ଭୁବନେଶ୍ୱର,୧୨।୧୧ : ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଅନେକ ପ୍ରମୁଖ ରେଳ ସେକ୍ସନରେ ୨ X୨୫ କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀର ପ୍ରବର୍ତ୍ତନ କରିବା ସହ ଏହାର ବିଦ୍ୟୁତିକରଣ ଭିତ୍ତିଭୂମି ବୃଦ୍ଧି କରିବାକୁ ସ୍ଥିର କରିଛି । ଏହି ପଦକ୍ଷେପ ଭୋଲଟେଜ୍ ନିୟନ୍ତ୍ରଣରେ ଉନ୍ନତି ଆଣିବା, ସେମି-ହାଇ ସ୍ପିଡ୍ ଟ୍ରେନ୍ ଚଳାଚଳ ପାଇଁ ସୁଗମ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ଏବଂ ଅଧିକ କ୍ଷମତା ସମ୍ପନ୍ନ ପଣ୍ୟବାହୀ ଟ୍ରେନ୍ଗୁଡ଼ିକର ବର୍ଦ୍ଧିତ ଚଳାଚଳକୁ ସକ୍ଷମ କରିବା ପାଇଁ ଉଦ୍ଦିଷ୍ଟ ।
୩ ହଜାର ନିୟୁତ ଟନ ପଣ୍ୟ ବୋଝେଇ କ୍ଷମତା ହାସଲ କରିବା ଏବଂ ହାଇ ସ୍ପିଡ୍ ଟ୍ରେନର ଚଳାଚଳ ଦକ୍ଷତାକୁ ପ୍ରୋତ୍ସାହନ କରିବା ପାଇଁ ରେଳ ବୋର୍ଡର ଲକ୍ଷ୍ୟ ଅନୁଯାୟୀ,ବର୍ତ୍ତମାନ ୧X୨୫ କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀକୁ ଅଧିକ ଦୃଢ଼ୀଭୁତ କରାଇବା ପାଇଁ ୨X୨୫ କେଭି ପ୍ରଣାଳୀକୁ ଉନ୍ନତ କରାଯିବ । ବର୍ଦ୍ଧିତ ଟ୍ରେନ ଚଳାଚଳ ଚାପର ଚାହିଦା ପୂରଣ କରିବା ଏବଂ ରେଳ ନେଟୱାର୍କରେ ଏକ ସଠିକ୍ ଭୋଲଟେଜ୍ ସ୍ତରର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ପାଇଁ ଏହି ଉନ୍ନତିକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
୨ X ୨୫ କେଭି ପ୍ରଣାଳୀ ଏକ ଉଚ୍ଚ ସ୍ତରରେ ( ୫୦ କେଭି) ରେ ଥିବା ଭୋଲଟେଜ୍ ବଣ୍ଟନ କରି ଏବଂ ୨୫ କେଭି ରେ ଟ୍ରେନ୍ ଚଳାଚଳ ପାଇଁ ଶକ୍ତି ଯୋଗାଇବାରେ କାର୍ଯ୍ୟ କରେ । ୫୦ କେଭି ଟ୍ରାନ୍ସଫର୍ମର ବ୍ୟବହାର କରି ଟ୍ରାକ୍ସନ୍ ସବ୍-ଷ୍ଟେସନ୍ ( ଟିଏସଏସ) ରୁ ବିଦ୍ୟୁତ୍ ଯୋଗାଇ ଏହା କାର୍ଯ୍ୟକାରୀ କରିଥାଏ ଏବଂ ମଧ୍ୟବର୍ତ୍ତୀ ଅଟୋଟ୍ରାନ୍ସଫର୍ମର୍ସ ଟ୍ରେନ ଇଞ୍ଜିନକୁ ୨୫ କେଭି ଶକ୍ତି ସଞ୍ଚାରିତ କରିଥାଏ | ଏହି ପ୍ରଣାଳୀ ଉନ୍ନତ ଭୋଲଟେଜ୍ ନିୟନ୍ତ୍ରଣ ସୁନିଶ୍ଚିତ କରେ, ଟିଏସଏସ ରୁ ରେଳ ସେକ୍ସନ ଏବଂ ସମାନ୍ତରାଳ ପୋଷ୍ଟଗୁଡିକର ଦୂରତମ ସୀମା ପର୍ଯ୍ୟନ୍ତ ବିସ୍ତାର କରେ । ବର୍ଦ୍ଧିତ ଭୋଲଟେଜ୍ ସ୍ଥିରତା ପ୍ରଦାନ କରିବା ସହିତ, ଉନ୍ନତିକରଣ ନୂତନ ପ୍ରଣାଳୀ ବୃଦ୍ଧି ପାଉଥିବା ଟ୍ରାକ୍ସନ୍ ଲୋଡ୍ କୁ ସମର୍ଥନ କରିପାରିବ, ଉଭୟ ସେମି-ହାଇ ସ୍ପିଡ୍ ଯାତ୍ରୀବାହୀ ଟ୍ରେନ୍ ଏବଂ ଭାରୀ ପଣ୍ୟବାହୀ ଟ୍ରେନର ସୁଗମ ଚଳାଚଳ ସୁନିଶ୍ଚିତ କରିବ |
