ବ୍ରହ୍ମପୁର,୨୭/୦୫: ବ୍ରହ୍ମପୁର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସପି ଡ଼ା. ସରବଣା ବିବେକ ଏମ, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦୀନା ଦସ୍ତଗୀର ଉପସ୍ଥିତ ରହି ସମୁଦାୟ ୩୭ଟି ଅଭିଯୋଗର ଶୁଣାଣି କରିଛନ୍ତି। ତେବେ ଖରାଦିନ ହୋଇଥିବାରୁ ସକାଳୁଆ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ସକାଳ ୭ଟା ୩୦ରୁ ଶୁଣାଣି ଆରମ୍ଭ ହୋଇ ଦିନ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା ।
ତେବେ ବ୍ରହ୍ମପୁର ସହରରେ ୱାଟକୋ ପକ୍ଷରୁ ପାଣି ମିଟର ଖର୍ଚ୍ଚ ବାବଦକୁ ମାସିକ ୫୦ଟଙ୍କା ଆଦାୟ ବନ୍ଦ କରିବାକୁ ଜଣେ ଆଇନଜୀବୀ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏହି ଜନ ଅଭିଯୋଗ ଶୁଣାଣିରେ ସାମାଜିକ ସୁରକ୍ଷା ଭତ୍ତା ଓ ରାସନ୍ କାର୍ଡ ସମ୍ବନ୍ଧୀୟ ଅଧିକ ଅଭିଯୋଗ ଆସିଥିଲା । ଅଭିଯୋଗର ତ୍ୱରିତ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ପ୍ରୋବେସନାରୀ ଆଇଏଏସ ମୃନାଲିକା ରାଠୋଡଙ୍କ ସମେତ ପ୍ରତ୍ୟେକ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ରହ୍ମପୁର ଉପଖଣ୍ଡର ସମସ୍ତ ତହସିଲଦାର ଓ ବିଡିଓ ଉପସ୍ଥିତ ଥିଲେ ।