ଭୁବନେଶ୍ୱର,୦୩/୧୧: ଆସିଗଲା ନଭେମ୍ବର । କେବେ ଆସିବେ ନବୀନ ? ନବୀନଙ୍କ ବାଟକୁ ଅନେଇ ବସିଛନ୍ତି ବିଜେଡିର ତୃଣମୂଳ  କର୍ମୀ ଓ ନେତାମାନେ । ଦଳର ଆଶା, ନବୀନ ଆସିଲେ ବଳ ବଢ଼ିବ । ପୁଣି ଥରେ ପଞ୍ଚାୟତରୁ ରାଜଧାନୀ ପର୍ଯ୍ୟନ୍ତ କର୍ମୀମାନେ ହୁଙ୍କାର ଦେଇ ଆଗକୁ ବଢ଼ିବେ । ମାତ୍ର ଏ ଯାଏଁ ନବୀନଙ୍କ ରାଜ୍ୟ  ତମାମ ଗସ୍ତ ନେଇ କିଛି କାର୍ଯ୍ୟକ୍ରମ ଚୂଡ଼ାନ୍ତ  ହୋଇପାରିନାହିଁ । ଏପଟେ ଯେତେ ବିଳମ୍ବ ହେଉଛି,  ଦଳ ଭିତର କନ୍ଦଳ ସେତେ ପଦାକୁ ଫୁଟି ବାହାରୁଛି ।  

ପ୍ରଥମ ପରାଜୟ ପରେ କ୍ଷମତାଚ୍ୟୁତ ହୋଇଛି ବିଜେଡି । ଏଭଳି ଏକ ଅପ୍ରତ୍ୟାଶିତ ଝଟ୍‌କାରେ ଦୋହଲି ଯାଇଛି ବିଜେଡିର ସଂଗଠନ  ଓ ମନୋବଳ । ଦଳ ନା ଆଗକୁ ବଢ଼ିପାରୁଛି ନା ଅଣ୍ଟା ସଳଖିବାକୁ ଏକାଠି ହୋଇପାରୁଛି । ନିୟମିତ ବ୍ୟବଧାନରେ ନେତା ଦଳ ଛାଡ଼ିବା, ପରସ୍ପର ବିରୋଧୀ ବୟାନବାଜି କରିବା ଘଟଣା  ବିଜେଡିକୁ ଦୁର୍ବଳ କରୁଛି । ବରିଷ୍ଠ ନେତାମାନେ ପରାଜୟ କାରଣ ନେଇ ଖୋଲାଖୋଲି ନେତୃତ୍ୱଙ୍କ ଆଡ଼କୁ ଆଙ୍ଗୁଠି ଉଠାଉଛନ୍ତି । ଦୁଇ ଜଣ  ସାଂସଦ ଦଳ ଛାଡ଼ି ପଦ୍ମ ଧରି ସାରିଲେଣି ।  ଦଳ ଡେଇଁବା ଧାଡ଼ିରେ ଆହୁରି ଅନେକ ନେତା  ଅଛନ୍ତି । ଏବେ ବିଜେଡିକୁ ଚିନ୍ତା, କେମିତି  ନିଜ ଘର ସଜାଡ଼ିବା ସହ ଦଳକୁ ମଜଭୁତ  କରିବ । ସମସ୍ତଙ୍କ ନଜର ନବୀନଙ୍କ ଉପରେ।

ଗତ ଅଗଷ୍ଟ ମାସରେ ବିଜେଡି ଘୋଷଣା  କରିଥିଲା, ବର୍ଷା ଛାଡ଼ିଲା ପରେ ନଭେମ୍ବର ମାସରୁ  ବିଜେଡି ସଭାପତି ନବୀନ ପଟ୍ଟନାୟକ ସାରା ଓଡ଼ିଶା ଗସ୍ତରେ ବାହାରିବେ । ସବୁ ଜିଲ୍ଲାକୁ ଯାଇ  ତୃଣମୂଳକ ସ୍ତରର ନେତା ଓ କର୍ମୀଙ୍କୁ ଭେଟିବେ ।  ଦଳକୁ ମଜଭୁତ କରିବାକୁ ପଦକ୍ଷେପ ନେବା  ସହ ଲୋକଙ୍କ ସହ ମିଶିବେ । ଏବେ ନଭେମ୍ବର  ମାସ ଆରମ୍ଭ ହୋଇଗଲା । ହେଲେ ନବୀନ  କେବେଠାରୁ ଜିଲ୍ଲା ଗସ୍ତ କରିବେ, ଜଣାପଡ଼ିନି । ବିଜେଡି ନେତାଙ୍କ କହିବାନୁସାରେ, ଏବେ  ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି । ତା’ ଛଡ଼ା ଧାନ  କଟା ବି ରହିଛି । ତୃଣମୂଳ ସ୍ତରରେ କର୍ମୀମାନେ ଓ  ଲୋକେ ବ୍ୟସ୍ତ ରହିବେ । ତେଣୁ ଏଯାବତ୍‌ ନବୀନଙ୍କ  ଗସ୍ତ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ।  ଭିତିରି ସୂତ୍ର ଅନୁସାରେ ସମ୍ଭବତଃ ନବୀନଙ୍କ  ଜିଲ୍ଲା ଗସ୍ତ ବିଳମ୍ବିତ ହୋଇପାରେ । ଅନ୍ୟପକ୍ଷରେ  ନଭେମ୍ବର ଶେଷ ସପ୍ତାହରୁ ବିଧାନସଭା ଅଧିବେଶନ ବି ଆରମ୍ଭ ହେବାକୁ ଯାଉଛି । 

