ନୂଆଦିଲ୍ଲୀ,୩୦/୦୩: ଯେତେବେଳେ ଆପଣ ବସ୍‌ କିମ୍ବା ଟ୍ରେନ୍‌ରେ ଯାତ୍ରା କରନ୍ତି କିମ୍ବା ରେସ୍ତୋରାଁରେ ପରିବାର ସଦସ୍ୟଙ୍କ ସହ ଡିନର୍‌ରେ ଯାଆନ୍ତି, ଅଧିକାଂଶ ଲୋକ ମୁଣ୍ଡ ତଳକୁ କରି ବସିଥିବା ଆପଣଙ୍କ ନଜରରେ ପଡ଼ିବ । ଏମାନଙ୍କ ହାତରେ ସ୍ମାର୍ଟଫୋନ୍‌ ଥାଏ । ସାମ୍ପ୍ରତିକ ଆର୍ଥିକ ମାନ୍ଦାବସ୍ଥା ପାଇଁ ଆଲୋଚକମାନେ ସରକାରଙ୍କୁ ଦୋଷ ଦେଉଛନ୍ତି । ଭାରତର ବୃଦ୍ଧି ୪ ବର୍ଷର ନିମ୍ନ ସ୍ତରକୁ ଖସିବାକୁ ଯାଉଥିବାବେଳେ ସ୍ମାର୍ଟଫୋନ୍‌ ଉପଭୋକ୍ତାଙ୍କ ସଂଖ୍ୟା କମିବାର କୌଣସି ସଙ୍କେତ ଦେଖାଯାଉ ନାହିଁ । ବରଂ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଓ ବ୍ୟବସାୟକୁ ଅଧିକ ଉପାର୍ଜନରେ ସହାୟକ ହେଉଛନ୍ତି । ଇଣ୍ଟର୍‌ନେଟ୍‌କୁ ଦ୍ରୁତ ଆପଣାଉଥିବା ଦେଶରେ ପ୍ରାୟ ପ୍ରତିଦିନ ଲୋଭନୀୟ ଅଫର୍‌ ସହିତ ସ୍ମାର୍ଟଫୋନ୍‌ ଉପଲବ୍ଧ ହେଉଛି । ଇ-କମର୍ସ କମ୍ପାନିମାନେ ମଧ୍ୟ ପ୍ରତି ମାସ ସେଲ୍‌-ସିଜନ୍‌ ଆରମ୍ଭ କରୁଛନ୍ତି । ନୂଆ ତଥ୍ୟ ଅନୁସାରେ, ଭାରତୀୟମାନେ ଟ୍ରିଲିଅନ୍‌ ଘଣ୍ଟାରୁ ଅଧିକ ସମୟ ସ୍ମାର୍ଟଫୋନ୍‌ ସହ ବିତାଇଛନ୍ତି । ଏହାର ଲାଭ ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟ୍‌ଫର୍ମ ଉଠାଉଛନ୍ତି । ଇଣ୍ଟରନେଟ୍‌ ଡାଟା ବିକ୍ରି ନିମନ୍ତେ ଭାରତ ଏକ ସୁନା ଖଣି ପାଲଟିଛି ।

 ବିଶ୍ୱର ସର୍ବାଧିକ ଜନସଂଖ୍ୟାବିଶିଷ୍ଟ ଏହି ଦେଶର ଲୋକେ ନିଜର ସ୍ମାର୍ଟଫୋନ୍‌ ସହ ଅଠା ଭଳି ଲାଗି ରହୁଛନ୍ତି । ଭାଇରାଲ ଭିଡିଓ ଓ ଅସ୍କାର ବିଜେତାଙ୍କୁ ଦେଖିବାଠୁ ଅନ୍ତର୍ଜାତୀୟ ଯାତ୍ରା ଟିକଟ୍‌ ବୁକ୍‌ ପର୍ଯ୍ୟନ୍ତ, ସବୁକିଛି ସ୍ମାର୍ଟଫୋନ୍‌ ମାଧ୍ୟମରେ କରୁଛନ୍ତି । ଇୱାଇ (ଅର୍ନଷ୍ଟ ଆଣ୍ଡ୍‌ ୟଙ୍ଗ୍‌) ଅନୁସାରେ, ୨୦୨୪ ମସିହାରେ ଭାରତୀୟ ୧.