ଆମେ ସୁସ୍ଥ ରହିବା ପାଇଁ ୱାର୍କଆଉଟ୍‌ କରିଥାଉ । ଏହାଦ୍ୱାରା ଶରୀର ନମନୀୟ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କେବେ କେବେ ଓଜନ କମ୍‌ କରିବା ପାଇଁ ମଧ୍ୟ ୱାର୍କଆଉଟ୍‌ କରାଯାଇଥାଏ । ବିଶେଷଜ୍ଞଙ୍କ ମତରେ ସୁସ୍ଥ ରହିବା ପାଇଁ ନିୟମିତ ୱାର୍କଆଉଟ୍‌ କରିବା ଜରୁରି । ସାଧାରଣତଃ ଲୋକମାନେ ସୁସ୍ଥ ରହିବା ପାଇଁ ୱାର୍କଆଉଟ୍‌ ପରେ ଡାଏଟ୍‌ ଉପରେ ଫୋକସ୍‌ କରିଥାନ୍ତି । କାରଣ ଶରୀରକୁ ଅଧିକ କ୍ୟାଲୋରୀଠାରୁ ଦୂରେଇ ରଖିବା ପାଇଁ ଡାଏଟ୍‌ ଉପରେ ଫୋକସ୍‌ ରଖିଥାନ୍ତି ।  ହେଲେ ଆପଣ ଜାଣନ୍ତି କି ୱାର୍କଆଉଟ୍‌ ପରେ ଆରାମ ନେବା କେତେ ଜରୁରୀ?

ୱାର୍କଆଉଟ୍‌ ପରେ ଉପଯୁକ୍ତ ଡାଏଟ୍‌ ନେବା ଦ୍ୱାରା ମାଂସପେଶୀ ଟୋନଡ୍‌ ରହିଥାଏ ଏବଂ ପୋଷକ ତତ୍ତ୍ୱର ଅଭାବକୁ ଦୂର କରାଯାଇପାରେ । କିନ୍ତୁ କେହି ୱାର୍କଆଉଟ୍‌ ପରେ ଆରାମ ନେବାକୁ ସେତେଟା ଗୁରୁତ୍ୱ ଦେଇ ନ ଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ୱାର୍କଆଉଟ୍‌ ପରେ ଆରାମ ନେବା ବହୁତ ଜରୁରି । କିନ୍ତୁ ପ୍ରାୟ ଲୋକ ଏଥିପ୍ରତି ଧ୍ୟାନ ଦେଇ ନଥାନ୍ତି । ୱାର୍କଆଉଟ୍‌ କରିବା ସମୟରେ ପ୍ରାୟତଃ ମାଂସପେଶୀରେ ଆଘାତ ଲାଗିଥାଏ । ଏହାକୁ ଦୂର କରିବା ପାଇଁ ଆରାମ ନେବା ଆବଶ୍ୟକ । ଆରାମ ନେବା ଦ୍ୱାରା ଏହି ଆଘାତ କ୍ରମଶଃ ସୁସ୍ଥ ହୋଇଥାଏ । ତେଣୁ ୱାର୍କଆଉଟ୍‌ ପରେ ଯେକୌଣସି ଶାରୀରିକ ସକ୍ରିୟତାଠାରୁ ଦୂରେଇ ରହିବା ଆବଶ୍ୟକ । ଏଥିସହିତ ଅତ୍ୟଧିକ ଟ୍ରେନିଂ ନେବା ମଧ୍ୟ ଉଚିତ୍‌ ନୁହେଁ । 

ସେହିପରି ଏହା ମଧ୍ୟ ଦେଖିବାକୁ ମିଳେ ଯେ ଯେଉଁମାନେ ୱାର୍କଆଉଟ୍‌ ପରେ ଆରାମ କରିଥାନ୍ତି, ସେମାନଙ୍କ ପ୍ରଦର୍ଶନ ଅନ୍ୟମାନଙ୍କ ତୁଳନାରେ ବେଶ୍‌ ଭଲ ରହିଥାଏ । ୱାର୍କଆଉଟ୍‌ ପରେ କେତେ ସମୟ ଆରାମ ନେବା ଦରକାର । ତାହା ୱାର୍କଆଉଟ୍‌ ଉପରେ ନିର୍ଭର କରିଥାଏ । ଯଦି ହାଲ୍‌କା ୱାର୍କଆଉଟ୍‌ କରୁଥାନ୍ତି, ତେବେ ଅଳ୍ପ ସମୟ ଆରାମ ନେଇପାରିବେ । କାରଣ ହାଲ୍‌କା ୱାର୍କଆଉଟ୍‌ କରିବା ଦ୍ୱାରା ଛୋଟମୋଟ ଆଘାତ ଲାଗିଥାଏ । ତେଣୁ ୨୪ ଘଣ୍ଟାର ଆରାମ ଯଥେଷ୍ଟ । ଯଦି ଚ୍ୟାଲେଞ୍ଜିଂ ୱାର୍କଆଉଟ୍‌ କରୁଥାନ୍ତି, ତେବେ ଶରୀର ଥକିଯାଏ ନିଶ୍ଚୟ । ତେଣୁ ୨/୩ ଦିନ ଆରାମ ନେବା ଜରୁରି । ଯଦି ନିୟମିତ ଇଣ୍ଟେନସ୍‌ ୱାର୍କଆଉଟ୍‌ କରୁଥାନ୍ତି, ତେବେ ଆରାମ ନେବା ଦରକାର ନାହିଁ । କାରଣ ଶରୀର ଏଥିରେ ଅଭ୍ୟସ୍ତ ହୋଇସାରିଥାଏ । ଷ୍ଟ୍ରେନ୍ଥ ୱାର୍କଆଉଟ୍‌ କରୁଥିଲେ ଅଧିକ ଶକ୍ତିର ଆବଶ୍ୟକ ହୋଇଥାଏ । ଏଥିରେ ମାଂସପେଶୀ ଆଘାତର ଆଶଙ୍କା ମଧ୍ୟ ଅଧିକ ରହିଥାଏ । ତେଣୁ ୨/୩ଦିନ ଆରାମ ନେବା ଜରୁରି ହୋଇପଡେ ।