ଭୁବନେଶ୍ୱର,୧୩/୦୬: ଆସନ୍ତା ୧୮ ତାରିଖରୁ  ସ୍କୁଲ ଖୋଲିବ । ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନକୁ  ନେଇ ସତର୍କ ହୋଇଛି ରାଜ୍ୟ ପିଏମ୍‌ ପୋଷଣ ୟୁନିଟ୍‌ ।  ଶିଶୁବାଟିକାରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ମଧ୍ୟାହ୍ନ ଭୋଜନ  ଦିଆଯିବ । ଏଣିକି ନିୟମିତ ଭାବେ ଅଭିଭାବକମାନେ  ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ । ଯେପରି ପିଲାଙ୍କ ମଧ୍ୟାହ୍ନ ଭୋଜନର ଗୁଣବତ୍ତାରେ ହ୍ରାସ ନ ହୁଏ ସେଥିଲାଗି ଧ୍ୟାନ ଦିଆଯିବ । ଏଥିସହ ରୋଷେଇ ସାମଗ୍ରୀର ଏକ୍ସପାରୀ  ତାରିଖଠୁ ଆରମ୍ଭ କରି ଏହାର ମାନକୁ ମଧ୍ୟ ଯାଞ୍ଚ କରିବେ  ପ୍ରଧାନଶିକ୍ଷକ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ  ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । 

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅନେକ  ସମୟରେ ମଧ୍ୟାହ୍ନ ଭୋଜନ ରୋଷେଇରେ ଅସାବଧାନତା  ଅବଲମ୍ବନ କରାଯାଉଛି । ଏହାର ପ୍ରୋଟୋକଲ  ଅନୁସରଣ କରାଯାଉନାହିଁ । ଖାଦ୍ୟର ମାନ ଠିକ୍‌  ରହୁନାହିଁ । ଅନେକ ସମୟରେ ଖରାପ ମାନର ଖାଦ୍ୟ  ଦିଆଯାଉଥିବା ଅଭିଯୋଗ ହେଉଛି । ତେଣୁ ଏହାର  ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଅଣ୍ଟା ଭିଡ଼ିଛି ବିଭାଗ । 

ସ୍କୁଲ ଖୋଲିବାର ପ୍ରଥମ ଦିନରେ ଯେପରି କୌଣସି  ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନ ହୁଅନ୍ତି ସେଥିଲାଗି  ଧ୍ୟାନ ଦେବାକୁ ତାଗିଦ୍‌ କରାଯାଇଛି । ରୋଷେଇ ପୂର୍ବରୁ  ସହାୟିକା, ପାଚିକାଙ୍କୁ ରନ୍ଧନ ସାମଗ୍ରୀ ହସ୍ତାନ୍ତର କରାଯିବ ।  ଏହା ପୂର୍ବରୁ ସମସ୍ତ ସାମଗ୍ରୀର ଯାଞ୍ଚ କରାଯିବ । ଯେପରି  କୌଣସି ଖରାପ ହୋଇନଥିବ ତାଙ୍କୁ ନିଶ୍ଚିତ କରାଯିବ ।  ନୂଆ ସାମଗ୍ରୀ କିଣାଯିବ । ସ୍କୁଲ ପରିଚାଳନା କମିଟି, ସିସିଏଚ୍‌, ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ସମସ୍ତ ମସଲା  ଯାଞ୍ଚ କରାଯିବ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍‌  ଶିକ୍ଷା ଅଧିକାରୀ ବୈଠକ କରିବେ । 

ସ୍କୁଲ ଖୋଲିବାର  ଦିନକ ପୂର୍ବରୁ ରୋଷେଇ ସ୍ଥାନକୁ ପରିଷ୍କାର କରାଯିବ ।  ପାନୀୟ ଜଳର ବ୍ୟବସ୍ଥାକୁ ମଧ୍ୟ ନିଶ୍ଚିତ କରାଯିବ । ଜିଲ୍ଲା  ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସିଆର୍‌ସିସିମାନେ  ସ୍କୁଲ ବୁଲି ମଧ୍ୟାହ୍ନର ମାନ ପରଖିବେ । ସ୍କୁଲରେ ମାନ  ପରୀକ୍ଷଣ ରେଜିଷ୍ଟର ରହିବ। ଏଥିରେ ଅଭିଭାବକ,  ସ୍କୁଲ ଶିକ୍ଷକ, ସ୍କୁଲ ପରିଚାଳନା କମିଟି ସଦସ୍ୟ ମଧ୍ୟ  ନିୟମିତ ଭାବେ ଖାଦ୍ୟ ଖାଇ ମାନ ପରଖିବେ । ଏନେଇ  ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପିଏମ୍‌ ପୋଷଣ ରାଜ୍ୟ  ପ୍ରକଳ୍ପ ପରିଚାଳନା ୟୁନିଟ୍‌ ପକ୍ଷରୁ ଚିଠି କରାଯାଇଛି ।