ନୂଆଦିଲ୍ଲୀ, ୧୬/୦୬ : ଅଶୋଧିତ ତୈଳ ଆମଦାନି ଉପରେ ନିର୍ଭରଶୀଳତା ଓ ଯାନରୁ ନିର୍ଗତ ଅଙ୍ଗାରକ ହ୍ରାସ ଲାଗି ଭାରତ ପେଟ୍ରୋଲରେ ଇଥାନଲର ବ୍ୟବହାରକୁ ଦ୍ରୁତ ବଢ଼ାଉଛି। ଇଥାନଲକୁ ପ୍ରାୟତଃ ଏକ ସ୍ୱଚ୍ଛ ଇନ୍ଧନ କୁହାଯାଏ, କାରଣ ଏହା ଜୀବାଶ୍ମ ଇନ୍ଧନ ନୁହେଁ, ଫସଲରୁ ପ୍ରସ୍ତୁତ ହୋଇଥାଏ। ସେହି ଦୃଷ୍ଟିରୁ ଚାଷର ପୂରା ପ୍ରକ୍ରିୟାକୁ ଧ୍ୟାନରେ ରଖି ୧ ଲିଟର ଇଥାନଲ ଉତ୍ପାଦନ ଲାଗି ୧୦ ହଜାର ଲିଟର ଜଳ ଆବଶ୍ୟକ ହୋଇପାରେ । ଉଦାହରଣ ସ୍ୱରୂପ, ଚାଉଳ-ଆଧାରିତ ଇଥାନଲ ପାଇଁ ପ୍ରତି ଲିଟର ଇନ୍ଧନ ପ୍ରସ୍ତୁତିରେ ୧୦,୭୯୦ ଲିଟର ଜଳ ଆବଶ୍ୟକ । ଏହି କାରଣରୁ ଇଥାନଲ ଅନ୍ୟତମ ସର୍ବାଧିକ ଜଳ ଖର୍ଚ୍ଚ କରୁଥିବା ଜୈବଇନ୍ଧନ ହୋଇଛି । ଦେଶର ଇଥାନଲ ଉତ୍ପାଦନ ଦିନକୁ ଦିନ ବଢୁଥିବାରୁ ଏକ ନୂଆ ପ୍ରଶ୍ନ ବୈଜ୍ଞାନିକ, ନୀତି ନିର୍ମାତା ଓ ପରିବେଶବିତ୍‌ଙ୍କ ଧ୍ୟାନ ଆକର୍ଷଣ କରିଛି । ତାହା ହେଉଛି ଇଥାନଲ ଉତ୍ପାଦନ ନିମନ୍ତେ କେତେ ଜଳ ଆବଶ୍ୟକ?

ଏହାର ଉତ୍ତର ଅଧିକ ଜଟିଳ । ଆଧୁନିକ ଇଥାନଲ କାରଖାନାଗୁଡ଼ିକ ଉତ୍ପାଦନ ପ୍ରକ୍ରିୟାରେ ଅପେକ୍ଷାକୃତ କମ୍‌ ପରିମାଣର ଜଳ ଉପଯୋଗ କରୁଥାଇପାରନ୍ତି । କିନ୍ତୁ ଇଥାନଲ ପ୍ରସ୍ତୁତକାରୀ ଫସଲଗୁଡ଼ିକର ଚାଷରେ ପ୍ରଚୁର ପରିମାଣର ଜଳ ଆବଶ୍ୟକ ହୁଏ । ଏହାର ଅର୍ଥ କାରଖାନାରେ ଇଥାନଲ ପ୍ରସ୍ତୁତ ହେବାର ବହୁ ପୂର୍ବରୁ ଜଳ ଖର୍ଚ୍ଚ ଆରମ୍ଭ ହୋଇଯାଏ । ଇଥାନଲ ଏକ ପ୍ରକାର ଆଲ୍‌କହଲ ଯାହା ଉଦ୍ଭିଦ- ଭିତ୍ତିକ ଉପାଦାନ ଯଥା- ଆଖୁ, ତରଳ ଗୁଡ଼, ମକା ଓ ଚାଉଳର ପ୍ରକ୍ରିୟାକରଣରୁ ପ୍ରସ୍ତୁତ ହୋଇଥାଏ । ଏହାକୁ ପେଟ୍ରୋଲରେ ମିଶାଇ ଯାନର ଇନ୍ଧନ ରୂପେ ବ୍ୟବହାର କରାଯାଏ । ତୈଳ ଆମଦାନି ହ୍ରାସ, ଚାଷୀଙ୍କୁ ସମର୍ଥନ ଏବଂ ଅଙ୍ଗାରକ ନିର୍ଗମନ ହ୍ରାସ ଲାଗି ସରକାର ଇଥାନଲ ମିଶ୍ରଣକୁ ପ୍ରୋତ୍ସାହନ ଦେଉଛନ୍ତି । ଇଥାନଲ ଆଜି ଭାରତର ଶକ୍ତି ରଣନୀତିର ପ୍ରମୁଖ ସ୍ତମ୍ଭ ହୋଇଛି । ତୈଳ କମ୍ପାନିମାନେ ପେଟ୍ରୋଲରେ ଇଥାନଲ ମିଶ୍ରଣ ପୂର୍ବରୁ ଚିନି ମିଲ୍‌ ଓ କାରଖାନାଗୁଡ଼ିକରୁ ଇଥାନଲ କିଣୁଛନ୍ତି । ମିଶ୍ରଣ ଲକ୍ଷ୍ୟ ବଢ଼ିବା ସହିତ ଇଥାନଲ ଚାହିଦା ମଧ୍ୟ ବଢୁଛି । କିନ୍ତୁ ଅଧିକ ଇଥାନଲ ଉତ୍ପାଦନର ଅର୍ଥ ଅଧିକ ଖାଦ୍ୟ ଫସଲ ଉତ୍ପାଦନ । ଏଥିପାଇଁ ଜଳର ଅଧିକ ଆବଶ୍ୟକତା ଚିନ୍ତାର ବଡ଼ କାରଣ ହୋଇଛି ।

