ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାଲେଶ୍ୱରରେ କମୁଛି ବଢିପାଣି ହେଲେ ସରୁନି ଯନ୍ତ୍ରଣା : ୫୦ ହଜାରରୁ ଅଧିକ ପ୍ରଭାବିତ, ବୁଡ଼ିଲା ୧୮୯୪ ହେକ୍ଟର ଚାଷ ଜମି

Published By : Rasmita Pradhan | July 3, 2025 8:31 AM

ବାଲେଶ୍ୱର, ୦୩/୦୭ : ବାଲେଶ୍ୱରରେ ବନ୍ୟା ପରବର୍ତ୍ତୀ ଯନ୍ତ୍ରଣା ଏବେ ଜଟିଳ ହୋଇଛି । ଜିଲ୍ଲାର ତିନିଟି ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକାରେ ଜଳସ୍ତର ହ୍ରାସ ପାଉଥିଲେ ହେଁ ନଦୀକୂଳିଆ ଲୋକଙ୍କ ଦୁଃଖ କମିନି । ବନ୍ୟାରେ ୬ ବ୍ଲକ୍‌ର ୫୦ ପଞ୍ଚାୟତ ଅନ୍ତର୍ଗତର ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏବେ ବି ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ । ୧୮୯୪ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ଆକଳନ କରାଯାଇଛି । ୨ ଜଣ ଭାସି ଯାଇ ପ୍ରାଣ ହରାଇଥିବାବେଳେ ସାପ କାମୁଡ଼ାରେ ଜଣକର ଜୀବନ ଯାଇଛି । 

ଉପରମୁଣ୍ଡରେ ଲଗାଣ ବର୍ଷା ପାଇଁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକାରେ ବନ୍ୟା ଆସିଥିଲା । ଏଥିରେ ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ଜଳେଶ୍ୱର, ଜଳେଶ୍ୱର ମ୍ୟୁନିସିପାଲିଟି, ଭୋଗରାଇ, ରେମୁଣା, ବାଲେଶ୍ୱର ସଦର ବ୍ଲକ୍‌ର ୫୩ ପଞ୍ଚାୟତ ଅନ୍ତର୍ଗତ ଶତାଧିକ ଗ୍ରାମର ପାଖାପାଖି ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ହଜାର ୬୫୬ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୧୪ ଅସ୍ଥାୟୀ ଆଶ୍ରୟସ୍ଥଳରେ ୧ ହଜାର ୯୭୫ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ୬ ଓଡ୍ରାଫ୍‌ ଟିମ୍‌, ୧୨ ଅଗ୍ନିଶମ ଟିମ୍‌କୁ ମୁତୟନ କରାଯାଇଛି । ଏଥର ବନ୍ୟାରେ ସୁବର୍ଣ୍ଣରେଖା ଅଧିକ ଦୁଃଖ ଦେଇଛି । ବନ୍ୟାକୁ ୪ ଦିନ ବିତି ଯାଇଥିଲେ ହେଁ ଏବେ ବି ଭୋଗରାଇ ବ୍ଲକ୍‌ର ନଦୀକୂଳିଆ ଅଞ୍ଚଳ ପାଣି ଘେରରେ ରହିଛି । ଲୋକଙ୍କ ଘରେ ଏକ ଫୁଟ୍‌ରୁ ଅଧିକ ପାଣି ଜମି ରହିଛି । ବ୍ଲକ୍‌ର ୧୩ ପଞ୍ଚାୟତର ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ସମୀକ୍ଷା ବୈଠକ କରିଛନ୍ତି । ବାଲିଆପାଳ ବ୍ଲକ୍‌ର ପଞ୍ଚୁରୁଖି-ଚୌଧୁରୀକୁଦ ରାସ୍ତାରେ ୩ରୁ ୪ ଫୁଟ୍‌ର ପାଣି ପ୍ରବାହିତ ହେଉଛି । ଅସ୍ତି ପଞ୍ଚାୟତର ପାଳଚମ୍ପି ଗାଁ ବିଚ୍ଛିନ ହୋଇଥିବାରୁ ଲୋକେ ଦେଶୀ ଡଙ୍ଗାରେ ଯା’ଆସ କରୁଛନ୍ତି । ସେହିପରି ମଧୁପୁରା ପଞ୍ଚାୟତର ପଞ୍ଚରୁଖିଠାରୁ ଚୌଧୁରୀକୁଦ, ଜାମକୁଣ୍ଡାଠାରୁ ତାଳପଦା, କୁହ୍ଲାଚଡ଼, ଇକଡ଼ପାଳ, ନୟାବାଲି ଆଦି ଗାଁକୁ ବୋଟ୍‌ ଯୋଗେ ଲୋକେ ଯାତାୟାତ କରୁଛନ୍ତି । 

ମଙ୍ଗଳବାର ବନ୍ୟାରେ ଭାସିଯାଇଥିବା ବାଲିଆପାଳ ବ୍ଲକ୍‌ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ରାକେଶ ସିଂ(୩୨)ଙ୍କ ମୃତଦେହ ଉଦ୍ଧାର ହୋଇଛି । ସେହିପରି ସୁବର୍ଣ୍ଣରେଖାରେ ଆସିଥିବା ପ୍ରଥମ ବନ୍ୟାରେ ଗତ ୨୩ ତାରିଖ ଭାସି ଯାଇ କୁହ୍ଲା ଗ୍ରାମର ମହେଶ୍ୱର ପିଳା (୨୪)ଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଇ ଅଘଟଣ ବ୍ୟତୀତ ଭୋଗରାଇ ବ୍ଲକ୍‌ ଆରୁହାବୃତ୍ତି-୧ ପଞ୍ଚାୟତ ବାରବାଟିଆ ଗ୍ରାମର ସ୍ୱର୍ଗତ ଗୌରାଙ୍ଗ ଜେନାଙ୍କ ପତ୍ନୀ ଗୌରୀବାଳା (୯୨)ଙ୍କ ସର୍ପାଘାତରେ ମୃତ୍ୟୁ ହୋଇଛି । ବନ୍ୟାରେ ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ବସ୍ତା, ବାଲେଶ୍ୱର ସଦର, ରେମୁଣା ବ୍ଲକରେ ୭୮ ପଞ୍ଚାୟତ ଅନ୍ତର୍ଗତ ୩୯୩ ଗ୍ରାମର ମୋଟ ୧ ହଜାର ୮୯୪ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି । ଯେଉଁଥିରେ ୧ ହଜାର ୮୬ ହେକ୍ଟର ଧାନ ତଳି, ୩୧୫ ଝୋଟ, ୪୯୩ ହେକ୍ଟର ପରିବା ଚାଷ ରହିଛି । ଅବଶ୍ୟ ଏହା ଚୂଡ଼ାନ୍ତ ରିପୋର୍ଟ ନୁହେଁ । କ୍ଷୟକ୍ଷତି ଆହୁରି ବଢ଼ିବା ନେଇ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.