ନବରଙ୍ଗପୁର,୧୦।୧୧( ଆପ୍ର): ନାବାଳିକା ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜଜ୍ ଓ ପୋକସୋ ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆହୁରି ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଆରତ ଛାତି (୩0)।ତାଙ୍କ ଘର ଡାବୁଗାଁ ଥାନା ଖଲିଗୁଡା ଗ୍ରାମରେ ।
ନାବାଳିକା ଜଣକ ଶୌଚପାଇଁ ଯାଇଥିବା ବେଳେ ବାଟରୁ ଟେକି ନେଇ ଆରତ ଛାତି ବଳାତ୍କାର କରିଥିଲା । ବଳାତ୍କାର ପରେ ଏହି ଘଟଣା ବାହାରେ ପ୍ରଘଟ କଲେ ଜୀବନରେ ମାରିଦେବାକୁ ନାବାଳିକାକୁ ଧମକ୍ ଦେଇଥିଲା। ଏଭଳି ବାରମ୍ବାର ବଳାତ୍କାର କରିଥିଲା। ନାବାଳିକା ଜଣକ ୫ ମାସର ଗର୍ଭବତୀ ହୋଇଥିଲେ। ଏକଥା ନାବାଳିକା କହିବା ପରେ ମଧ୍ୟ ଆରତ ଗୁରୁତ୍ବ ଦେଇନଥିଲା।ପରେ ନାବାଳିକାର ପରିବାର ଲୋକେ ଜାଣିବା ପରେ ଆରତର ପରିବାରକୁ ନାବାଳିକାର ପରିବାର ଭେଟି କହିବା ପରେ ମଧ୍ୟ ସେମାନେ ଗୁରୁତ୍ବ ଦେଇନଥିଲେ। ଶେଷରେ ପୀଡିତାର ପରିବାର ପକ୍ଷରୁ ୪ ଜୁଲାଇ ୨୦୧୫ରେ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିଭିକରି ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାରେ ୨୪ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିଭିକରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ମାମଲାକୁ ପରିଚାଳନା କରୁଥିବା ସ୍ବତନ୍ତ୍ର ପବ୍ଳିକପ୍ରସିକ୍ୟୁଟର ସଚ୍ଚିନନ୍ଦନ ସ୍ବାଇଁ ଏହି ସୂଚନା ଦେଇଛନ୍ତି।