ଭୁବନେଶ୍ୱର, ୨୪ ।୩ : କେବଳ ସରକାରଙ୍କ ଚେଷ୍ଟା ଯଥେଷ୍ଟ ନୁହଁ, ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଜନ ଭାଗୀଦାରି ଆବଶ୍ୟକ । ଏହାଦ୍ୱାରା ଯକ୍ଷ୍ମାମୁକ୍ତ ଅଭିଯାନ ଶତ ପ୍ରତିଶତ ସଫଳତା ହାସଲ କରିବ ।  ଦେଶରୁ ଯକ୍ଷ୍ମା ରୋଗ ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ ହେବ । ଲୋକସେବା ଭବନଠାରେ ରାଜ୍ୟସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି ଅବସରରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ୨.୦ ର ଶହେ ଦିନିଆ କ୍ୟାମ୍ପେନ୍ ଶୁଭାରମ୍ଭ କରାଯାଇଛି ।

ରାଷ୍ଟ୍ରୀୟ ସ୍ତରରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଯକ୍ଷ୍ମା ମୁକ୍ତ ଭାରତ: ଶହେ ଦିନିଆ ଅଭିଯାନ- ୨.୦ ର ଶୁଭାରମ୍ଭ କରିଛନ୍ତି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଠାରେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ । ଭାରତ ସରକାରଙ୍କ ପକ୍ଷରୁ ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି, ଆଗାମୀ ଶହେ ଦିନକୁ ଦୃଷ୍ଟିରେ ରଖି ଏଥିପାଇଁ ବେଷ୍ଟ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଇଛି । ଆମେ କେବଳ ସ୍ଲୋଗାନ୍ରେ ସୀମିତ ରଖିନାହୁଁ, ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଛୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ସ୍ୱୀକୃତି ପ୍ରିୟଦର୍ଶିନୀ ବେହେରାଙ୍କୁ ଫୁଡ୍ ବାସ୍କେଟ୍ ପ୍ରଦାନ କରି ରାଜ୍ୟସ୍ତରୀୟ କ୍ୟାମ୍ପେନର ଶୁଭାରମ୍ଭ କରିଥିଲେ । ରାଜ୍ୟର ସମସ୍ତ ଲୋକପ୍ରତିନିଧିଙ୍କୁ ନିଜ ନିଜ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଏହି ରୋଗ ସମ୍ପର୍କରେ ଥିବା ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ସିଭିଲ୍ ସୋସାଇଟି ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଏହି ଅଭିଯାନରେ ସାମିଲ ହେବା ପାଇଁ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଆମ ସରକାର ପ୍ରାଥମିକତା ଦେଇ ଆସିଛି । ୨୦୨୬-୨୭ ବର୍ଷ ପାଇଁ ଆମର ସ୍ୱାସ୍ଥ୍ୟ ବଜେଟ ୨୩ ହଜାର ୧୮୨ କୋଟି ଟଙ୍କା ରଖାଯାଇଛି, ଯାହାକି ସମ୍ପୂର୍ଣ୍ଣ ବଜେଟ ଅଟକଳର ୭.୫ ପ୍ରତିଶତ ଏବଂ ମୋଟ ରାଜ୍ୟ ଘରୋଇ ଉତ୍ପାଦ (GSDP)ର ୨.୧ ପ୍ରତିଶତ । ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ୍ ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ୍, ନିରାମୟ, ନିଦାନ ଆଦି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସ୍ୱାସ୍ଥ୍ୟସେବା ଓ ରୋଗ ନିରୂପଣ ସେବା ମାଗଣାରେ ଯୋଗାଇ ଦିଆଯାଉଛି । ଓଡ଼ିଶାର ପ୍ରତ୍ୟେକ ନାଗରିକ ଯେପରି ବିନା ଚିନ୍ତାରେ, ବିନା ଆର୍ଥିକ ବୋଝରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇପାରିବ, ସେଥିପାଇଁ ଆମର ନିରନ୍ତର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯକ୍ଷ୍ମା ରୋଗ ବିରୋଧରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ଏବଂ ସ୍ୱାସ୍ଥ୍ୟ ବିଭାଗର ତ୍ୱରିତ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ। ଏଥି ସହିତ ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳ ମାନଙ୍କରେ ଏହି ରୋଗ ବିରୁଦ୍ଧରେ ଅଭିଯାନକୁ ବିଶେଷ ରୂପେ ଧ୍ୟାନ ରଖାଯିବ ବୋଲି କହିଥିଲେ ।ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତି ଏସ୍. ସ୍ୱାଗତ ଭାଷଣ ଦେଇଥିଲେ। ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ. ନୀଳକଣ୍ଠ ମିଶ୍ର ଧନ୍ୟବାଦ ଦେଇଥିଲେ ।