ବଲାଙ୍ଗୀର,୧୮।୯ : ନାଟକ ମଞ୍ଚରୁ ଓହ୍ଲାଇବା ବେଳେ ଅଚେତ ହେଲେ ମହିଳା କଳାକାର। ଏକା ଥରକେ ୧୦ ଜଣ କଳାକାର ଅଚେତ ହେବା ପରେ ଗୁରୁତର ହୋଇ ପହିଛନ୍ତି। ଗାଁରେ ଝଡା ଫୁଙ୍କା କରିବା ପରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଉପରଝର ଗାଁରେ ଏଭଳି ଘଟଣା ଘଟିଛି ।
ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଉପର ଝର ଗାଁର ତଳିପଡ଼ାରେ ଥିବା ମହିଳା ରାମ ଲୀଳା ନାଟକ ପାର୍ଟି ବୁଧୁବାର ରାତିରେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ଥାନା ଖଇରଭାଡ଼ି ଗାଁରେ ନାଟକ ପରିବେଷଣ କରିବାକୁ ଯାଇଥିଲେ। ଏହି ସମୟରେ ହଠାତ ରାମାୟଣର ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ସଜ୍ଜିତ ହୋଇଥିବା ଝିଅ ମାନେ ଅସୁସ୍ଥ ଅନୁଭବ କରିଥିଲେ। ମଞ୍ଚ ତଳକୁ ଓହ୍ଲାଇବା ବେଳେ ତଳେ ଅଚେତ ହୋଇ ପଡ଼ିଯାଇଥିଲେ। ସମସ୍ତେ ଏଭଳି ଦୃଶ୍ୟ ଦେଖି ଅବାକ ହୋଇ ଯିବା ସହ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ନାଟକକୁ ବନ୍ଦ କରି ଗାଁକୁ ସମସ୍ତେ ପଳାଇ ଆସିଥିଲେ। ହେଲେ ଗାଁ ରେ ଅବସ୍ଥାରେ ସୁଧାର ନ ଆସିବାରୁ ଗୁରୁବାର ସକାଳୁ ଗୁଣି ଗାରେଡ଼ି ହୋଇଥିବା ସନ୍ଦେହ କରି ଝଡା ଫୁଙ୍କା କରାଯାଇଥିଲା। ପରେ ସମସ୍ତ ଅସୁସ୍ଥ ଝିଅକୁ ପରିବାର ଲୋକେ ଭିମ ଭୋଇ ମେଡିକାଲ କଲେଜର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଏନେଇ ଖବର ପାଇବା ପରେ ଦେଓଗାଁ ପୁଲିସ ଉପରଝର ଗାଁରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି।