ନୂଆଦିଲ୍ଲୀ: ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଆଜି (ମଙ୍ଗଳବାର) ଏକ ବଡ ଅଘଟଣ ଘଟିଛି । ଏଠାରେ ବନାସ ନଦୀରେ ବୁଡ଼ି ଯିବାରୁ ୮ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଟୋଙ୍କ ଜିଲ୍ଲା ପୋଲିସ ଅଧିକ୍ଷକ ବିକାଶ ସାଙ୍ଗୱାନ କହିଛନ୍ତି ଯେ, ଜୟପୁରର ୧୧ ଜଣ ଯୁବକ ପିକନିକ୍ ପାଇଁ ଟୋଙ୍କରେ ଥିବା ବନାସ ନଦୀରେ ପହଞ୍ଚିଥିଲେ। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା ଏବଂ ୮ ଜଣ ଯୁବକ ବୁଡ଼ି ଯାଇଥିଲେ । ଏହି ସମସ୍ତ ଯୁବକଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହେବ ।
ଏହି ଦୁର୍ଘଟଣା ବନାସ ନଦୀର ପୁରୁଣା ସେତୁ ନିକଟ କଚ୍ଚା ବନ୍ଧା ନିକଟରେ ଘଟିଛି। ସ୍ଥାନୀୟ ଲୋକ ମାନେ ୩ ଜଣ ଯୁବକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ସେମାନେ ଜୟପୁରର ହସନପୁରା ଅଞ୍ଚଳର ବାସିନ୍ଦା ଥିଲେ। ସେମାନଙ୍କ ପରିବାର ସହିତ ଯୋଗାଯୋଗ କରାଯାଉଛି। ତେବେ ଏହି ଦୁର୍ଘଟଣା କିପରି ଘଟିଲା ତାହା ଯାଞ୍ଚ କରାଯାଉଛି। ତିନି ଜଣ ଯୁବକଙ୍କ ଚିକିତ୍ସା ଚାଲିଛି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଅଛି।
ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ରିଲିଫ୍ କାର୍ଯ୍ୟ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶର୍ମା ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ଟୋଙ୍କ୍ ଜିଲ୍ଲାରେ ବନାସ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ ଏବଂ ଯନ୍ତ୍ରଣାଦାୟକ। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ତୁରନ୍ତ ରିଲିଫ୍ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।