ଇଥାନଲ ପ୍ରସ୍ତୁତି ନିମନ୍ତେ ଦୁଇ ପ୍ରକାର ମାର୍ଗରେ ଜଳର ଉପଯୋଗ ହୋଇଥାଏ । ପ୍ରଥମତଃ ଇଥାନଲ ଉତ୍ପାଦନ ନିମନ୍ତେ କାରଖାନାରେ ବ୍ୟବହୃତ ଜଳ । ଆଧୁନିକ କାରଖାନାଗୁଡ଼ିକ ୧ ଲିଟର ଇଥାନଲ ଉତ୍ପାଦନ ଲାଗି ୩-୪ ଲିଟର ପ୍ରକ୍ରିୟାକୃତ ଜଳ ଉପଯୋଗ କରୁଛନ୍ତି । ୨ୟତଃ ମୋଟ୍‌ ଜଳ ଖର୍ଚ୍ଚ, ଯେଉଁଥିରେ ଇଥାନଲ ପ୍ରସ୍ତୁତିରେ ବ୍ୟବହୃତ ଫସଲର ଚାଷ ଲାଗି ଆବଶ୍ୟକ ହେଉଥିବା ଜଳ, ଯାହାର ପରିମାଣ ଅତ୍ୟନ୍ତ ବ୍ୟାପକ । ସରଳ ଭାଷାରେ କହିଲେ, କାରଖାନାଗୁଡ଼ିକ ଇଥାନଲ ପ୍ରସ୍ତୁତିରେ କମ୍‌ ପାଣି ଉପଯୋଗ କରୁଥାଇ ପାରନ୍ତି । କିନ୍ତୁ ଏଥିନିମନ୍ତେ ଆବଶ୍ୟକ ଫସଲ ଉତ୍ପାଦନରେ ହଜାର ହଜାର ଲିଟର ପାଣି ଆବଶ୍ୟକ । ତନ୍ମଧ୍ୟରେ ଇଥାନଲ ଉତ୍ପାଦନ ନିମନ୍ତେ ଚାଉଳ ଉତ୍ପାଦନରେ ସର୍ବାଧିକ ପାଣି ଆବଶ୍ୟକ ହେଉଛି । ଚାଉଳରୁ ୧ ଲିଟର ଇଥାନଲ ଉତ୍ପାଦନ ଲାଗି ଚାଉଳ ଚାଷରେ ୧୦,୭୯୦ ଲିଟର ପାଣି ଆବଶ୍ୟକ । କାରଣ ଧାନ ଫସଲ ପାଇଁ କ୍ଷେତରେ ହଜାର ହଜାର ଲିଟର ପାଣି ଆବଶ୍ୟକ ହୋଇଥାଏ । ଅନେକ ଧାନ ଉତ୍ପାଦନକାରୀ କ୍ଷେତ୍ର ପୂର୍ବରୁ ଜଳ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି । ଇନ୍ଧନ ଉତ୍ପାଦନ ଲାଗି ବ୍ୟାପକ ଜଳ ଆବଶ୍ୟକ କରୁଥିବା ଫସଲର ଉପଯୋଗ ଜଳ ସ୍ରୋତ ଉପରେ ଅତିରିକ୍ତ ବୋଝ ସୃଷ୍ଟି କରୁଛି ବୋଲି ସମାଲୋଚକ କହୁଛନ୍ତି । କିନ୍ତୁ ଏହାର ସମର୍ଥକଙ୍କ ଦାବି, କିଛି ବଳକା କିମ୍ବା କ୍ଷତିଗ୍ରସ୍ତ ଚାଉଳରୁ ଇଥାନଲ ପ୍ରସ୍ତୁତ ହେଉଛି, ଯାହା ଜଳ ସ୍ରୋତ ଉପରେ ଅଧିକ ଚାପ ପକାଇବ ନାହିଁ । ତେବେ ଚାଉଳ ଏକମାତ୍ର ଶସ୍ୟ ନୁହେଁ, ଯାହାର ଫସଲ ଲାଗି ଅଧିକ ଜଳ ଖର୍ଚ୍ଚ ହେଉଛି । ଆଖୁ ଓ ମକା ଭଳି ଫସଲ ଉତ୍ପାଦନରେ ବ୍ୟାପକ ଜଳ ଆବଶ୍ୟକ । ଆଖୁରୁ ୧ ଲିଟର ଇଥାନଲ ପ୍ରସ୍ତୁତି ଲାଗି ଆଖୁ ଚାଷରେ ୩,୬୩୦ ଲିଟର ପାଣି ଖର୍ଚ୍ଚ ହେଉଛି । ଏହା ଚାଉଳ ଉତ୍ପାଦନଠୁ କମ୍‌ ହେଲେ ମଧ୍ୟ ଭାରତର ଅନ୍ୟତମ ସର୍ବାଧିକ ଜଳ-ଆବଶ୍ୟକ କରୁଥିବା ଫସଲ ରୂପେ ପରିଚିତ ।

