ଝାରସୁଗୁଡ଼ା,୦୧/୧୦: ପଡ଼ୋଶୀ  ଛତିଶଗଡ଼ ରାଜ୍ୟରେ ଓଡ଼ିଆ ଭାଷାକୁ ଦ୍ୱିତୀୟ  ମାତୃଭାଷାର ମାନ୍ୟତା ପ୍ରଦାନ ଦିଗରେ  ସେଠିକାର ସରକାରୀସ୍ତରରେ ଉଦାସୀନତା  ଲାଗି ରହିଛି । ଗତ ୨୦୧୯ ମସିହାରେ  ହାଇକୋର୍ଟରେ ଦାୟର ଏକ ମାମଲାକୁ ନେଇ  ଛତିଶଗଡ଼ ରାଜ୍ୟ ସରକାର ଓଡ଼ିଆ ଭାଷାକୁ  ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ସ୍ତରରେ ପାଠ୍ୟକ୍ରମରେ ସ୍ଥାନ ଦେବା ଲାଗି  ହାଇକୋର୍ଟକୁ ଆଶ୍ୱାସନା ଦେଇଥିଲେ ।  ଯାହାକୁ ନେଇ ଛତିଶଗଡ଼ରେ ରହୁଥିବା  ଓଡ଼ିଆଙ୍କ ମଧ୍ୟରେ ଖୁସି ସଞ୍ଚାର ହୋଇଥିଲା ।  ମାତ୍ର ପରବର୍ତ୍ତୀ ସମୟରେ ସରକାର ଏହି  ଆଶ୍ୱାସନାକୁ ସମ୍ପୂର୍ଣ୍ଣ ଭୁଲିଗଲେ । ଯାହାକୁ  ନେଇ ଛତିଶଗଡ଼ରେ ଓଡ଼ିଆ ଭାଷାର  ଭବିଷ୍ୟତ ସଙ୍କଟ ଘେରକୁ ଟାଣି ହୋଇଯାଇଛି । 

ରାୟଗଡ଼ ଜିଲ୍ଲା ପଢ଼ିଗାଁର ଅବସରପ୍ରାପ୍ତ  ପ୍ରଧାନ ଶିକ୍ଷକ ସ୍ୱର୍ଗତ ପ୍ରେମ ଶଙ୍କର ପଣ୍ଡା  ଛତିଶଗଡ଼ ସରକାରଙ୍କ ପାଖରେ ଓଡ଼ିଆ  ଭାଷାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ  ଦାବି କରିଥିଲେ । ଏନେଇ ଏକ ଜନସ୍ୱାର୍ଥ  ମାମଲା ମଧ୍ୟ ଛତିଶଗଡ଼ ହାଇକୋର୍ଟରେ  ଦାୟର କରିଥିଲେ । ମାମଲାର ଶୁଣାଣି  ବେଳେ ଛତିଶଗଡ଼ ସରକାର ନିଜ ଆଡ଼ୁ  ଓଡ଼ିଆ ଭାଷାକୁ ସ୍କୁଲ ପାଠ୍ୟକ୍ରମରେ  ସାମିଲ ନେଇ ବିଚାର କରାଯିବା ସହ  ପଦକ୍ଷେପ ନିଆଯିବ ବୋଲି ହାଇକୋର୍ଟଙ୍କୁ  ଜଣାଇଥିଲେ । ଛତିଶଗଡ଼ ଓଡ଼ିଆ ଭାଷାଭାଷୀ  ଅଞ୍ଚଳରେ ରହୁଥିବା ପ୍ରାୟ ଦଶ ଲକ୍ଷରୁ  ଅଧିକ ଓଡ଼ିଆଙ୍କ ମଧ୍ୟରେ ଏହି ଖବର  ସେ ସମୟରେ ଖୁସି ସଞ୍ଚାର କରିଥିଲା । 

