ମାଲକାନଗିରି/ଚିତ୍ରକୋଣ୍ଡା, ୨୨/୧୦ (ଆପ୍ର ) :  ପୁଅ ଝିଅଙ୍କୁ  ସ୍କୁଲ ହଷ୍ଟେଲରେ ଛାଡିବା ନିମନ୍ତେ ବାପା ଏକ କାର ଯୋଗେ ଯାଉଥିବା ବେଳେ ଗଛରେ କାରଟି ପିଟି ହୋଇ ଦୁର୍ଘଟଣା ଘଟିଛି ।  ବଡ଼ ଝିଅର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଝିଅ ଓ ପୁଅ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ  ରାଜୁଲକୋଣ୍ଡା ଗ୍ରାମ ନିକଟରେ ଏପରି ଅଭାବନୀୟ ଘଟଣା ଘଟିଛି । 

ଚିତ୍ରକୋଣ୍ଡା ସୀମାନ୍ତ ଆନ୍ଧ୍ର ପ୍ରଦେଶ ରାଜ୍ୟ ଗୁଡେମ ମଣ୍ଡଳ ଅନୁର୍ଗତ ମୁରଲାଗେଡା ଗ୍ରାମର ପ୍ରକାଶ ଖିଲ  ଏକ ଭଡା କାରରେ ଦୁଇ ଝିଅ ଓ ଦୁଇ ପୁଅଙ୍କୁ ଆନ୍ଧ୍ରପ୍ରଦେଶର ନରସିଂପାଟଣା ଏକ ଆଶ୍ରମ ସ୍କୁଲ ହଷ୍ଟେଲରେ ଛାଡ଼ିବା ପାଇଁ  ଯାଉଥିଲେ।  ଚିତ୍ରକୋଣ୍ଡା ସିଲେରୁ ରାସ୍ତା ଦେଇ ଯାଉଥିବା ବେଳେ ଚିତ୍ରକୋଣ୍ଡା ଥାନାସ୍ଥ ରାଜୁଲକୋଣ୍ଡା ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡି ଏକ ଗଛରେ ପିଟିହୋଇ ଯାଇଥିଲା।  ଏହି ଦୁର୍ଘଟଣାରେ କାରର ଡୋର ଓ କାଚ ଭାଙ୍ଗି ଯାଇ କାରରେ ବସିଥିବା ବାପା ପ୍ରକାଶ ଖିଲ ଓ ତାଙ୍କର ଚାରି ପୁଅଝିଅ ଦୁରକୁ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଥିଲେ। ନିକଟସ୍ଥ ଗ୍ରାମବାସୀ ଏହା ଦେଖି ଚିତ୍ରକୋଣ୍ଡା ଥାନାକୁ ଫୋନ କରି ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ହସ୍ପିଟାଲକୁ ପଠାଇଥିଲେ।  ହସ୍ପିଟାଲରେ  ବଡ଼ ଝିଅ ରାସୋ ଖିଲ (୧୫)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାପା ପ୍ରକାଶ ଖିଲ ସାମାନ୍ୟ ଆହତ ହୋଇଥିବା ବେଳେ  ପୁଅ ଶ୍ରୀନୁ ଖିଲ (୧୪),  ରାମୁଡୁ ଖିଲ (୧୨) ସାନ ଝିଅ ଏଲିଶା ବେଥୁ ଖିଲ (୮)ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ପୁଲିସ ପହଁଞ୍ଚି କାର ଜବତ କରିଛନ୍ତି। ଦୁର୍ଘଟଣା ପରେ କାର ଡ୍ରାଇଭର  ଫେରାର ହୋଇଯାଇଛି। ପୁଲିସ ରାସୁ ଖିଲ ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ସେମାନଙ୍କ ପରିବାରଙ୍କୁ ଫୋନ ଯୋଗେ  ଦୁର୍ଘଟଣା ସମ୍ପର୍କରେ ଜଣାଉଛନ୍ତି।