ନମୌଜା,୪।୧୦(ଆପ୍ର):କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଚାଲିଛି ବେଧଡକ ଗୋ ଚାଲାଣ l ଏକ ଅଭିନବ ଉପାୟରେ ଚାଲିଛି ଗୋଚାଲାଣ । ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ ହେଉଥିବା ବେଳେ ଆଳି ପୁଲିସ ୧୦ ଗୋରୁ ଜବତ କରିଛି।
ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗୋରୁ ଚାଲାଣ ହେଉଥିବା ନେଇ ଆଳି ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା l ପରେ ଆଳି ପୋଲିସର ଏକ ଟିମ କଟକ-ଚାନ୍ଦବାଲି ରାସ୍ତାର ଖରସ୍ରୋତା ସେତୁ ଠାରେ ଗୋରୁ ବୋଝେଇ ଗାଡିକୁ ଚଢ଼ାଉ କରିବା ବେଳେ ଦୁର୍ବୁତ୍ତ ମାନେ ଗାଡି ଛାଡି ଫେରାର ହୋଇ ଯାଇଥିଲେ l ପୋଲିସ ଗୋରୁ ବୋଝେଇ ତେଲ ଟ୍ୟାଙ୍କରକୁ ଜବତ କରି ସେଥିମଧ୍ୟରୁ ୧୦ ଟି ଗୋରୁ ଉଦ୍ଧାର କରିଥିଲା। ଗାଡ଼ିକୁ ଆଳି ଥାନରେ ଅଟକ ରଖି ତଦନ୍ତ କରାଯାଉଥିବା ଆଳି ଥାନାଧିକାରୀ ଧୀରାଜ ଲେଙ୍କା ସୂଚନା ଦେଇଛନ୍ତି l ଜବତ ହୋଇଥିବା ଉକ୍ତ ଗାଡିଟି କଟାଯାଇ ବାହାରୁ ତେଲ ଟ୍ୟାଙ୍କର ଥିବା ବେଳେ ଭିତରେ ଫ୍ୟାନ, ଲାଇଟ ଭଳି ଗୋରୁଙ୍କୁ ବାନ୍ଧିବା ପାଇଁ ରଶି ମଧ୍ୟ ରଖାଯାଇଛି l
ଉଲ୍ଲେଖଯୋଗ୍ୟ କି ସମାନ ଢଙ୍ଗରେ କିଛି ମାସ ପୂର୍ବରୁ କୋରିୟର କଣ୍ଟେନର ଓ ପନିର କଣ୍ଟେନରରେ ଗୋରୁ ଚାଲାଣକୁ ଆଳି ପୋଲିସ ଓ ଆଳି ଧର୍ମ ରକ୍ଷା ସେନା ପ୍ରୟାସରେ ଜବତ କରାଯାଇଥିଲା। ସେଥିମଧ୍ୟରୁ ୩୩ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା l