ଭୁବନେଶ୍ୱର,୨୧/୦୬: ଜେଜେବାପା ବେହେଲା ବଜାଉଥିଲେ । ଅଜା ଅଭିନୟ କରୁଥିଲେ ଅପେରା ଦଳରେ । ସେଥିପାଇଁ ପାରମ୍ପରିକ ବାଦ୍ୟଯନ୍ତ୍ର ପ୍ରତି ଥିଲା ସରାଗ । ସେ ସମୟରେ ବାଦ୍ୟଯନ୍ତ୍ରର ଆଦର ଥିଲେ ମଧ୍ୟ ଏଗୁଡ଼ିକୁ ସଜାଡ଼ିବା ପାଇଁ ଯିବାକୁ ପଡ଼ୁଥିଲା କୋଲକାତା । ନହେଲେ କାରିଗରମାନେ ଚଢ଼ା ମୂଲ୍ୟ ନେଇ ବାଦ୍ୟଯନ୍ତ୍ରକୁ ଓଡ଼ିଶା ଆସି ଠିକ୍‌ କରୁଥିଲେ । ଏସବୁ ଅସୁବିଧାକୁ ଲକ୍ଷ୍ୟକରି ୧୯୭୫ରେ ପୃଥ୍ୱୀରାଜ ଖୋଲିଥିଲେ ବାଦ୍ୟଯନ୍ତ୍ର ସଜଡ଼ା ଦୋକାନ । ଆଉ ତା’ ନାଁ ଦେଇଥିଲେ ‘ମ୍ୟୁଜିକ୍‌ ଇଜ ଦ ମେଡିସିନ ଅଫ ମାଇଣ୍ଡ’ । ସେ ସମୟରେ ଯାହାର ଆଦର ବେଶ୍‌ ଅଧିକ ଥିଲା । 

ହେଲେ ବଡ଼ ଦୁଃଖର କଥା ସମୟ ସ୍ରୋତରେ ଏହିସବୁ ବାଦ୍ୟଯନ୍ତ୍ରର ଆଦର କମିଯାଇଛି । ଯେଉଁ ଦୋକାନରେ ସବୁବେଳେ ଭିଡ଼ ରହୁଥିଲା ତାହା ଆଜି ଶୂନ୍‌ଶାନ୍‌ ।  ରବି ଟକିଜ୍‌ ପାଖରେ ପୃଥ୍ୱୀରାଜ ସାମଲଙ୍କ ଛୋଟିଆ ଦୋକାନ । ବୟସ ତାଙ୍କର ୭୫ ଛୁଇଁଲାଣି । ଘର ଢେଙ୍କାନାଳ ଜିଲ୍ଲା, ଦୀର୍ଘବର୍ଷ ହେବ ସେ ରାଜଧାନୀରେ ରହୁଛନ୍ତି । ଏହି ଦୋକାନରେ ସେ ସିତାର, ବୀଣା, ତାନପୁରା, ଇସିରାଜ, ସାରଙ୍ଗୀ, ଖଞ୍ଜଣି, ଏକତାରା, କେନ୍ଦରା, ଢୋଲ, ହାରମୋନିୟମ, ଧୁଡୁକି ଆଦି ପାରମ୍ପରିକ ବାଦ୍ୟ ସଜାଡ଼ିଥାନ୍ତି । ଲୋକମାନଙ୍କ ବରାଦ ମୁତାବକ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ତିଆରି କରି ମଧ୍ୟ ଦେଇଥାନ୍ତି । ହେଲେ ଏବେ ପାରମ୍ପରିକ ବାଦ୍ୟଯନ୍ତ୍ର ବିଶେଷ ଦେଖିବାକୁ ମିଳୁନି । ଆଜିକାଲି ପିଢ଼ି ଏହି ବାଦ୍ୟଯନ୍ତ୍ରର ଧ୍ୱନି ଶୁଣିବା ଦୂରର କଥା ଏହାର ନାମ ମଧ୍ୟ ଜାଣିନାହାନ୍ତି । ଯାହା ଫଳରେ ତାଙ୍କ ଦୋକାନ ବି ବନ୍ଦ ହେବାକୁ ବସିଲାଣି ।  ପୃଥ୍ୱୀରାଜ କହନ୍ତି, ଜୀବନରେ ଅଶାନ୍ତି ଦେଖାଦେଲେ ସଙ୍ଗୀତ ଔଷଧ ଭଳି ମନକୁ ଶାନ୍ତି ଦିଏ । ସେଥିପାଇଁ ତ ମୋ ଦୋକାନର ନାଁ ‘ମ୍ୟୁଜିକ୍‌ ଇଜ୍‌ ଦ ମେଡିସିନ ଅଫ ମାଇଣ୍ଡ’ । ହେଲେ ଆଜିର ପିଢ଼ି ଇଲେକ୍‌ଟ୍ରୋନିକ ବାଦ୍ୟଯନ୍ତ୍ର ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । କାରଣ ପାରମ୍ପରିକ ବାଦ୍ୟଯନ୍ତ୍ର ଶିଖିବାକୁ ସମୟ ଲାଗିଥାଏ । ଅଧିକ ପରିଶ୍ରମ ମଧ୍ୟ ଲୋଡ଼ା । ହେଲେ ଆଧୁନିକ ବାଦ୍ୟଯନ୍ତ୍ର ଖୁବ୍‌ କମ ସମୟରେ ଲୋକ ଶିଖିପାରୁଥିବାରୁ ଏହାକୁ ଅଧିକ ପସନ୍ଦ କରୁଛନ୍ତି ।