ମାଲକାନଗିରି, ୩/୧୦: ରାଜ୍ୟସ୍ଥରୀୟ ଜୁଡୋ ଚମ୍ପିୟାନସିପରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ଭାଗ ନେଇ ସ୍ୱର୍ଣ୍ଣ, ରୋପ୍ୟ, କାଁସ୍ୟ ମୋଟ ୧୦ଟି ପଦକ ହାସଲ କରି ବାଜିମାରିଛନ୍ତି।
ସୂଚନା ମୁତାବକ, ଗତ ସେପ୍ଟେମ୍ବର ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଜୁଡୋ ଆସୋସିଏସନର ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲାର କେଟି ଗ୍ଲୋବଲ୍ ସ୍କୁଲ ପରିସର ମଧ୍ୟରେ ହୋଇଥିବା ରାଜ୍ୟ ସ୍ତରୀୟ ଜୁଡୋ ଚାମ୍ପିଅନସିପରେ ବିଭିନ୍ନ ବର୍ଗରେ ଯଥା ସବ୍ ଜୁନିଅର୍, ଜୁନିଅର୍, କେଡେଟ, ସିନିୟର୍ ର, ପୁରୁଷ ଏଵଂ ମହିଳା ବିଭାଗରେ ଭାଗନେଇ ୨୧ ଜଣ ଆଦିବାସୀ ଛାତ୍ରଛାତ୍ରୀ ମାଲକାନଗିରି ଜିଲ୍ଲା ପାଇଁ ଗର୍ବ ଏଵଂ ଗୌରବ ସାଉଁଟିଛନ୍ତି।
ମାଲକାନଗିରି ଜିଲ୍ଲାର ଜୁଡୋ ଖେଳାଳୀଙ୍କ ସମେତ ଅଫିସିଆଲ୍ ଖେଳାଳୀଙ୍କ ମଧ୍ୟରେ ପ୍ରାୟତ ସମସ୍ତେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ କିଛି ବାପା ମାଆ ଛେଉଣ୍ଡ ଅନାଥ ଏଵଂ ଏକକ ପିତା ମାତା ଥିବା ଖେଳାଳୀବି ରହିଛନ୍ତି। କନିଷ୍ଠ ବର୍ଗରେ ଆଦିବାସୀ ଛାତ୍ର ମହେଶ ହନ୍ତାଳ ୩୦ କେଜି ଓଜନ ବିଭାଗରେ ସ୍ୱର୍ଣ୍ଣ ପଦକ, ବିନୋଦ ଚଲାନ ୪୦ କେଜି ଓଜନ ବିଭାଗରେ ସ୍ୱର୍ଣ୍ଣ ପଦକ, ସିମାଞ୍ଚଳ ଦଳପତି ୪୫ କେଜି ଓଜନ ବିଭାଗରେ ରୌପ୍ୟ ପଦକ, କର୍ଣ୍ଣ ସୀସା ୩୫ କେଜି ଓଜନ ବିଭାଗରେ କାଂସ୍ୟ ପଦକ, ଚାନ୍ଦିନୀ ମାଡକାମି ୩୫ କେଜି ଓଜନ ବିଭାଗରେ କାଂସ୍ୟ ପଦକ, ଜଗା ମାଢ଼ି ୩୫ କେଜି ଓଜନ ବିଭାଗରେ କାଂସ୍ୟ ପଦକ, କେଡେଟ୍ ବର୍ଗରେ ଅର୍ଜୁନ ଖରା ୫୦ କେଜି ଓଜନ ବିଭାଗରେ କାଂସ୍ୟ ପଦକ ହାସଲ କରିଛନ୍ତି।
ଜୁନିଅର୍ ବର୍ଗରେ ରାମ ମାଢ଼ି ୫୦ କେଜି ଓଜନ ବିଭାଗରେ କାଂସ୍ୟ ପଦକ ଓ ବରିଷ୍ଠ ମହିଳା ବର୍ଗରେ ଲକ୍ଷ୍ମୀ ସୋଡ଼ି ୫୨ କେଜି ଓଜନ ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ସୁମିତ୍ରା ମାଢ଼ି ୫୭ ଓଜନ ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି।
ଉକ୍ତ ସମସ୍ତ ଖେଳାଳିଙ୍କ ମଧ୍ୟରୁ କନିଷ୍ଠ ବର୍ଗରେ ମହେଶ ହନ୍ତାଳ ଏଵଂ ଵିନୋଦ ଚଲାନ ଉଭୟ, ହାଇଦ୍ରାବାଦ ଠାରେ ଆଗାମୀ ନଭେମ୍ବର ମାସ ପ୍ରଥମ ସପ୍ତାହରେ ଜାତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଜୁଡୋ ଚାମ୍ପିଅନସିପରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଜିଲ୍ଲା ଜୁଡୋ ଆସୋସିଏସନ୍ ଏବଂ ଆଓମା ଗୁରୁକୂଳର ମିଳିତ ସହଯୋଗରେ ଉକ୍ତ ସମସ୍ତ ଖେଳାଳୀଙ୍କୁ ପ୍ରଶିକ୍ଷଣ ଦେବା ସହିତ ରାଜ୍ୟ ସ୍ତରୀୟ ଚାମ୍ପିଅନସିପରେ ଭାଗ ନେବାପାଇଁ ସୁଯୋଗ ମିଳିଥିଲା। ସମସ୍ତ ଖେଳାଳୀଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ଜୁଡୋ ଓ ଆଓମା ଗୁରୁକୁଳ ପକ୍ଷରୁ ଧନ୍ୟବାଦ୍ ଜଣାଇଛନ୍ତି।