ଓଡ଼ିଶାରେ ଏବେ ଡବଲ ଇଞ୍ଜିନ  ସରକାର ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼  ରାଜ୍ୟରେ ମଧ୍ୟ ବିଜେପି ସରକାର ଥିବାରୁ  ଓଡ଼ିଆ ଭାଷାକୁ ଛତିଶଗଡ଼ରେ ଦ୍ୱିତୀୟ  ମାତୃଭାଷାର ମାନ୍ୟତା ପ୍ରଦାନ ଦିଗରେ  ନୂତନ ଆଶା ସଞ୍ଚାର ହୋଇଛି ବୋଲି କହିଛନ୍ତି  ଉତ୍କଳ ସମ୍ମିଳନୀର ଛତିଶଗଡ଼ ବିଚ୍ଛିନ୍ନାଞ୍ଚଳ  ପ୍ରତିନିଧି କ୍ଷମାସାଗର ଭୋଇ । ଏଥିସହ  ଛତିଶଗଡ଼ ହାଇକୋର୍ଟରେ ଦାୟର ମାମଲାରେ  ଓଡ଼ିଆ ଭାଷାକୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟସ୍ତରରେ ଲାଗୁ ପାଇଁ କୋର୍ଟରେ  ନିଷ୍ପତ୍ତି ପରେ ବି କାର୍ଯ୍ୟକାରୀ ହୋଇ ନ ଥିବାରୁ  ଓଡ଼ିଶା ସରକାର ଏ ଦିଗରେ ପଦକ୍ଷେପ ନେବା  ସହ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା  କରନ୍ତୁ ବୋଲି ଶ୍ରୀ ଭୋଇ ଦାବି କରିଛନ୍ତି ।

ଛତିଶଗଡ଼ରେ ଏବେ ବି ଓଡ଼ିଆ ଭାଷାର  ପ୍ରଚାର ପ୍ରସାର ଲାଗି ଓଡ଼ିଆ ପାଠ୍ୟ ପୁସ୍ତକ,  ବର୍ଣ୍ଣବୋଧ ବଣ୍ଟନ ସାଙ୍ଗକୁ ଭାଗବତ ଟୁଙ୍ଗି ମାଧ୍ୟମରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର  ପ୍ରସାର ସଂରକ୍ଷଣ ଦିଗରେ ଉତ୍କଳ ସମ୍ମିଳନୀ  ପ୍ରୟାସ ଜାରି ରଖିଛି । ଏବେ ବି ଶତାଧିକ ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀ ସେଠାରେ ଓଡ଼ିଆ  ଭାଷା ସେନାନୀ ଭାବେ ସ୍କୁଲଗୁଡ଼ିକରେ  ଓଡ଼ିଆ ଶିକ୍ଷାଦାନ କରୁଛନ୍ତି । ଯେଉଁମାନଙ୍କୁ  ଉତ୍କଳ ସମ୍ମିଳନୀ କିଛି ପ୍ରୋତ୍ସାହନ ରାଶି  ପ୍ରଦାନ କରି ନିଯୁକ୍ତ କରିଛି । ହେଲେ ସେହି  ଭାଷା ସେନାନୀଙ୍କ ମଧ୍ୟ ବିଭିନ୍ନ ଦାବି ପ୍ରତି  ଉଭୟ ରାଜ୍ୟ ସରକାର ଉଦାସୀନ ରହିଛନ୍ତି। ଯାହାକି ଓଡ଼ିଆ ଭାଷାର ପ୍ରଚାର ପ୍ରସାର  ଅଭିଯାନକୁ ବହୁଳ ପ୍ରଭାବିତ କରି ଚାଲିଛି ।  ଓଡ଼ିଆ ଅସ୍ମିତାକୁ ନେଇ ରାଜନୈତିକ  ବୟାନବାଜୀ ତମ୍ବିତୋଫାନ ହେଉଥିବା  ବେଳେ ଛତିଶଗଡ଼ର ଏହି ବିଚ୍ଛିନ୍ନାଞ୍ଚଳରେ  ଓଡ଼ିଆ ଭାଷାର ସଂରକ୍ଷଣ, ପ୍ରଚାର ପ୍ରସାର  ଦିଗରେ ରାଜ୍ୟ ସରକାର ଆଗକୁ କିଭଳି  ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହାରି ଉପରେ  ଓଡ଼ିଆ ଭାଷାର ଭବିଷ୍ୟତ ନିର୍ଭର କରୁଛି ।