ନୂଆଦିଲ୍ଲୀ,୩୦।୭: ଆଇସିସି ପକ୍ଷରୁ ତାଜା ରାଙ୍କିଙ୍ଗ ଜାରି ହୋଇଛି। ଭାରତର ଷ୍ଟାର ଓପନର ଅଭିଷେକ ଶର୍ମା ଟ୍ରାଭିସ୍ ହେଡଙ୍କୁ ପଛରେ ପକାଇ ଟି-୨୦ରେ ନମ୍ବର ୱାନ୍ ବ୍ୟାଟର ହୋଇଛନ୍ତି। ହେଡ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ସିରିଜ୍ ନ ଖେଳିବା ଯୋଗୁଁ ତାଙ୍କ ରାଙ୍କିଙ୍ଗରେ କ୍ଷତି ହୋଇଛି। ସେ ଗୋଟିଏ ସ୍ଥାନ ଖସି ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ଏହା ଅଭିଷେକଙ୍କ କ୍ୟାରିୟରର ସର୍ବୋତ୍ତମ ରାଙ୍କିଙ୍ଗ।
କେବଳ ସେତିକି ନୁହେଁ ଟେଷ୍ଟ ଓ୍ବାନଡେ ଓ ଟି-୨୦ ତିନୋଟି ଫର୍ମାଟର ତିନୋଯି ଶ୍ରେଣୀ(ବ୍ୟାଟର, ବୋଲର ଓ ଅଲରାଉଣ୍ଡର)ଙ୍କୁ ମିଶାଇ ମୋଟ ୯ଟି ରାଙ୍କିଙ୍ଗରୁ ୫ଟିରେ ଭାରତୀୟ ଖେଳାଳିଙ୍କ ଦବଦବା ରହିଛି। ଅଭିଷେକଙ୍କ ବ୍ୟତୀତ ଶୁଭମନ ଗିଲ୍ ଓ୍ବାନଡେ୍ର ଏକ ନମ୍ବର ବ୍ୟାଟର ହୋଇଛନ୍ତି। ସେଭଳି ଜସପ୍ରୀତ ବୁମରାହ ଟେଷ୍ଟ ବୋଲରଙ୍କ ଭିତରେ ନମ୍ବର ଏକ ସ୍ଥାନରେ ଅଛନ୍ତି। ଏହାଛଡା ଟିମ୍ ରାଙ୍କିଙ୍ଗରେ ଭାରତ ଓ୍ବାନଡେ ଓ ଟି-୨୦ରେ ଶୀର୍ଷ ସ୍ଥାନରେ ରହିଛି। ଟେଷ୍ଟରେ ଅଷ୍ଟ୍ରେଲିଆ ଏକ ନମ୍ବର ରହିଛି।

ବାମହାତୀ ବ୍ୟାଟର ଅଭିଷେକ ଏବେ ୮୨୯ ରେଟିଂ ପଏଣ୍ଟରେ ଅଛନ୍ତି। ସେଭଳି ହେଡ୍ ୮୧୪ ରେଟିଂ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅଭିଷେକ ଏପର୍ଯ୍ୟନ୍ତ ଭାରତ ପାଇଁ ୧୭ଟି ଟି୨୦ ମ୍ୟାଚ୍ରେ ୩୩.୪ ଆଭରେଡ୍ ଓ ୧୯୩.୮୫ ଷ୍ଟ୍ରାଇକ୍ ରେଟ୍ରୁ ୫୩୫ ରନ୍ କରିଛନ୍ତି। ତା ଭିତରେ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି। ଏହାଛଡା ସେ ୬ ଓ୍ବିକେଟ ମଧ୍ୟ ନେଇସାରିଛନ୍ତି। ଅଭିଷେକଙ୍କୁ ଆଗାମୀ ସମୟରେ ଷ୍ଟାର ବୋଲି ମନେକରାଯାଉଛି। ଏହି ବିସ୍ଫୋରକ ଓପନରଙ୍କ ପାଖରେ ସବୁ ପ୍ରକାର ସଟସ୍ ରହିଛି। ବର୍ତ୍ତମାନ ଟି-୨୦ ରେ ଭାରତର ସଫଳତା ପଛରେ ତାଙ୍କର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିଛି। ସେହି ସମୟରେ, ଜାଡେଜା ICC ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଥିବା ବାଂଲାଦେଶର ମେହେଦି ହାସନ ମିରାଜଙ୍କଠାରୁ ୧୧୭ ରେଟିଂ ପଏଣ୍ଟର ଆଗୁଆ ହୋଇଛନ୍ତି। ICC ଏହାର ୱେବସାଇଟରେ ଜାରି ଏକ ବିବୃତ୍ତିରେ କହିଛି, 'ଜାଡେଜା ଅପରାଜିତ ୧୦୭ ରନ ଏବଂ ଚାରିଟି ୱିକେଟ ନେଇ ଅଲରାଉଣ୍ଡର ରାଙ୍କିଙ୍ଗରେ ଆଗୁଆ ଅଛନ୍ତି। ସେ ୧୩ ରେଟିଂ ପଏଣ୍ଟ ହାସଲ କରିଛନ୍ତି ଏବଂ ମୋଟ ୪୨୨ ପଏଣ୍ଟ ସହିତ, ସେ ବାଂଲାଦେଶର ମେହେଦି ହାସନ ମିରାଜଙ୍କଠାରୁ ୧୧୭ ପଏଣ୍ଟ ଆଗରେ ଅଛନ୍ତି।'

