ନୂଆଦିଲ୍ଲୀ: ଇଭିଏମ୍ ଏବଂ ନିର୍ବାଚନୀ ଫଳାଫଳରେ ତ୍ରୁଟି ଥିବା ଦର୍ଶାଇ ହରିୟାଣାର ୨୦ ବିଧନସଭା ଆସନରେ ପୁନଃ ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକକୋର୍ଟଙ୍କ ନିକଟରେ ଆବେଦନ ହୋଇଛି । ପ୍ରିୟା ମିଶ୍ର ଏବଂ ବିକାଶ ବଂଶଲ ଓକିଲ ନରେନ୍ଦ୍ର ମିଶ୍ରଙ୍କ ଜରିଆରେ ସୁପ୍ରିମକୋର୍ଟରେ ଏହି ଆବେଦନ କରିଛନ୍ତି । କଂଗ୍ରେସ ପକ୍ଷରୁ ଇସିଆଇଙ୍କୁ ଦିଆଯାଇଥିବା ଅଭିଯୋଗକୁ ନେଇ ଆବେଦନରେ ଦର୍ଶାଯାଇଛି ଯେ, ନିର୍ବାଚନ ଦିନ କିଛି ଇଭିଏମ୍ ୯୯ ପ୍ରତିଶତ ବ୍ୟାଟେରି କ୍ଷମତାରେ କାର୍ଯ୍ୟ କରିଥିଲା । ଆଉ କେତେକ ଇଭିଏମ୍ରେ ୮୦ ପ୍ରତିଶତରୁ କମ୍ ଚାର୍ଜ ଥିଲା । କିନ୍ତୁ ଅକ୍ଟୋବର ୮ରେ ସେଥିମଧ୍ୟରୁ ବ୍ୟବହୃତ କେତେକ ଇଭିଏମର ବ୍ୟାଟେରି ୯୯ ପ୍ରତିଶତ ଥିବା ବେଳେ ଅନ୍ୟ ଇଭିଏମଗୁଡ଼ିକର ବ୍ୟାଟେରି କ୍ଷମତା ୬୦-୭୦ ପ୍ରତିଶତକୁ ଖସିଆସିଥିଲା ।
ଗୋଟିଏ ମତଦାନ କେନ୍ଦ୍ରରେ ହିଁ ଏଭଳି ଅସମାନତା ଦେଖିବାକୁ ମିଳିଥିଲା । ଏନେଇ ଜଣାପଡ଼ିବା ପରେ କଂଗ୍ରେସର ପ୍ରତିନିଧି ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ କିନ୍ତୁ କୌଣସି ଜବାବ ମିଳିନଥିଲା । ଆବେଦନକାରୀ ଆହୁରି ଦାବି କରିଛନ୍ତି ଯେ, କିଛି ଇଭିଏମ ୯୯ ପ୍ରତିଶତ ତ ଆଉ କିଛି ୭୦ ପ୍ରତିଶତ ବ୍ୟାଟେରି କ୍ଷମତାରେ କାର୍ଯ୍ୟ କରୁଥିଲା । ଯାହାକି ଗଣତି ଦିନର ଚାର୍ଜିଂ ପଏଣ୍ଟ ଠାରୁ ଖୁବ ଅଧିକ ।
ସେପଟେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ନିର୍ବାଚନ ଆୟୋଗ ଜାରି କରିଥିବା ମତଦାନ ପ୍ରତିଶତ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି । ମତଦାନ ଶେଷ ହେବା ପରେ ରାତି ୭.୨୫ରେ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ ଯେ, ୬୧.୧୯ ପ୍ରତିଶତ ମତଦାନ ହୋଇଛି । ଏହା ପରେ ରାତି ୧୧.୪୫ରେ ପୁଣି ଥରେ ୬୫.୬୫ ପ୍ରତିଶତ ମତଦାନ ହୋଇଛି ବୋଲି ଇସିଆଇ ଘୋଷଣା କରିଥିଲେ । କିନ୍ତୁ ଗଣତି ହେବାର କିଛି ଘଣ୍ଟା ପୂର୍ବରୁ ପୁଣି ଥରେ ଭୋଟିଂ ପ୍ରତିଶତ ୬୭.୯୦ ହୋଇଥିବା ନେଇ କହିଥିଲେ ନିର୍ବାଚନ ଆୟୋଗ । ତେବେ ଆବେଦନକାରୀଙ୍କ ଅନୁସାରେ, ମତଦାନର ଦୁଇ ଦିନ ପରେ ଭୋଟିଂ ୨.୨୫ ପ୍ରତିଶତ ବୃଦ୍ଧି ହେବାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ସେପଟେ ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ, ଯେଉଁ ୨୦ ବିଧାନସଭା ଆସନରେ ପୁନଃ ନିର୍ବାଚନ ଲାଗି ଦାବି ହୋଇଛି, ସେହି ସବୁ ଆସନରେ କଂଗ୍ରେସର ପ୍ରାର୍ଥୀ ପରାସ୍ତ ହୋଇଛନ୍ତି ।