ସେହିପରି ମକାରୁ ୧ ଲିଟର ଇଥାନଲ ଉତ୍ପାଦନ ନିମନ୍ତେ ୪,୬୭୦ ଲିଟର ପାଣି ଆବଶ୍ୟକ ହୁଏ । ଚାଉଳ ଫସଲ ଅପେକ୍ଷା ମକା ଉତ୍ପାଦନରେ କମ୍‌ ପାଣି ଆବଶ୍ୟକ ହେଲେ ମଧ୍ୟ ଆବଶ୍ୟକଠୁ ଅଧିକ ଉତ୍ପାଦନ ଜଳ ସ୍ରୋତ ଉପରେ ଅତ୍ୟଧିକ ଚାପ ପକାଉଛି । ଭାରତର ଇଥାନଲ ଉତ୍ପାଦନ ମୁଖ୍ୟତଃ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ହୋଇଥାଏ । ସଂଯୋଗବଶତଃ, ଏହିସବୁ ରାଜ୍ୟର ଅନେକ ଜିଲ୍ଲା ଭୂଜଳ ଚାପ ଓ ଋତୁକାଳୀନ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । କମ୍‌ ଜଳରେ ଇଥାନଲ ଉତ୍ପାଦନ ହୋଇପାରିବ ବୋଲି ବିଶେଷଜ୍ଞଙ୍କ ବିଶ୍ୱାସ । କିନ୍ତୁ ଏଥିପାଇଁ ଉଭୟ ଚାଷ ଓ ଇନ୍ଧନ ଉତ୍ପାଦନରେ ପରିବର୍ତ୍ତନ ଆବଶ୍ୟକ।

ଆହୁରି ପଢନ୍ତୁ- ଶୀଘ୍ର ବଜାରକୁ ଆସିବ ଇ-୧୦୦ ମଡେଲ୍‌ ଗାଡି, ଅଶୋଧିତ ତେଲ ଆମଦାନି ଓ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ

ରାସ୍ତାରେ ଗଡ଼ିବ ୧୦୦% ଇଥନାଲ ଗାଡ଼ି,ଇ-୧୦୦ ଯାନ ଚଳାଚଳ ଲାଗି କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ..