ଜଗତସିଂହପୁର,୨୪/୦୬: ଏକ  ୧୦୮ ଆମ୍ବୁଲାନ୍ସରେ ଜରି ବସ୍ତାରେ ଅନେକ ପ୍ରକାରର ସାମଗ୍ରୀ ବୁହା ହେଉଥିବା ଭିଡ଼ିଓ  ଭାଇରାଲ ହୋଇଛି । ଚାରିପୋଲିଆ ଛକଠାରୁ କିଛି ଦୂରରେ ଉକ୍ତ ଆମ୍ବୁଲାନ୍ସକୁ ଅଟକାଇ ଅନେକ ଲୋକ ହୋହାଲ୍ଲା କରିଥିବା ଖବର ମିଳିଥିଲା । ତେବେ ଏସବୁ ଜିନିଷ କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ପ୍ରଥମେ ଉକ୍ତ ଆମ୍ବୁଲାନ୍ସଟି ଜଗତସିଂହପୁର ଥାନା ପଛ ପଟେ  ଅଟକି ରହିଥିଲା । କୌଣସି ସୂତ୍ରରୁ ଖବର ପାଇଁ  କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଆମ୍ବୁଲାନ୍ସର ପଛ ଫାଟକ ଖୋଲିବାକୁ କହିଥିଲେ । ଏହି ସମୟରେ ରୋଗୀ ଆଣିବାକୁ ଫୋନ୍‌ କଲ୍‌  ଆସିଥିବା କହି ଆମ୍ବୁଲାନ୍ସକୁ ଧରି ଚାଳକ ଓ  ଅନ୍ୟ ଦୁଇ ଜଣ ସେଠାରୁ ଚମ୍ପଟ ମାରିଥିଲେ । ଏଣେ କିନ୍ତୁ ଖବର ପ୍ରଘଟ ହୋଇଯାଇଥିବାରୁ  ଉକ୍ତ ଆମ୍ବୁଲାନ୍ସକୁ ଚାରିପୋଲିଆ ଛକ ଠାରୁ  କିଛି ଦୂରରେ ଲୋକେ ଅଟକାଇ ଦେବା  ପରେ ଅସଲ ଗୁମର ଫିଟିଥିଲା । 

ପ୍ରକୃତରେ  ବି ଆମ୍ବୁଲାନ୍ସରେ ପାଖାପାଖି ୨୨ଟି ଜରି  ବସ୍ତାରେ ବହି, ସାମ୍ପୋ, ମଲମ ଆଦି ଭର୍ତ୍ତି  ହୋଇ କେଉଁ ଆଡ଼କୁ ଚାଲାଣ କରାଯାଉଥିବା  ଜଣାପଡ଼ିଥିଲା । ଜନ ସାଧାରଣ ଘେରିଯିବା ପରେ ଆମ୍ବୁଲାନ୍ସଟି ଜଗତସିଂହପୁର ଆଡ଼କୁ ପୁଣି ଫେରିଥିଲା । ତେବେ ରୋଗୀ ଯଦି ଆଣିବାକୁ ଆମ୍ବୁଲାନ୍ସଟି ଯାଇଥିଲା ତାହେଲେ ଫେରିଲା କାହିଁକି? ଏତଦ୍‌ଭିନ୍ନ ଆମ୍ବୁଲାନ୍ସ ଭିତରେ ପର୍ଯ୍ୟାପ୍ତ ପରିମାଣର ଜିନିଷ ମହଜୁଦ ଥିବାରୁ ରୋଗୀଟିଏ ଆସିଥାନ୍ତେ କେମିତି? ଏସବୁ ପ୍ରଶ୍ନ ଅସାମାହିତ ହୋଇ ରହିଥିବା  ବେଳେ ଆମ୍ବୁଲାନ୍ସ ଚାଳକ ମଣ୍ଡାସାହି ଅଞ୍ଚଳରୁ ରୋଗୀ ଆସିଥାନ୍ତେ ବୋଲି  ସଫେଇ ଦେଉଥିବା ଦେଖି ଉପସ୍ଥିତ  କିଛି ଲୋକ ଆଶ୍ଚର୍ଯ୍ୟ ପ୍ରକାଶ  କରିଥିଲେ । 

ବର୍ତ୍ତମାନ ସମୟରେ ଜିଲ୍ଲାରେ ଚଳାଚଳ କରୁଥିବା ଅନେକ ୧୦୮ ଆମ୍ବୁଲାନ୍ସ ଦଦରା ହୋଇପଡ଼ିଛି । ଫଳରେ  ବିପଦ୍‌ଜନକ ଅବସ୍ଥାରେ ରୋଗୀମାନଙ୍କୁ ଏଥିରେ ପରିବହନ କରାଯାଉଛି । ଏଣେ ପୁଣି ଆମ୍ବୁଲାନ୍ସରେ ଜିନିଷ ପତ୍ର ବୁହା ହେବାର ପ୍ରମାଣ ମିଳିଛି । କୁହାଯାଉଛି କି, ଚୌଦ୍ୱାରରୁ  ଏସବୁ ଜିନିଷ ଜଗତସିଂହପୁରକୁ ଆସିଥିଲା । ପୂର୍ବରୁ ମଧ୍ୟ ଅନେକ ଥର ଏସବୁ ଜିନିଷ ଆମ୍ବୁଲାନ୍ସରେ କୁଆଡ଼େ ଅଣାଯାଇଛି ।