ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ଏବଂ ଏକ୍ସକୁ ଭର୍ତ୍ସନା କରିଛନ୍ତି ଭାରତ ସରକାର । ବିମାନରେ ବୋମା ଥିବା ନେଇ ମିଳୁଥିବା ମିଥ୍ୟା କଲ୍ ମାମଲାରେ ତଦନ୍ତ ଲାଗି ମେଟା ଏବଂ ଏକ୍ସ ସହଯୋଗ କରୁନଥିବା ଅଭିଯୋଗ ହୋଇଛି ।  ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅନୁସାରେ ଭାରତୀୟ ବିମାନକୁ ଲଗାତାର ଭାବେ ବୋମା ଧମକ ମିଳିବା ପରେ ଯାତ୍ରୀ, ବିମାନ କମ୍ପାନି ସମେତ ସମ୍ପୃକ୍ତ ବିଭାଗ ଚିନ୍ତାରେ ପଡ଼ି ଯାଇଛନ୍ତି । ଏହାର ତୁରନ୍ତ ସମାଧାନ ପାଇଁ ଘନ ଘନ ବୈଠକ ବସୁଛି । 

 ବୁଧବାର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ବିମାନ ସେବା ତଥା ସୋସିଆଲ ମିଡିଆ ପ୍ଲାଟଫର୍ମର ଅଧିକାରୀମାନେ ଏକ୍ସ ଏବଂ ମେଟା ସହ ଏକ ଭର୍ଚୁଆଲ୍ ବୈଠକ କରିଥିଲେ। ଏହି ବୈଠକରେ ସୋସିଆଲ ମିଡିଆ ପ୍ଲାଟଫର୍ମର ଅସହଯୋଗକୁ ନେଇ ଭର୍ତ୍ସନା କରିଛି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ । ମିଥ୍ୟା ଧମକ ପଠାଉଥିବା ୟୁଜର ହ୍ୟାଣ୍ଡେଲ ବାବଦରେ ପ୍ଲାଟଫର୍ମଗୁଡ଼ିକ ସମ୍ପୂର୍ଣ୍ଣ ବିବରଣୀ ଶେୟାର କରିବାକୁ ଅନିଚ୍ଛା ପ୍ରକାଶ କରୁଥିବାରୁ ଭାରତ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ ପ୍ଲାଟଫର୍ମଗୁଡିକର ଏପରି କାର୍ଯ୍ୟକଳାପ ଅପରାଧକୁ ପ୍ରୋତ୍ସାହିତ କରିବା ସହ ସମାନ ବୋଲି ଭାରତ ସରକାର କହିଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ଭାରତୀୟ ବିମାନଗୁଡ଼ିକୁ କଲ୍ କିମ୍ବା ସୋସିଆଲ ମିଡିଆ ପୋଷ୍ଟରେ ମିଛ ଧମକ ମିଳୁଛି । ବିମାନରେ ବୋମା ଥିବା ନେଇ ଧମକ ଦେଉଛନ୍ତି ଦୁର୍ବୃତ୍ତ । ଫଳରେ ବିମାନ କମ୍ପାନିଗୁଡ଼ିକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି । ଯାତ୍ରୀମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାମାଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କ ସୋସିଆଲ ମିଡିଆ ଆଇଡିର ସବିଶେଷ ତଥ୍ୟ ମାଗିଥିଲା । କିନ୍ତୁ ଏଥିରେ ମେଟା କିମ୍ବା ଏକ୍ସ ପୂର୍ଣ୍ଣ ସହଯୋଗ କରୁନଥିବାରୁ ଭାରତ ସରକାର ଏସବୁ ପ୍ଲାଟଫର୍ମକୁ ସମାଲୋଚନା କରିଛନ୍ତି ।