କର୍ଲାମୁଣ୍ଡା,୧୩/୦୬: କଳାହାଣ୍ଡି ଜିଲ୍ଲା ମ. ରାମପୁର, ରିଷିଡା ଓ କର୍ଲାମୁଣ୍ଡା ପୂର୍ତ୍ତ ରାସ୍ତା କାମ ଗତ ବର୍ଷ ଆରମ୍ଭ ହୋଇଥିଲା । ହେଲେ ରିଷିଡା ହାଇସ୍କୁଲ ଛକ ଠାରୁ ଗାଁ ଶେଷମୁଣ୍ଡ ପର୍ଯ୍ୟନ୍ତ କାମ ନକରି ଛାଡି ଦିଆଯାଇଥିଲା । ଫଳରେ ରିଷିଡା ମାର୍କେଟ ତଥା କର୍ଲାମୁଣ୍ଡାକୁ ଯାଉଥିବା ବ୍ୟସ୍ତବହୁଳ ରାସ୍ତାରେ ପାଣି ଜମି ରହୁଥିଲା । ଏହି ସମସ୍ୟା ବିଷୟରେ ସ୍ଥାନୀୟଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ରାସ୍ତା କାମ ପରେ ହେବ କହି ଦିନ ଗଡ଼ାଇ ଦେଉଥିଲେ ବିଭାଗୀୟ ଅଧିକାରୀ ।
ତେବେ ଏନେଇ ଲୋକେ ସ୍ଥାନୀୟ MLA ମନୋରମା ମହାନ୍ତି ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । MLAଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଠିକାଦାର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ କାମ ଆରମ୍ଭ କରିଛନ୍ତି । ଫଳରେ ଲୋକେ MLAଙ୍କ ତତ୍କାଳ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।