ଭୁବନେଶ୍ୱର,୦୬/୦୩: କେନ୍ଦୁଝରର  ବଡ଼ବିଲରେ ହେବ ରିଙ୍ଗରୋଡ୍‌ । ବଡ଼ବିଲ ଖଣି ଅଞ୍ଚଳକୁ ଯାଉଥିବା ଗାଡ଼ି ଆଉ ସହର ଭିତରକୁ ପଶିବନି । ଟ୍ରକ୍‌ର ଲମ୍ବା ଲାଇନ୍‌ରୁ ଲୋକେ ମୁକ୍ତି ପାଇବେ । ରିଙ୍ଗରୋଡ୍‌ ବା ବାଇପାସ୍‌ରେ ଯାଇ ସିଧା ଖଣି ଅଞ୍ଚଳକୁ ପଳାଇବ । ଫଳରେ ସହର ଟ୍ରାଫିକ୍‌ମୁକ୍ତ ହୋଇଯିବ । ୬ ଲେନ୍‌ ବିଶିଷ୍ଟ ରିଙ୍ଗରୋଡ୍‌ ପାଇଁ  ୨୧୧୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ  ଆକଳନ କରାଯାଇଛି । ସବୁଠୁ ବଡ଼ କଥା ହେଉଛି, ରିଙ୍ଗରୋଡ୍‌ ବାଟରେ ଯେଉଁ ଜଙ୍କସନ୍‌ ଓ ଛକ  ପଡ଼ିବ, ତାକୁ ସିଗନାଲ୍‌ ମୁକ୍ତ କରାଯିବ । କୌଣସି ସ୍ଥାନରେ ଟ୍ରାଫିକ୍‌ ଛିଡ଼ା ହେବେନି କି ଟ୍ରାଫିକ  ସିଗନାଲ୍‌ ଲାଗିବନି । ଗ୍ରେଡ୍‌ ସେପାରେଟର ବ୍ୟବସ୍ଥା  ଜରିଆରେ ସବୁ ଛକରେ ବାଧାହୀନ ଭାବେ ଗାଡ଼ି ଯାତାୟତ କରିବ । ଏଥିପାଇଁ ସ୍ୱତନ୍ତ୍ର ଯୋଜନା ହୋଇଛି । 

ପୂର୍ତ୍ତ ବିଭାଗର ଯୋଜନା ଅନୁସାରେ, ଭଦ୍ରସାହି  ଛକରୁ ବଲାଣୀ ମାଇନସ୍‌ ଓ ନାଲ୍‌ଦା ମାଇନସ୍‌କୁ  ଏହି ରିଙ୍ଗରୋଡ୍‌/ବାଇପାସ୍‌ ଫିଟିବ । ଦୁଇ ମାଇନସ୍‌  ବା ଖଣି ଅଞ୍ଚଳକୁ ଦୁଇଟି ଅଲଗା ରିଙ୍ଗରୋଡ୍‌ ଯିବ । ପ୍ରଥମ ପର୍ଯ୍ୟାୟରେ ଭଦ୍ରସାହି ଛକରୁ ସେରେଣ୍ଡା  ଯାଏ (ରାଜ୍ୟ ରାଜପଥ-୧୦ ବି) ଉପରେ ୩.୭  କିମି ଦୂରତାର ରିଙ୍ଗରୋଡ୍‌ ନିର୍ମାଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ସେରେଣ୍ଡା ଛକରୁ ବଲାଣୀ ମାଇନସ୍‌ (୬.୩ କିମି ଦୂରତା)କୁ ବାଇପାସ୍‌ ଲମ୍ବିବ । ତୃତୀୟ  ର୍ଯ୍ୟାୟରେ ସେରେଣ୍ଡା ଛକରୁ ନାଲ୍‌ଦା ମାଇନସ୍‌କୁ  (୮.୩୨ କିମି ଦୂରତା) କୁ ନୂଆ ରିଙ୍ଗରୋଡ୍‌ ତିଆରି  ହେବ । 

