ଭୁବନେଶ୍ୱର,୧୭/୧୧: ରାସ୍ତା ନିର୍ମାଣ ପାଇଁ ରାଜ୍ୟରେ ଆସିବ ସ୍ୱତନ୍ତ୍ର ନୀତି । ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଏହି ନୀତି ପ୍ରସ୍ତୁତ କରାଯାଉଛି । ଜାତୀୟ ରାଜପଥ, ରାଜ୍ୟ ରାଜପଥ ସହ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ବିଭିନ୍ନ ମହାନଗର ନିଗମ ଅଧୀନରେ ଥିବା ରାସ୍ତାର ନିର୍ମାଣ ଓ ମରାମତି ନେଇ ଉପୁଜିଥିବା ସମସ୍ୟାର ସମାଧାନ ଦିଗରେ ଏହି ନୀତି ହେବ ସହାୟକ ।
ଲୋକସେବା ଭବନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଛି । ଏଥିରେ ରାସ୍ତା ନିର୍ମାଣ ସମ୍ପର୍କିତ ସ୍ୱତନ୍ତ୍ର ନୀତି ଉପରେ ଆଲୋଚନା ହୋଇଥିଲା । ଅନେକ ସମୟରେ ସମନ୍ୱୟ ଅଭାବରୁ ରାସ୍ତା ନିର୍ମାଣ ଓ ମରାମତିରେ ବିଭିନ୍ନ ସମସ୍ୟା ଉପୁଜୁଛି । ଏହାର ନିରାକରଣ ନେଇ ୫୦ ବର୍ଷକୁ ଆଖି ଆଗରେ ରଖି ରାସ୍ତା ନିର୍ମାଣ ନେଇ ସ୍ୱତନ୍ତ୍ର ନୀତି ପ୍ରଣୟନର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।
ପ୍ରସ୍ତାବିତ ନୀତିରେ ରାସ୍ତାଗୁଡ଼ିକର ସ୍ଥିତି ନେଇ ଡାଟାବେସ ରହିବ । ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ଟ୍ରାଫିକ ସମସ୍ୟାର ସମାଧାନ ନେଇ ରୋଡ୍ମ୍ୟାପ୍ ପ୍ରସ୍ତୁତ ହେବ । ପୁରୁଣା ରାସ୍ତାର ମରାମତି, ସେତୁ ନିର୍ମାଣ, ଘରୋଇ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଓ ଘରୋଇ ଜମି ଅଧିଗ୍ରହଣ, ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର, ରାସ୍ତା ନିର୍ମାଣରେ କମ୍ କଞ୍ଚାମାଲ୍ ବ୍ୟବହାର, ନିର୍ମାଣର ଗୁଣାବତ୍ତା ଓ ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର କର୍ପସ ପାଣ୍ଠି ଗଠନ ନେଇ ନୀତି ପ୍ରସ୍ତୁତ କରିବାକୁ କୁହାଯାଇଛି । ଅନେକ ସମୟରେ ରାସ୍ତାରେ କେବୁଲ୍ ବିଛାଇବା, ଡ୍ରେନ ଓ ସ୍ୱେରେଜ ନିର୍ମାଣ ଆଦି କାର୍ଯ୍ୟ ପାଇଁ ବିଭିନ୍ନ ସଂସ୍ଥା ସରକାରଙ୍କ ବିନା ଅନୁମତିରେ ରାସ୍ତାଗୁଡ଼ିକୁ ଖୋଳା ତଡ଼ା କରୁଛନ୍ତି ।
ଏଭଳି ସଂସ୍ଥା ବିରୋଧରେ ଜରିମାନା ଲଗାଇବାକୁ ନୀତିରେ ଉଲ୍ଲେଖ ରହିବ । ୨୦୨୯ ସୁଦ୍ଧା ୧୦୦ ଜନସଂଖ୍ୟା ବିଶିଷ୍ଟ ସମସ୍ତ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ସୁନିଶ୍ଚିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହେବ । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।