୧ ଲକ୍ଷ କୋଟି ଘଣ୍ଟା ସ୍ମାର୍ଟଫୋନ୍‌ ଦେଖିବାରେ ବିତାଇଛନ୍ତି । ଶସ୍ତାରେ ଇଣ୍ଟର୍‌ନେଟ୍‌ ଉପଲବ୍ଧ ହେଉଥିବାରୁ ଇନ୍‌ଷ୍ଟାଗ୍ରାମ୍‌ଠୁ ଆରମ୍ଭ କରି ନେଟ୍‌ଫ୍ଲିକ୍ସ ଭଳି ପ୍ଲାଟ୍‌ଫର୍ମର ମଜା ନେଇଛନ୍ତି । ଭାରତୀୟମାନେ ଦିନକୁ ହାରାହାରି ୫ ଘଣ୍ଟା ମୋବାଇଲ୍‌ ସ୍କ୍ରିନ୍‌ରେ ସମୟ ବିତାଇଛନ୍ତି । ତନ୍ମଧ୍ୟରୁ ୭୦ ପ୍ରତିଶତ ସମୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଗେମିଂ ଓ ଭିଡିଓ ଦେଖିବାରେ ବିତାଇଛନ୍ତି । ଗୁରୁବାର ପ୍ରକାଶିତ ନିଜର ବାର୍ଷିକ ମନୋରଞ୍ଜନ ରିପୋର୍ଟରେ ଇୱାଇ ଏହା ସ୍ପଷ୍ଟ କରିଛି । ଏହା ପ୍ରଥମ ଥର ଟେଲିଭିଜନ୍‌କୁ ପଛରେ ଛାଡ଼ି ଡିଜିଟାଲ ଚ୍ୟାନେଲ୍‌ମାନଙ୍କୁ ୨୦୨୪ରେ ଭାରତର ୨.୫ ଲକ୍ଷ କୋଟିର ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗର ଏକ ବିଶାଳ ଖଣ୍ଡ କରିଛି । ମୋବାଇଲ ଫୋନ୍‌ରେ ଭାରତୀୟ ଦୈନିକ ବିତାଇଥିବା ସମୟ ଇଣ୍ଡୋନେସିଆ ଓ ବ୍ରାଜିଲ ପରେ ୩ୟ ସ୍ଥାନରେ ଅଛି । 

ଏହି ମିଳିତ ସମୟ ବିଶ୍ୱସ୍ତରରେ ସବୁଠୁ ବଡ଼ ବଜାର ସୃଷ୍ଟି କରୁଛି, ଯାହା ପାଇଁ ମେଟା ଓ ଆମାଜନ୍‌ଠୁ ଆରମ୍ଭ କରି ମୁକେଶ ଅମ୍ବାନି ଓ ଏଲନ ମସ୍କଙ୍କ ଭଳି ବିଜ୍‌ନେସ୍‌ ଟାଇକୁନ୍‌ ଲଢ଼େଇ କରୁଛନ୍ତି । କଲେକ୍ଟିଭ୍‌ ଆର୍ଟିଷ୍ଟ୍‌ସ ନେଟ୍‌ୱର୍କର ବିଗ୍‌ ବ୍ୟାଙ୍ଗ୍‌ ସୋସିଆଲର ସିଇଓ ଏବଂ ଚିଫ୍‌ ରେଭିନ୍ୟୁ ଅଫିସର ସୁଦୀପ ସୁଭାଷ କହିଛନ୍ତି, ଭାରତୀୟମାନେ ଗତ ବର୍ଷ ସର୍ବାଧିକ ସମୟ ସେମାନଙ୍କ ଫୋନ୍‌ରେ ବିତାଇଛନ୍ତି । ସେଥିପାଇଁ ଗ୍ରାହକଙ୍କ ସହ ଯୋଡ଼ିହେବାକୁ ବ୍ୟବସାୟୀମାନେ ବଡ଼ ପରିବର୍ତ୍ତନ କରିଛନ୍ତି । ସୋସିଆଲ ମିଡିଆ, ଭିଡିଓ, ଗେମ୍‌ରେ ଲୋକେ ଅଧିକ ସ୍ମାର୍ଟଫୋନ୍‌ ସହ ଯୋଡ଼ିହୋଇ ରହୁଥିବାରୁ ବ୍ୟବସାୟ ଏହି ଦିଗକୁ ଅଧିକ ଢଳୁଛି । ବିଲ୍‌ବୋର୍ଡ ଓ ଟିଭି ବିଜ୍ଞାପନ ବଦଳରେ ବ୍ରାଣ୍ଡ୍‌ଗୁଡ଼ିକ ଏବେ ଡିଜିଟାଲ କ୍ୟାମ୍ପେନ୍‌ରେ ଅର୍ଥ ଲଗାଉଛନ୍ତି ଯେଉଁଥିରେ ଲୋକେ ବାସ୍ତବରେ ଯୋଡ଼ି ହେଉଛନ୍ତି । ଇୱାଇ ଭାରତର ମିଡିଆ ଓ ମନୋରଞ୍ଜନ କ୍ଷେତ୍ରର ମୁଖ୍ୟ ଆଶିଷ ଫେରୱାନି କହିଛନ୍ତି, ଦେଶ ଡିଜିଟାଲ ମୋଡ଼ରେ ପହଞ୍ଚିଛି । ଆଗାମି ଦିନରେ ଉଦ୍ୟୋଗରେ ନୂଆ ବିଜ୍‌ନେସ ମଡେଲ ଓ ପାର୍ଟନରସିପ୍‌ ଦେଖିବାକୁ ମିଳିବ ।