ନୂଆଦିଲ୍ଲୀ,୦୨/୧୨: ସଂସଦର ଶୀତ ଅଦିବେଶନ ଆରମ୍ଭ ହେବା ଦିନଠୁ ଗୋଟିଏ ଦିନ ବି ଗୃହକାର୍ଯ୍ୟ ଚାଲି ପାରୁନାହିଁ । ଆଜି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମାକୁ ନେଇ ଉଭୟ ଗୃହ ମୁଲତବୀ ହୋଇଥିଲା । ଏହାରି ଭିତରେ ଆଜି ସଂସଦରେ ସାବରମତୀ ରିପୋର୍ଟ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟାରେ ଏହାର ସ୍ପେଶାଲ ସ୍କ୍ରିନିଂ ହେବ । ବାଲ ଯୋଗୀ ଅଡିଟୋରିୟମରେ ପିଏମ ମୋଦିଙ୍କ ପାଇଁ ଲୋକପ୍ରିୟ ଚଳଚ୍ଚିତ୍ରର ସ୍ବତନ୍ତ୍ର ସ୍କ୍ରିନିଂ ହେବ । ମୋଦିଙ୍କ ସହିତ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ କ୍ୟାବିନେଟର ଅନେକ ମନ୍ତ୍ରୀ ଉପସ୍ଥିତ ରହିବେ ।
ଦେଶର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହୋଇସାରିଛି 'ଦ ସାବରମତୀ ରିପୋର୍ଟ' । ଫିଲ୍ମକୁ ବେଶ୍ ପ୍ରଶଂସା କରୁଛନ୍ତି ଦର୍ଶକ । ଚଳଚ୍ଚିତ୍ରକୁ ଟ୍ୟାକ୍ସ ଫ୍ରି ମଧ୍ୟ କରାଯାଇଛି । ନିକଟରେ ଏହି ଫିଲ୍ମକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଥିଲେ ଏହା ଘଟଣା ପଛରେ ଥିବା ସତ୍ୟତା ପ୍ରକାଶ କରିଛି । ମିଛ କାହାଣୀ କେବଳ ସୀମିତ ସମୟ ପାଇଁ ରହିପାରେ ।
ସୂଚନାଅନୁସାରେ, ଫିଲ୍ମଟି ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ହୋଇଛି । ପ୍ରଥମ ଦିନରୁ ହିଁ ଫିଲ୍ମକୁ ଫ୍ୟାନ୍ସଙ୍କ ଭଲପାଇବା ମିଳିଛି । ଅନେକ ବିଜେପି ଶାସିତ ରାଜ୍ୟ ସାବରମତୀ ରିପୋର୍ଟକୁ କର ମୁକ୍ତ କରିଛନ୍ତି । ଧୀରଜ ସରନାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ସାବରମତୀ ରିପୋର୍ଟ ୨୦୦୨ ମସିହାରେ ଗୁଜୁରାଟରେ ଘଟିଥିବା ଦୁଃଖଦ ଘଟଣା ଉପରେ ଆଧାରିତ । ବିକ୍ରାନ୍ତ ମେସୀ ଏଥିରେ ଅଭିନୟ କରିଛନ୍ତି । ନଭେମ୍ବର ୧୫ ତାରିଖରେ ଫିଲ୍ମ ରିଲିଜ ହୋଇଥିଲା ।