ଭୁବନେଶ୍ୱର: ଫୁଲନଖରା ଠାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍‌ ନର୍ସିଂ କଲେଜ - ୨ ଓ ସୋସାଇଟି ଅଫ୍‌ ମିଡୱାଇଭସ୍‌ ଇଣ୍ଡିଆ (ସୋମି), ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ୧୦ମ ରାଜ୍ୟସ୍ତରୀୟ ସୋମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ମିଳନୀରେ ଡାକ୍ତର ଶେଫାଳି ମଲ୍ଲିକ୍‌, ଓଡିଶା ସରକାରଙ୍କ ଅତିରିକ୍ତ ନିର୍ଦ୍ଦେଶିକା  (ନର୍ସିଂ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମା ଓ ଶିଶୁର ମୃତ୍ୟୁହାରକୁ କିପରି ହ୍ରାସ କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ମହିଳାମାନଙ୍କର ପ୍ରଜନନ କ୍ଷମତା ଉପରେ ଆଲୋଚନା କରି ସେ ପ୍ରସୂତିମାନେ  କିଭଳି ସାଧାରଣ ଭାବେ ପ୍ରସବ କରିପାରିବେ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଏଥି ନିମନ୍ତେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ରଖିବା ଜରୁରୀ ସେ ବିଷୟରେ ଡାକ୍ତର ମଲ୍ଳିକ କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ଏହା ଏକ ଦକ୍ଷତା ଭିତିକ ସମ୍ମିଳନୀ ଯାହା ମାଧ୍ୟମରେ ନର୍ସିଂ ଅଫିସରମାନେ ପ୍ରଶିକ୍ଷିତ ହୋଇପାରିବେ। ଏପରି କର୍ମଶାଳା ମାଧ୍ୟମରେ ଲୋକମାନଙ୍କୁ ସଚେତନା କରାଯାଇପାରିବ ବୋଲି ପ୍ରକାଶ କରି ପ୍ରଫେସର ନନ୍ଦ କହିଥିଲେ ଯେ ଏପର୍ଯ୍ୟନ୍ତ ସୋଆ ବିଶ୍ୱବିଦ୍ୟାଳୟରେ ୫୫୦ରୁ ଊର୍ଦ୍ଧ୍ୱ କର୍ମଶାଳା ଓ ଆଲୋଚନାଚକ୍ର ଓ ୯୦ରୁ ଅଧିକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇପାରିଛି।

ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ -୨ ର ଡିନ୍‌ ପ୍ରଫେସର (ଡ.) ଅରକ୍ଷିତ ସ୍ୱାଇଁ ଯୋଗ ଦେଇଥିବା ସମସ୍ତ ନର୍ସିଂ ଅଫିସର, ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନେ ଏହି ସମ୍ମିଳନୀରେ ଅନେକ ଜ୍ଞାନ ଆହରଣ କରିପାରିବେ ଓ ମିଡ୍‌ୱାଇଫ୍‌ ମାନଙ୍କ ଭୂମିକା ବିଷୟରେ ଜାଣିପାରିବେ ବୋଲି କହିଥିଲେ।

ଫୁଲନଖରା ସମ୍‌ ହସ୍ପିଟାଲ- ୨ର ଅତିରିକ୍ତ ନିର୍ଦ୍ଦେଶିକା ତଥା ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ତାପସୀ ପତି ଯୋଗ ଦେଇ କହିଥିଲେ ଯେ ଜଣେ ନାରୀ ପାଇଁ ମାତୃତ୍ୱ ଲାଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିଗ ପ୍ରତି ଧ୍ୟାନ ଦେବା ସହିତ ପ୍ରସୂତିଙ୍କର  କିପରି ସାଧାରଣ ପ୍ରସବ କରାଯାଇପାରିବ ସେ ବିଷୟରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଛି।

ଏହି ଅବସରରେ ବିଶେଷ ଅତିଥି ଭାବେ ସୋମିର ପ୍ରତିଷ୍ଠାତା ତଥା ଉପଦେଷ୍ଟା ଡାକ୍ତର ଏମ୍‌. ପ୍ରକାଶମ୍ମା ଯୋଗ ଦେଇ କହିଥିଲେ ଯେ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ମିଡୱାଇଫଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ତଥା ସମ୍‌ ନସି କଲେଜର ନିର୍ଦ୍ଦେଶିକା ଓ ସଂଯୋଜିକା ପ୍ରଫେସର (ଡ.) ପ୍ରଭାତୀ ତ୍ରିପାଠୀ  ଓ ସୋମିର ସମ୍ପାଦିକା ଡ. ଅମ୍ରିତା ଲେଙ୍କା ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।

ସୋମି ଓଡିଶାର ପ୍ରତିଷ୍ଠାତା ଅର୍ଗାନାଇଜିଂ ସେକ୍ରେଟେରୀ ଓ ସମ୍‌ ନର୍ସିଂ କଲେଜ -୨ ର ପ୍ରଫେସର(ଡ.) ଅନୁରାଧା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍‌ ନର୍ସିଂ କଲେଜ -୨ ର ଟ୍ୟୁଟର ଶ୍ରୀମତି ଓମ୍‌ ଶୁଭଶ୍ରୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।