ମୁମ୍ବାଇ ୧୨/୦୩: ନିଜ କାମକୁ ସଫଳତାପୂର୍ବକ କରିବା ଏକ ଉପଲବ୍ଧି । କିନ୍ତୁ ଯେତେବେଳେ ଲୋକେ ଏଥିଲାଗି ପ୍ରଶଂସା କରିଥାନ୍ତି ସେତେବେଳେ ମନ କୌଣସି ସମ୍ମାନ ପାଇବାଠାରୁ ବି ଅଧିକ ପ୍ରଫୁଲ୍ଲିତ ହୋଇଯାଇଥାଏ । ଏହା କହନ୍ତି ଜାପାନର ୧୦୮ ବର୍ଷୀୟା ଶିତ୍‌ସୁଇ ହକୋଇଶି । ନିକଟରେ ତାଙ୍କୁ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍ଡ ରେକ୍‌ର୍ଡସ ପକ୍ଷରୁ ବିଶ୍ୱର ସବୁଠୁ ବୟସ୍କା ନାପିତ ଭାବେ ଘୋଷଣା କରାଯାଇଛି । 

ଶିତସୁଇ ଏତେ ବର୍ଷ ବୟସରେ ସୁଦ୍ଧା ନିଜର କାର୍ଯ୍ୟ ଜାରି ରଖିଛନ୍ତି । ତାଙ୍କର ସାଲୋନ୍‌ ଟୋଚିଗି ପ୍ରାନ୍ତର ନାକାଗୱାରେ ରହିଛି ଯାହାକି ରାଜଧାନୀ ଟୋକିଓଠାରୁ ପ୍ରାୟ ୩ ଘଣ୍ଟା ଦୂର । ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଯାଇଛନ୍ତି ଶିତ୍‌ସୁଇ । ତଥାପି ନିଜର ଲକ୍ଷ୍ୟପଥରୁ ଭ୍ରମିତ ହୋଇନାହାନ୍ତି । ୧୯୧୬ ମସିହା ନଭେମ୍ବର ୧୦ ତାରିଖରେ ନାକାଗୱାରେ ଏକ କୃଷକ ପରିବାରରେ ତାଙ୍କର ଜନ୍ମ । ମାତ୍ର ୧୪ ବର୍ଷ ବୟସରେ ନାପିତ ହେବାକୁ ନିଷ୍ପତ୍ତି ନେଇ ଏକୁଟିଆ ଟୋକିଓ ପଳାଇ ତାଲିମ ନେଇଥିଲେ ସେ । ତାଙ୍କୁ ୧୮ ବର୍ଷ ହେବାପରେ ନାପିତ ପରୀକ୍ଷାରେ ପାସ୍‌ କରିଥିଲେ । ଏହାପରେ ସ୍ୱାମୀ ଜିରୋଙ୍କ ସହିତ ସାଲୋନ୍‌ ଖୋଲିଥିଲେ ସେ । କିନ୍ତୁ ଦୁର୍ଭାଗ୍ୟକୁ ଜିରୋଙ୍କୁ ଜବରଦସ୍ତ ସେନାରେ ଭର୍ତ୍ତି କରାଗଲା । ପରବର୍ତ୍ତୀ ସମୟରେ ଏକ ଯୁଦ୍ଧରେ ତାଙ୍କର ମୃତ୍ୟୁ ଘଟିଲା । ଯୁଦ୍ଧ ସମୟରେ ବୋମାମାଡ଼ ଯୋଗୁ ଶିତସୁଇଙ୍କର ଘର ଓ ସାଲୋନ୍‌ ବି ନଷ୍ଟ ହୋଇଗଲା ।

ଏହାପରେ ୧୯୫୩ରେ ଟୋଚିଗି ପ୍ରାନ୍ତର ନାକାଗୱାରେ ସେ ଆଉ ଏକ ସାଲୋନ୍‌ ଖୋଲିଥିଲେ ଯେଉଁଠାରେ ସେ ଅଦ୍ୟାବଧି କାମ କରିଆସୁଛନ୍ତି । ବୟସାଧିକ୍ୟ ଯୋଗୁ ଶିତସୁଇ ଏବେ ଅଧିକାଂଶ ସମୟ ଏକ ଜରାଶ୍ରମରେ ବିତାଉଛନ୍ତି । କୌଣସି ପୁରୁଣା ଗ୍ରାହକ କେଶ କାଟିବା ଲାଗି ତାଙ୍କୁ ଫୋନ୍‌ କଲେ ସେ ତୁରନ୍ତ ସାଲୋନ୍‌ ପହଞ୍ଚିଯାନ୍ତି । ଆଗକୁ ୧୧୦ ବର୍ଷ ହେବାଯାଏ ସେ ନିଜର କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।