ନୂଆଦିଲ୍ଲୀ,୨୭/୦୮:  ଏସିଆ କପ୍‌ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟକୁ ଆଉ ହାତ ଗଣତି ଦିନ ବାକି ରହିଲା । ଏନେଇ ଓମାନ ୧୭ ଜଣିଆ ଦଳ ଘୋଷଣା କରିଛି । ଭାରତୀୟ ବଂଶୋଦ୍ଭବ ପଞ୍ଜାବରେ ଜନ୍ମିତ ଜତିନ୍ଦର ସିଂହ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଯୁବ ଖେଳାଳି ସୁଫିୟାନ ୟୁସୁଫ୍‌, ଜିକରିୟା ଇସଲାମ ଫୈଜଲ ଶାହ ଏବଂ ନଦୀମ ଖାନ ପ୍ରଥମ ଥର ସିନିୟର ଦଳରେ ସ୍ଥାନ ପାଇଛନ୍ତି । ଏସିଆ କପ୍ ପାଇଁ ଏଯାବତ୍ ୬ ଟିମ୍‌ ସେମାନଙ୍କ ସ୍କ୍ୱାଡ୍ ଘୋଷଣା କରି ସାରିଛନ୍ତି ।

କିଏ ଓମାନ କ୍ୟାପ୍ଟେନ ଜତିନ୍ଦର ସିଂହ ? ଓମାନ ଅଧିନାୟକ ୩୬ ବର୍ଷୀୟ ଜତିନ୍ଦର ସିଂହ  ଭାରତୀୟ ବଂଶୋଦ୍ଭବ । ପଞ୍ଜାବର ଲୁଧିଆନାରେ ତାଙ୍କର ଜନ୍ମ । ଜତିନ୍ଦର ଆଫଗାନିସ୍ତାନ ବିପକ୍ଷରେ ୨୦୧୫ରେ ତାଙ୍କର ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିଲେ । ଜତିନ୍ଦରଙ୍କ ଟି-ଟ୍ୱେଣ୍ଟି କ୍ୟାରିୟର ଠିକଠାକ୍ ରହିଛି । ସେ ୬୪ଟି ମ୍ୟାଚ୍ ଖେଳି ୨୪.୫୪ ହାରରେ ୧୩୯୯ରନ୍ କରିଛନ୍ତି ।

ଓମାନ ଦଳ ଗ୍ରୁପ୍‌-ଏ’ରେ ଭାରତ, ପାକିସ୍ତାନ ଓ ୟୁଏଇ ସହ ସ୍ଥାନ ପାଇଛି । ଆଗାମୀ ସେପ୍ଟେମ୍ବର ୯ରୁ ଏସିଆ କପ୍‌ ଆରମ୍ଭ ହେବ । ୨୮ ତାରିଖ ଯାଏ ଟୁର୍ଣ୍ଣାମେଣ୍ଟ ଚାଲିବ । ଓମାନ ୧୨ ତାରିଖ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ । ୧୫ରେ ଦ୍ୱିତୀୟ ଓ ୧୯ରେ ତୃତୀୟ ମ୍ୟାଚ ଖେଳିବ । ଏଯାବତ ଭାରତ, ଓମାନ, ପାକିସ୍ତାନ, ହଂକକଙ୍ଗ, ବାଂଲାଦେଶ ଓ ଆଫଗାନିସ୍ତାନ ୬ଟିମ୍‌ ଏସିଆ କପ ପାଇଁ ଦଳ ଘୋଷଣା କରିଛନ୍ତି । ଏବେ ମାତ୍ର ୨ଟି ଟିମ୍‌ ଶ୍ରୀଲଙ୍କା ଓ ୟୁଏଇ ଟିମ୍ ଘୋଷଣାକୁ ଅପେକ୍ଷା ରହିଛି ।

ଓମାନ ଦଳ: ଜତିନ୍ଦର ସିଂହ (ଅଧିନାୟକ), ହମାଦ ମିର୍ଜା, ବିନାୟକ ଶୁକ୍ଳା, ସୁଫିୟାନ ୟୁସୁଫ, ଆଶିଷ ଓଡେଡେରା, ଅମିର କଲିମ, ମହମ୍ମଦ ନଦୀମ, ସୁଫିୟାନ ମେହମୁଦ, ଆର୍ଯ୍ୟନ ବିଷ୍ଟ, କରଣ ସୋନାଭାଲେ, ଜିକରିୟା ଇସଲାମ, ହସନୈନ ଅଲି ଶାହ, ଫୈଜଲ ଶାହ, ମହମ୍ମଦ ଇମ୍ରାନ, ନଦୀମ ଖାନ, ସକିଲ ଅହମ୍ମଦ, ସମୟ ଶ୍ରୀବାସ୍ତବ ।