ଭୁବନେଶ୍ୱର,୧୭/୦୭: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ  ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ପଢ଼ା ହେବ ‘ବାଲୁକା  କଳା’ ପାଠ୍ୟକ୍ରମ । ଏହି ପାଠ୍ୟକ୍ରମ ଅନ୍‌ଲାଇନ ମାଧ୍ୟମରେ  ପଢ଼ାଯିବ । ଇଗ୍ନୋ ପକ୍ଷରୁ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଭାଗିତାରେ ୨ଟି କୋର୍ସକୁ ଲୋକାର୍ପିତ  କରାଯାଇଛି । ‘ବାଳୁକା କଳାର ପରିଚୟ’ ଓ ‘ବାଳୁକା  କଳାର ନୀତି ଓ ଶୈଳୀ’ ପାଠ୍ୟକ୍ରମ ଆରମ୍ଭ ହୋଇଛି ।  ଏହି ପାଠ୍ୟକ୍ରମ ଶିକ୍ଷା ମନ୍ତ୍ରଣାଳୟର ସ୍ୱୟମ୍‌ ପ୍ଲାଟଫର୍ମ  www.onlinecourses.swayam2.ac.inରେ  ଉପଲବ୍ଧ ହେବ ।  

ଇଚ୍ଛୁକ ଶିକ୍ଷାର୍ଥୀମାନେ ସ୍ୱୟଂ ପ୍ଲାଟଫର୍ମରେ ନିଜର ନାମ  ପଞ୍ଜୀକରଣ କରିପାରିବେ । ସେପ୍ଟେମ୍ବର ୧୫ ତାରିଖ ଯାଏ  ଅନ୍‌ଲାଇନ ପଞ୍ଜୀକରଣର ସୁଯୋଗ ରହିଛି । ଏହି ପାଠ୍ୟକ୍ରମ  ନଭେମ୍ବର ୧୫ ତାରିଖ ଯାଏ ଚାଲିବ । ଦୁଇଟି ଯାକ ପାଠ୍ୟକ୍ରମ  ଶିକ୍ଷାର୍ଥୀଙ୍କୁ ବାଲୁକା କଳାର ମୌଳିକ ତତ୍ତ୍ୱ ସହ ପରିଚିତ  କରାଇବ ।  

ଇଗ୍ନୋରେ ଚାଲିଥିବା ଜୁଲାଇ-୨୦୨୫ ଶିକ୍ଷା ଅଧିବେଶନ  ପାଇଁ ନାମଲେଖା ଅବଧିକୁ ଆସନ୍ତା ୩୧ ତାରିଖ ଯାଏ ବୃଦ୍ଧି  କରାଯାଇଛି । ସ୍ନାତକ, ସ୍ନାତକୋତ୍ତର, ସ୍ନାତକୋତ୍ତର ଡିପ୍ଲୋମା,  ସାର୍ଟିଫିକେଟ୍‌ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ମଧ୍ୟ  ବୃଦ୍ଧି କରାଯାଇଛି । ଏନେଇ ସମସ୍ତ ସୂଚନା ପାଇଁ www. ignou.ac.in ଓ ଫୋନ୍‌ ନମ୍ବର ୦୬୭୪-୨୯୭୧୦୭୧ରେ  ଯୋଗାଯୋଗ କରିପାରିବେ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ  ଡ. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।