ଏହି ପଦକ୍ଷେପର ଏକ ଅଂଶ ଭାବରେ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଏବେ ରେଳ ସେକ୍ସନ ମାନଙ୍କରେ ୧X୨୫ କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀ ପ୍ରଚଳିତ ଥିବାବେଳେ ଏହାର କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରାଯାଇ ୨X୨୫ କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀରେ ରୂପାନ୍ତର କରିବାକୁ ଯୋଜନା କରିଛି । ଏହି ରେଳ ସେକ୍ସନ ଗୁଡିକ ହେଲା ଭଦ୍ରକ-ଖୋର୍ଦ୍ଧା ରୋଡ୍ , ପଲାସା-ବିଜୟନଗରମ୍ , କଟକ-ପାରାଦୀପ , କଟକ-ତାଳଚେର-ଅନୁଗୁଳ, ବିଜୟନଗରମ୍-ରାୟଗଡା |
୨X୨୫ କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀ ଉନ୍ନତ କାର୍ଯ୍ୟ ପୂର୍ବତଟ ରେଳପଥର ନିର୍ମାଣ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି । କଟକ-ପାରାଦୀପ ଏବଂ କଟକ-ତାଳଚେର ରେଳ ସେକ୍ସନରେ ଏହି ପ୍ରଣାଳୀର କାର୍ଯ୍ୟକାରିତା ପାଇଁ ଟେଣ୍ଡର ଆମନ୍ତ୍ରିତ ହୋଇସାରିଛି ଯାହାକି ଡିସେମ୍ବର ୨୦୨୪ ରେ ଟେଣ୍ଡର ଖୋଲାଯିବ ଏବଂ ମାର୍ଚ୍ଚ ୨୦୨୭ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ।
ସ୍ଥିରତା ଏବଂ ସବୁଜ ଶକ୍ତି ପାଇଁ ପୂର୍ବତଟ ରେଳପଥର ପ୍ରତିବଦ୍ଧତା ସହିତ ଏହି ଉନ୍ନତିକରଣ କାର୍ଯ୍ୟ ମଧ୍ୟ ସମକକ୍ଷ ହୋଇଛି । ୨X୨୫ କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀକୁ ପରିବର୍ତ୍ତନ, ବିଦ୍ୟୁତ ଚାଳିତ ଟ୍ରେନକୁ ପ୍ରୋତ୍ସାହିତ କରି ଜୀବାଶ୍ମ ଇନ୍ଧନ ଉପରେ ରେଳ ନେଟୱାର୍କର ନିର୍ଭରଶୀଳତାକୁ ହ୍ରାସ କରିବାରେ ସହାୟକ ହେବ । ଏହି ପଦକ୍ଷେପ ଶକ୍ତି ଦକ୍ଷତାକୁ ଆହୁରି ବୃଦ୍ଧି କରାଇବ ଯାହାକି ଡିଜେଲ ତୁଳନାରେ ବୈଦୁତିକ ଟ୍ରାକ୍ସନ୍ ଅଧିକ ପରିବେଶ ଅନୁକୂଳ, ନିର୍ଗମନ ଏବଂ କାର୍ବନ ସ୍ତରକୁ ହ୍ରାସ କରିଥାଏ | ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଭାରତର ବ୍ୟାପକ ରଣନୀତିର ଏକ ଅଂଶ ଭାବରେ ଏହି ପଦକ୍ଷେପ କେବଳ କାର୍ଯ୍ୟକ୍ଷମ ଦକ୍ଷତାକୁ ଉନ୍ନତ କରିବ ନାହିଁ ବରଂ ୨୦୩୦ ସୁଦ୍ଧା ପରିବହନ କ୍ଷେତ୍ରରେ ନେଟ-ଶୂନ କାର୍ବନ ନିର୍ଗମନ ହାସଲ କରିବାରେ ଦେଶର ଲକ୍ଷ୍ୟରେ ସହାୟକ ହେବ |