ଛତିଶଗଡ଼ ୨୪/୧୨: ଛତିଶଗଡ଼ର ବସ୍ତର କ୍ଷେତ୍ରରେ ଏକ ଅଜବ ଠକେଇ ମାମଲା ସାମ୍ନାକୁ ଆସିଛି । ବିବାହିତ ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନାରେ ଏହି ଠକେଇ ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୋଗ ଅନୁସାରେ, ଜଣେ ବ୍ୟକ୍ତି ବଲିଉଡ୍‌ ଅଭିନେତ୍ରୀ ସନି ଲିଓନିଙ୍କ ନାଁରେ ଏକ ଆକାଉଣ୍ଟ୍‌ ଖୋଲି ପ୍ରତି ମାସ ୧୦୦୦ ଟଙ୍କା ହାତଉଥିଲେ । ବିଜେପି ସରକାରଙ୍କ ମହତାରି ବନ୍ଦନ ଯୋଜନା ଅନ୍ତର୍ଗତ ଛତିଶଗଡ଼ର ଆର୍ଥିକ ଅନଗ୍ରସର ବିବାହିତ ମହିଳାଙ୍କ ବ୍ୟାଙ୍କ୍‌ ଖାତାରେ ପ୍ରତି ମାସ ୧୦୦୦ ଟଙ୍କା ଜମା ହେଉଛି । କିନ୍ତୁ ଅଭିନେତ୍ରୀ ସନି ଲଓନିଙ୍କ ନାଁରେ ବ୍ୟାଙ୍କ୍‌ ଖାତାରେ ପ୍ରତି ମାସ ଟଙ୍କା ଜମା ହେବା ମାମଲା ସଭିଁଙ୍କୁ ଚକିତ କରିଛି । 

ଏହି ମିଛ ଆକାଉଣ୍ଟ୍‌ ଖୋଲି ଚଲାଉଥିବା ବ୍ୟକ୍ତିଙ୍କ ନାଁ ବିରେନ୍ଦ୍ର ଯୋଶୀ । ଅଧିକ ଯାଞ୍ଚ୍‌ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆକାଉଣ୍ଟ୍‌କୁ ବି ସିଜ୍‌ କରାଯାଇଛି । ଏହି ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ୍‌ ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କ ପରିଚୟ ମଧ୍ୟ ପୁଲିସ ଖୋଜୁଛି । ଜିଲ୍ଲାପାଳ ହରିସ ଏସ୍‌ ମାମଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ କହିଛନ୍ତି । ଠକେଇ ଚର୍ଚ୍ଚାକୁ ଆସିବା ପରେ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ବିବାଦ ଆରମ୍ଭ ହୋଇଛି ।