ବ୍ୟାଟରଙ୍କ ରାଙ୍କିଙ୍ଗରେ ଜାଡେଜା ପାଞ୍ଚଟି ସ୍ଥାନ ଉପରକୁ ଉଠି ୨୯ତମ ସ୍ଥାନରେ ଏବଂ ବୋଲରଙ୍କ ମଧ୍ୟରେ ଗୋଟିଏ ସ୍ଥାନ ଆଗକୁ ଯାଇ ୧୪ ତମ ସ୍ଥାନରେ ପହଞ୍ଚିଛନ୍ତି। ୱାଶିଂଟନ ସୁନ୍ଦର ଟେଷ୍ଟ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଆଠଟି ସ୍ଥାନ ଉପରକୁ ଉଠି ୬୫ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟରେ ଜାଡେଜାଙ୍କ ସହିତ ପଞ୍ଚମ ୱିକେଟ ପାଇଁ ୨୦୩ ରନର ପାର୍ଟନରସିପ୍ କରିଥିଲେ ଏବଂ ଟେଷ୍ଟ ଡ୍ର ରଖିଥିଲେ। ICC କହିଛି, 'ସୁନ୍ଦର ଅଲରାଉଣ୍ଡରଙ୍କ ତାଲିକାରେ ଆଠଟି ସ୍ଥାନ ଉପରକୁ ଉଠି ୧୩ ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ମ୍ୟାଚ୍ ରେ ଦୁଇଟି ୱିକେଟ ମଧ୍ୟ ନେଇଥିଲେ।'
ଟେଷ୍ଟ କ୍ରିକେଟରେ ଜୋ ରୁଟ୍ ଶୀର୍ଷ ବ୍ୟାଟର ଅଛନ୍ତି। ସେଭଳି ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମ୍ସନ୍ ଦ୍ୱିତୀୟ ଏବଂ ଇଂଲଣ୍ଡର ହ୍ୟାରି ବ୍ରୁକ୍ ତୃତୀୟ ସ୍ଥାନରେ ଅଛନ୍ତି। ଇଂଲଣ୍ଡର ବେନ୍ ଡକେଟ ମଧ୍ୟ ତାଙ୍କ ରାଙ୍କିଙ୍ଗରୁ ଉନ୍ନୀତ ହୋଇ ଦଶମ ସ୍ଥାନରେ ପହଞ୍ଚିଛନ୍ତି। ସେଭଳି ଜ୍ୟାକ୍ କ୍ରାଉଲି ୪୩ତମ ସ୍ଥାନରେ ପହଞ୍ଚିଛନ୍ତି। ରୁଟ୍ ଟେଷ୍ଟ ରାଙ୍କିଂରେ ଦ୍ୱିତୀୟ ସ୍ଥାନରେ ଥିବା ୱିଲିୟମ୍ସନ୍ ଠାରୁ ୩୭ ରେଟିଂ ପଏଣ୍ଟର ଅଗ୍ରଣୀ ହାସଲ କରିଛନ୍ତି। ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟେଷ୍ଟ ଅଲରାଉଣ୍ଡରଙ୍କ ତାଲିକାରେ ତିନି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି, ଯାହା ଡିସେମ୍ବର ୨୦୨୨ ପରଠାରୁ ତାଙ୍କର ସର୍ବୋଚ୍ଚ ରାଙ୍କିଙ୍ଗ ବୋଲି କୁହାଯାଉଛି। ମାଞ୍ଚେଷ୍ଟରରେ ଇଂଲଣ୍ଡର ଏକମାତ୍ର ଇନିଂସରେ ରୁଟ୍ ୧୫୦ ରନର ଚମତ୍କାର ଇନିଂସ ଖେଳିଥିଲେ। ସେଭଳି ଷ୍ଟୋକ୍ସ ପାଞ୍ଚଟି ୱିକେଟ ନେବା ସହିତ ୧୪୧ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ବୋଲରମାନଙ୍କ ମଧ୍ୟରେ ଚାରି ବର୍ଷ ପରେ ଟେଷ୍ଟ ଦଳକୁ ଫେରିଥିବା ଜୋଫ୍ରା ଆର୍ଚର ୩୮ ସ୍ଥାନ ଉପରକୁ ଉଠି ୬୩ତମ ରାଙ୍କିଙ୍ଗରେ ପହଞ୍ଚିଛନ୍ତି। କ୍ରିସ୍ ୱକ୍ସ ଗୋଟିଏ ସ୍ଥାନ ଉପରକୁ ଉଠି ୨୩ତମ ରାଙ୍କିଙ୍ଗରେ ପହଞ୍ଚିଛନ୍ତି।