ଅନ୍ୟପଟେ ବିଜେଡିର  ସଭ୍ୟ ସଂଗ୍ରହ ଅଭିଯାନ ଡିସେମ୍ବର ୯ ଯାଏଁ ଚାଲିବ ।  ତା’ପରେ ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଗେଇବ। ତେଣୁ ନବୀନ କେବେଠାରୁ ଜିଲ୍ଲା  ବୁଲିବେ, ଏବେ ସୁଦ୍ଧା କିଛି ଚୂଡ଼ାନ୍ତ ହୋଇନାହିଁ । ଅନ୍ୟପଟେ ବିଭିନ୍ନ ଜିଲ୍ଲାରେ ବିଜେପିର  ଅପରେସନ୍‌ ଲୋଟସ୍‌ ଭୟ ବିଜେଡିକୁ ଘାରୁଛି ।  ଦଳରେ ସ୍ଥିତି ଏମିତି, ନବୀନଙ୍କୁ ଛାଡ଼ିଦେଲେ  ଆଉ କାହା କଥାକୁ ବିଜେଡି ନେତା କିମ୍ବା କର୍ମୀ  କେହି ଭରସା କରୁନାହାନ୍ତି । ରାଜ୍ୟ ସାଂଗଠନିକ  ଟିମ୍‌ ଭଙ୍ଗା ହେବା ପରଠାରୁ ଆଉ କୌଣସି  ବଡ଼ ନେତା ସଂଗଠନ କଥାରେ ମୁଣ୍ଡ ପୂରାଉ  ନାହାନ୍ତି । ଦଳର ଭବିଷ୍ୟତକୁ ନେଇ ଅନେକଙ୍କ  ମନରେ ଆଶଙ୍କା ବସା ବାନ୍ଧିଲାଣି । ଏମିତିରେ  ଦଳକୁ ସଂଗଠିତ ରଖିବା ନବୀନଙ୍କ ପାଇଁ  ସବୁଠୁ ବଡ଼ ଆହ୍ୱାନ । ନବୀନ ଯେ ପର୍ଯ୍ୟନ୍ତ  ମଇଦାନକୁ ଓହ୍ଲାଇ ସିଧାସଳଖ ଦଳୀୟ ନେତା  ଓ କର୍ମୀଙ୍କୁ ଭେଟି ନାହାନ୍ତି, ସେ ପର୍ଯ୍ୟନ୍ତ ଦଳର  କର୍ମୀ ଓ ନେତାଙ୍କ ଭିତରେ ଉତ୍ସାହ ଆସିବନି । 

ବର୍ତ୍ତମାନ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି  ସେଭଳି କିଛି କାର୍ଯ୍ୟକ୍ରମ ହାତକୁ ନେଇପାରିନି ।  ଦରଦାମ, ନାରୀ ନିର୍ଯାତନା ବୃଦ୍ଧି, ଆମ୍ବ ଟାକୁଆ  ଖାଇ ମୃତ୍ୟୁ ଭଳି ଅନେକ ପ୍ରସଙ୍ଗ ଥିଲେ ବି ବିଜେଡି  ଏହାକୁ ବଡ଼ ପ୍ରସଙ୍ଗ କରିପାରିନାହିଁ । ତେଣୁ  ନବୀନଙ୍କ ପଦକ୍ଷେପକୁ ସମସ୍ତେ ଅନେଇ ବସିଛନ୍ତି।