ଭୁବନେଶ୍ବର ,୨୭/୦୩: ବିଧାନସଭାରେ ଭୂତଳ ଜଳସ୍ତରକୁ ନେଇ ପ୍ରଶ୍ନୋତ୍ତର । ରାଜ୍ୟର ୨୩ ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର । ବାଲେଶ୍ଵର, ଭଦ୍ରକ, କଟକ, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡା, ସମ୍ବଲପୁରକୁ ଛାଡ଼ି ଦେଲେ ବାକି ସମସ୍ତ ଜିଲ୍ଲାରେ କମିବାରେ ଲାଗିଛି ଭୂତଳ ଜଳସ୍ତର। ଗଜପତି ଓ ରାୟଗଡ଼ାରେ ସ୍ଥିତି ସଙ୍ଗୀନ । ମୁଖ୍ୟମନ୍ତ୍ରୀ ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ।
ଝାରସୁଗୁଡା ଜିଲ୍ଲାରେ ୨୦୧୪ ମସିହାରେ ଭୂତଳ ଜଳସ୍ତର ହାରାହାରି ଭୂମିଠାରୁ୫.୨୨ ମିଟର ତଳେ ରହିଥିବା ବେଳେ ୨୦୨୪ ମସିହାରେ ଏହା ଭୂମିଠାରୁ ୬.୦୭ ମିଟର ତଳେ ରହିଛି । ଭୂତଳ ଜଳ ଆକଳନ ୨୦୨୪ ଅନୁଯାୟୀ ମଧ୍ୟ ଏହି ଜିଲ୍ଲାରେ ଜଳସ୍ତର ନିରାପଦ ସ୍ଥିତିରେ ଅଛି । ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଛାତ ଏବଂ ଅରୁଆ ନାମକ ଦୁଇଟି ଯୋଜନା କରାଯାଉଛି କାର୍ଯ୍ୟକାରୀ। ଛାତ ଯୋଜନା ମାଧ୍ୟମରେ ରାଜ୍ୟରେ ୨୭ ଟି ସହରାଞ୍ଚଳ ଏବଂ ୫୨ ଟି ବ୍ଲକରେ ୨୯୫୦୦ଟି ବେସରକାରୀ ଓ ୧୯୨୫ ଚି ସରକାରୀ କୋଠାରେ ବର୍ଷାଜଳର ସଂରକ୍ଷଣ ଯୋଜନା କରାଯାଇଛି । ସେହିପରି ଅରୁଆ ଯୋଜନାରେ ୨୪୦୦ ଟି ରିଚାର୍ଜ ସାଫ୍ଟ ମାଧ୍ୟମରେ ବର୍ଷା ଜଳର ସଂରକ୍ଷଣ ନିମିତ୍ତ ପଦକ୍ଷେପ ନିଆଯାଇଛି । ସେହିପରି ବିଭିନ୍ନ ନଦୀମାନଙ୍କେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଓ ବିଭିନ୍ନ ପ୍ରାକୃତିତ ନାଳ ଗୁଡ଼ିକରେ ଆଡ଼ିବନ୍ଧ ତିଆରି କରି ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।