୟାରେଣ୍ଟି ମଳିଥାଏ । ଏହା ଦର୍ଶାଇଥାଏ ଯେ, ଗହଣାରେ ଦିଆଯାଇଥିବା ରୁପା କେତେ ଶୁଦ୍ଧ । ଏହାଦ୍ୱାରା ଗ୍ରାହକଙ୍କ ଭରସା ବଢ଼ିଥାଏ ।
ସରକାର ୨୦୨୪ ଏପ୍ରିଲ ୧ରୁ ସୁନା ଏବଂ ଏହାର ଆଭୁଷଣ ଉପରେ ଅନିବାର୍ଯ୍ୟ ଭାବେ ହଲ୍ମାର୍କିଂ ଲାଗୁ କରିଥିଲେ । ହଲ୍ମାର୍କିଂ ଏକ ପ୍ରକାର ସରକାରୀ ପ୍ରମାଣପତ୍ର, ଯାହା ଗ୍ୟାରେଣ୍ଟି ଦେଇଥାଏ ଯେ, ରୁପା କିମ୍ବା ସୁନା ଗହଣା କେତେ ଶୁଦ୍ଧ । ଯେପରି ସୁନାରେ ୨୨ କ୍ୟାରେଟ୍ କିମ୍ବା ୧୮ କ୍ୟାରେଟ୍ର ହଲ୍ମାର୍କିଂ ହୋଇଥାଏ ସେହିଭଳି ଭାବେ ଏବେ ରୁପାରେ ବି ସ୍ୱତନ୍ତ୍ର ଚିହ୍ନ ରହିବ । ଏହି ହଲ୍ମାର୍କିଂକୁ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍) ଚେକ୍ କରିଥାଏ । ସେପ୍ଟେମ୍ବର ୧ରୁ ରୁପା ହଲ୍ମାର୍କିଂ ଲାଗୁ ହେବ । ପ୍ରାରମ୍ଭରେ ଏହା ଗହଣା ବ୍ୟବସାୟୀଙ୍କ ପାଇଁ ଇଚ୍ଛାମୂଳକ ରହିବ । କିନ୍ତୁ ପରେ ଏହାକୁ ଅନିବାର୍ଯ୍ୟ କରାଯିବ ।