୬ ଲେନ୍‌ ବିଶିଷ୍ଟ ବାଇପାସ୍‌ ସହିତ ଉଭୟ ପାଶ୍ୱର୍ରେ ଦୁଇ ଲେନ୍‌ ବିଶିଷ୍ଟ ସର୍ଭିସ୍‌ ରାସ୍ତା ରହିବ । ଏହି ପୂରା ବାଇପାସ୍‌/ରିଙ୍ଗରୋଡ୍‌ ପ୍ରକଳ୍ପ ଭିତରେ  ଗୋଟିଏ ଫ୍ଲାଏଓଭର, ଦୁଇଟି ରେଳ ଓଭରବ୍ରିଜ୍‌, ୭ଟି  ଛୋଟ ବ୍ରିଜ୍‌, ୨ଟି ବଡ଼ ଛକ, ୪୩ଟି ଛୋଟ ଛକକୁ ସମ୍ପୂର୍ଣ୍ଣ ନୂଆ କରି ତିଆରି କରାଯିବ । ଏହି ପ୍ରକଳ୍ପ  ପାଇଁ ବହୁ ପରିମାଣର ଜମି ଅଧିଗ୍ରହଣ କରିବାକୁ ଆକଳନ କରାଯାଇଛି । ଜମି ଅଧିଗ୍ରହଣ ଉପରେ  ହିଁ ପ୍ରକଳ୍ପର ଭାଗ୍ୟ ନିର୍ଭର କରୁଛି । ବିଭିନ୍ନ ଲୋକଙ୍କ ମାଲିକାନାରେ ଥିବା ପ୍ରାୟ ୧୦୦ ଏକର ବେସରକାରୀ ଜମିକୁ ଅଧିଗ୍ରହଣ କରିବାକୁ ହେବ । ଜମି ମାଲିକଙ୍କୁ ବୁଝାଇ ସେମାନଙ୍କଠାରୁ ଜମି ଆଣିବା ସରକାରଙ୍କ ଆଗରେ ବଡ଼ ଚାଲେଞ୍ଜ । ତଥାପି କ୍ଷତିପୂରଣ ରାଶି ଦେଇ ଜମି ଅଧିଗ୍ରହଣ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି । ୨୭ ଏକର ଗ୍ରାମ୍ୟ ଜଙ୍ଗଲ ଓ ୩୮  ଏକର ସଂରକ୍ଷିତ ଜଙ୍ଗଲ ଜମି ଉପରେ ବାଇପାସ୍‌ ନିର୍ମାଣ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପାଖରୁ ଅନୁମତି ଆଣିବାକୁ ହେବ । ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ଭିତରେ ୮୨ ଏକର ସରକାରୀ ଜମି ବି ରହିଛି । ମୋଟ ୨୫୦ ଏକର ଜମିକୁ ନେଇ ପୂରା  ପ୍ରକଳ୍ପର ଡିଜାଇନ୍‌ ପ୍ରସ୍ତୁତ ହୋଇଛି । 

ଏହି ପ୍ରକଳ୍ପ ନିର୍ମାଣ ହେଲେ ପ୍ରାୟ ୧୨ହଜାର ଗଛ କଟିବ ବୋଲି ଆକଳନ କରାଯାଇଛି । କିନ୍ତୁ  ଏହାର ୭୦ ପ୍ରତିଶତ ବା ୮୪୦୦ ଗଛକୁ ଅନ୍ୟତ୍ର ସ୍ଥାନାନ୍ତର କରି ପ୍ରତିରୋପଣ କରିବାକୁ ଯୋଜନା କରିଛନ୍ତି ସରକାର । ଏଥିପାଇଁ ବନ ବିଭାଗର ସହାୟତା ନିଆଯିବ । ଅତ୍ୟାଧୁନିକ ମେସିନ୍‌  ଆଣି ଗଛକୁ ଅନ୍ୟତ୍ର ଟ୍ରାନ୍ସଲୋକେସନ କରିବାକୁ  ଯୋଜନା ହୋଇଛି । ଏଥିସହିତ ରିଙ୍ଗରୋଡ୍‌ ପାଇଁ  ଦୁଇଟି ରେଳ ଓଭରବ୍ରିଜ୍‌ (ଆରଓବି) ତିଆରି  କରିବାକୁ ହେବ । ରେଳ ବିଭାଗଠାରୁ ଆବଶ୍ୟକୀୟ  ଅନୁମତି ଆଣି ଏହି ଆରଓବି କାମ କରିବା  ମଧ୍ୟ ଏତେ ସହଜ ନୁହେଁ । ଏଥିପାଇଁ ସରକାର  ଉଚ୍ଚସ୍ତରୀୟ ବୈଠକ କରି ରେଳ ବିଭାଗ ସହ  ଆଲୋଚନା କରିବେ ବୋଲି ଜଣାପଡ଼ିଛି । ପ୍ରକଳ୍ପ  ପାଇଁ ୬୦ ଏକର ଗ୍ରାମ୍ୟ ଜଙ୍ଗଲ ଓ ସଂରକ୍ଷିତ  ଜଙ୍ଗଲ ଅଞ୍ଚଳରେ ରିଙ୍ଗରୋଡ୍‌ ନେବାକୁ ପଡ଼ିବ ।  ଏଥିପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟଠାରୁ  ଅନୁମତି ପାଇବା ସବୁଠୁ କାଠିକର ପାଠ ବୋଲି  ପୂର୍ତ୍ତ ବିଭାଗର ଜଣେ ଯନ୍ତ୍ରୀ କହିଛନ୍ତି । ଏଥିପାଇଁ  ପ୍ରଥମେ ଆବେଦନ କରାଯିବ।