ଭୁବନେଶ୍ୱର,୧୧/୦୧: ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ଆରାମଦାୟକ ବସ୍‌ରେ ବସି ଭକ୍ତମାନେ ଉତ୍ତରପ୍ରଦେଶର  ମହାକୁମ୍ଭ ମେଳାକୁ ଯାଇପାରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ହାଇଏଣ୍ଡ ପ୍ରିମିୟମ୍‌ ବସ୍‌ ସେବାକୁ ଆସନ୍ତା ୧୨ ତାରିଖରେ ଉଦ୍‌ଘାଟନ କରିବେ ବୋଲି  ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।  

ଓଏସ୍‌ଆର୍‌ଟିସି ପକ୍ଷରୁ ଏହି ବସ୍‌ ସେବା ମାର୍ଗ ବିବରଣୀ ଦିଆଯାଇଛି ।  ପୁରୀରୁ ବସ୍‌ଟି ବାହାରି ଭୁବନେଶ୍ୱର, ବାରିପଦା, ରାଞ୍ଚି, ଜାମସେଦପୁର,  ଔରଙ୍ଗାବାଦ୍‌, ବାରାଣସୀ, ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ପହଞ୍ଚିବ । ସମ୍ବଲପୁରରୁ  ବାହାରିବାକୁ ଥିବା ବସ୍‌ଟି ରାଉରକେଲା, ରାଞ୍ଚି, ଔରଙ୍ଗାବାଦ, ବାରାଣାସୀ,  ପ୍ରୟାଗରାଜରୁ ଅଯୋଧ୍ୟାକୁ ଯିବ । ଭବାଣୀପାଟଣାରୁ ନୂଆପଡ଼ା-ବିଳାସପୁର ରୁଟ୍‌  ଦେଇ ଅମ୍ବିକାପୁର, ବାରାଣସୀ, ପ୍ରୟାଗରାଜରୁ ଅଯୋଧ୍ୟାକୁ ବସ୍‌ ଯିବ । ବ୍ରହ୍ମପୁରରୁ  ଫୁଲବାଣୀ ଝାରସୁଗୁଡ଼ା, ଅମ୍ବିକାପୁର ରୁଟ୍‌ ଦେଇ ଅଯୋଧ୍ୟାକୁ ବସ୍‌ ଗଡିବ । 

ଜାନୁଆରୀ ୧୨, ୧୩, ୧୮, ୨୦, ୨୪, ୨୭, ୩୦ ଓ ଫେବ୍ରୁଆରୀ ୨, ୫, ୯,  ୧୧, ୧୬, ୧୭, ୨୪, ୨୫ ତାରିଖରେ ୪ଟି ନିର୍ଦ୍ଧାରିତ ସହରରୁ ବସ୍‌ କୁମ୍ଭମେଳା  ଅଭିମୁଖେ ବାହାରିବ । ଯାତ୍ରୀମାନେ www.osrtc.org  ୱେବ୍‌ସାଇଟ୍‌  କିମ୍ବା ଓଏସ୍‌ଆର୍‌ଟିସି ଆପ୍‌ ଜରିଆରେ ଟିକେଟ୍‌ ବୁକିଂ କରି ପାରିବେ । ନଚେତ୍‌  ଏସବୁ ବସ୍‌ଷ୍ଟାଣ୍ଡରେ ଥିବା ଓଏସ୍‌ଆର୍‌ଟିସିର ଟିକେଟ୍‌ କାଉଣ୍ଟରରେ ମଧ୍ୟ ଟିକେଟ୍‌ କରିହେବ । ଯାତ୍ରୀଙ୍କ ସହାୟତା ପାଇଁ ୨୪ଘଣ୍ଟିଆ ହେଲ୍ପଲାଇନ୍‌ ନଂ ୧୮୦୦-୩୪୫- ୧୧୨୨ ଓ ଏକ ହ୍ୱାଟସ୍‌ଆପ୍‌ ନଂ ୭୮୪୯୦୦୫୨୨୦୫ ଜାରି କରାଯାଇଛି । ମହିଳା  ତୀର୍ଥଯାତ୍ରୀଙ୍କ ପାଇଁ ଟିକେଟ୍‌ ଦର ୫୦% କମ ରହିବ ବୋଲି ଓଏସ୍‌ଆର୍‌ଟିସି ସୂଚାଇଛି ।