ନୂଆଦିଲ୍ଲୀ,୨୨/୦୩ : ହାତକୁ ଦୁଇ ହାତ ହେଲେ ଦୁଇ ହକି ଖେଳାଳି । ହକି ପଡିଆରୁ ସାତ ଜନ୍ମର ସାଥୀ ହୋଇଛନ୍ତି । ଭାରତୀୟ ପୁରୁଷ ହକି ଦଳର ମନଦୀପ ସିଂହ ଓ ମହିଳା ଟିମର ଉଦିତା କୌର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ପଞ୍ଜାବ ଜଳନ୍ଧର ମଡେଲ ଟାଉନ ସ୍ଥିତ ଶ୍ରୀ ଗୁରୁଦ୍ବାରରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପର୍ଣ୍ଣ ହୋଇଛି । ହକି ଇଣ୍ଡିଆ ସୋସିଆଲ ମିଡିଆ ଏକ୍ସରେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ରିସେପସନ ପାର୍ଟି ରହିଛି ।

ହକି ପଡିଆରୁ ଜୀବନସାଥୀ- ୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ମନଦୀପ ଓ ଉଦିତାଙ୍କ ପ୍ରେମ କାହାଣୀ । ୨୦୧୮ରେ ଏସିଆ ଗେମ୍ସରେ ପରସ୍ପରକୁ ମନ ଦେଇ ବସିଥିଲେ । ବନ୍ଧୁତା ପ୍ରେମର ରୂପ ନେଇଥିଲା । ଏହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ୭ ବର୍ଷର ପ୍ରେମ ସଫଳ ହୋଇଛି । ସବୁଦିନ ପାଇଁ ଦୁହେଁ ଦୁହିଁଙ୍କ ହାତ ଧରିଛନ୍ତି । ସାତ ଜନ୍ମର ସାଥୀ ହୋଇଛନ୍ତି । 


ବିବାହ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନଦୀପ ସିଂହ କହିଛନ୍ତି, '' ମୁଁ ବହୁତ ଖୁସି ଅନୁଭବ କରୁଛି । ଶଦ୍ଦରେ ବୟାନ କରି ପାରିବି ନାହିଁ । ଆମେ ଦୁହେଁ ଭାରତ ପାଇଁ ଖେଳୁଛୁ । ଭାରତ ପାଇଁ ବେଷ୍ଟ ଦେଇ ମେଡାଲ ଜିତିବା ଆମର ସ୍ବପ୍ନ ।''

ଅଧିକ ପଢନ୍ତୁ...ଆସିଲା ଆଇପିଏଲ୍‌ ଋତୁ: ୧୩ ସହରରେ ଖେଳାଯିବ ୭୪ମ୍ୟାଚ୍‌, କେକେଆର୍‌- ଆର୍‌ସିବି ଉଦ୍‌ଘାଟନୀ ମ୍ୟାଚ୍‌

ଉଦିତାଙ୍କ କ୍ୟାରିୟର- ଭାରତୀୟ ମହିଳା ହକି ଦଳର ଡିଫେଣ୍ଡର ଉଦିତା ୨୦୧୭ରେ ସିନିୟର ଲେବଲରେ ଡେବ୍ୟୁ କରିଥିଲେ । ୨୦୧୮ରେ ଉଦିତା ଏସିଆନ୍ ଗେମ୍ସରେ ସିଲଭର, ୨୦୨୨ କମନୱେଲ୍ଥ ଗେମ୍ସରେ ବ୍ରୋଞ୍ଚ ଓ ୨୦୨୩ ଏସିଆ ଚାମ୍ପିଅନ୍ସ ଟ୍ରଫିରେ ଗୋଲ୍ଡ ମେଡାଲ ଜିତିଥିବା ଦଳରେ ସାମିଲ ଥିଲେ । ୨୦୨୧ରେ ଟୋକିଓ ଅଲମ୍ପିକ୍ସରେ ଭାରତକୁ ଐତିହାସିକ ଚତୁର୍ଥ ସ୍ଥାନ ଦେବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଉଦିତା । ଗତବର୍ଷ ମହିଳା ହକି ଇଣ୍ଡିଆ ଲିଗରେ ସେ ଦାମୀ ଖେଳାଳି ଥିଲେ । ଅନ୍ତର୍ଜାତୀୟ ସ୍ଥରରେ ମଧ୍ୟ ଉଦିତାଙ୍କର ବହୁତ ଭଲ ପ୍ରଦର୍ଶନ ରହିଛି ।