ପାଟନା: ବୁଧବାର (ଫେବ୍ରୁଆରୀ ୨୬) ବିହାର କ୍ୟାବିନେଟ୍‌  ସଂପ୍ରସାରଣ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରେ ୭ ଜଣ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନୀତୀଶ କୁମାରଙ୍କ କ୍ୟାବନେଟ୍‌ ସଂପ୍ରସାରଣକୁ ନେଇ ଚର୍ଚ୍ଚା ଜାରି ରହିଛି।  ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।

ନୂଆ ମନ୍ତ୍ରୀଙ୍କ ତାଲିକା

ବିଜେପି ନେତା ସଞ୍ଜୟ ସରାଓଗୀ, ଦରଭଙ୍ଗା ବିଧାୟକ

ବିଜେପି ନେତା ଡକ୍ଟର ସୁନୀଲ କୁମାର, ବିହାରଶରିଫରୁ ବିଧାୟକ

ବିଜେପି ନେତା ଜୀବେଶ କୁମାର, ଜାଲେ ବିଧାୟକ

ବିଜେପି ନେତା ରାଜୁ କୁମାର ସିଂହ, ସାହେବଗଞ୍ଜରୁ ବିଧାୟକ

ବିଜେପି ନେତା ମୋତି ଲାଲ ପ୍ରସାଦ, ରିଗା ବିଧାୟକ

ବିଜେପି ନେତା କୃଷ୍ଣ କୁମାର ମଣ୍ଟୁ, ଅମନୌରରୁ ବିଧାୟକ

ବିଜେପି ନେତା ବିଜୟ କୁମାର ମଣ୍ଡଳ, ସିକ୍ଟି ବିଧାୟକ

ଦିଲୀପ ଜୟସ୍ବାଙ୍କ ଇସ୍ତଫା 

ବିହାର ବିଜେପି ଅଧ୍ୟକ୍ଷ ଦିଲୀପ ଜୟସ୍ବାଲ ବୁଧବାର ସକାଳେ ନୀତୀଶ କୁମାର କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ଗତ ବର୍ଷ ଜାନୁଆରୀରେ ନୀତୀଶ କୁମାର ଏନଡିଏରେ ଯୋଗଦେବା ପରେ ଦିଲୀପ ଜୟସ୍ବାଲଙ୍କୁ କ୍ୟାବିନେଟରେ ସାମିଲ କରାଯାଇଥିଲା। ସମ୍ବାଦ ସରବରାହ ସଂସ୍ଥା ANIକୁ ପ୍ରତିକ୍ରିୟା ଦେଇ ଜୟସ୍ବାଲ କହିଥିଲେ, ‘ମୁଁ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି। 'ଗୋଟିଏ ବ୍ୟକ୍ତି, ଗୋଟିଏ ପଦବୀ' ହେଉଛି ସେହି ନୀତି ଯାହା ଉପରେ ଦଳ କାମ କରେ । କେନ୍ଦ୍ରୀୟ ନେତୃତ୍ୱ ମୋତେ ଦଳର ରାଜ୍ୟ ୟୁନିଟର ଦାୟିତ୍ୱ ଦେଇଥିବାରୁ ମୁଁ କୃତଜ୍ଞ । କ୍ୟାବିନେଟ ବିସ୍ତାର ମୁଖ୍ୟମନ୍ତ୍ରୀଙ୍କ ଅଧିକାର।’