ଭବାନୀପାଟଣା: ଆତ୍ମସମର୍ପଣ କଲେ ୧୧ ମାଓବାଦୀ । ରବିବାର କଳାହାଣ୍ଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। କଳାହାଣ୍ଡି ପୁଲିସ ପକ୍ଷରୁ ଭବାନୀପାଟଣା ରିଜର୍ଭ ପୁଲିସ ପଡିଆଠାରେ ମାଓବାଦୀ ଆତ୍ମସମର୍ପଣ ସମାରୋହ ଅୟୋଜନ କରାଯାଇଥିଲା । ଏଥିରେ ଓଡିଶା ପୁଲିସ ଡିଜି ୱାଇ ବି ଖୁରାନିଆ ଯୋଗଦେଇ ଆତ୍ମସମର୍ପଣ କରିଥିବା ୧୧ ମାଓବାଦୀଙ୍କୁ ରାଷ୍ଟ୍ରର ମୂଖ୍ୟସ୍ରୋତରେ ସାମିଲ ହୋଇଥିବାରୁ ସ୍ବାଗତ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ। ଆତ୍ମସମର୍ପଣ ଓ ପୁନର୍ବାସ ନୀତିରେ ସମସ୍ତଙ୍କୁ ସୁବିଧା ଯୋଗାଇ ଦିଆଯିବ। ଦୀର୍ଘ ୨୫ବର୍ଷର ଲଢ଼େଇର ଅନ୍ତଃ ହେବାକୁ ଯାଉଛି। ଏଥିପାଇଁ ଆମ ଅନେକ ସୁରକ୍ଷା ବଳର ବାହାଦୁର ସୁରକ୍ଷା କର୍ମୀ ବଳିଦାନ ଦେଇଛନ୍ତି। ମାଓମୁକ୍ତ ଦେଶର ଆହ୍ବାନ ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଯେଉଁ ସମୟ ଅବଧି ମାର୍ଚ୍ଚ ୨୦୨୬ ଧାର୍ଯ୍ୟ କରିଛନ୍ତି। ତାହା ପାଖେଇ ଆସୁଛି। ଆମ ସୂଚନା ଅନୁସାରେ କଳାହାଣ୍ଡି କନ୍ଧମାଳ ଓ ରାୟଗଡ଼ା ସୀମାନ୍ତରେ ଆଉ ପ୍ରାୟ ୧୫ ଜଣ ମାଓବାଦୀ ଲୁଚିଛନ୍ତି। ଆମର ଧର୍ଯ୍ୟର ମଧ୍ୟ ଏକ ସୀମା ଅଛି। ସେମାନେ ଶୀଘ୍ର ଆତ୍ମ ସମର୍ପଣ କରି ହିଂସାର ରାସ୍ତା ଛାଡ଼ନ୍ତୁ ବୋଲି ଡିଜି ଆହ୍ବାନ କରିଛନ୍ତି।

ରାଜ୍ୟରେ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି। ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତିରେ ଅନୁପ୍ରାଣିତ ହୋଇ ପୁଣି ୧୧ ଜଣ ସକ୍ରିୟ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଆତ୍ମସମର୍ପଣ କରିଥିବା ଏହି କ୍ୟାଡରମାନଙ୍କ ମଧ୍ୟରେ ଜଣେ ଡିଭିଜନାଲ୍ କମିଟି ମେମ୍ବର, ୫ ଜଣ ଏରିଆ କମିଟି ମେମ୍ବର ଏବଂ ୫ ଜଣ ପାର୍ଟି ମେମ୍ବର ରହିଛନ୍ତି। ଏହି ସମସ୍ତ କ୍ୟାଡର ମୋଟ ୧ କୋଟି ୩୪ ଲକ୍ଷ ୨୩ ହଜାର ୬୯୦ ଟଙ୍କାର ପୁରସ୍କାର ଓ ସହାୟତା ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ସବୁଠାରୁ ଶୀର୍ଷରେ ଅଛନ୍ତି ଡିସିଏମ୍ ରାଜୁ କୋଲା ଓରଫ ଚନ୍ଦ୍ର। ତାଙ୍କ ନାମରେ ୨୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ୧୦ ଲକ୍ଷ ଟଙ୍କାର ଅତିରିକ୍ତ ଏକକାଳୀନ ଅର୍ଥରାଶି ଘୋଷଣା କରାଯାଇଛି। ସେହିପରି ଏ ସିଏମ ପଦବୀରେ ଥିବା ନାଙ୍ଗଲ କୁଞ୍ଜାମ, ଜୋଡିଓ ସୋଡି, ହିଡମେ ମିଡିୟମ, ସୁକି ପୁନେମ ଏବଂ ମାଙ୍ଗଲି ହିଡମା ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ପିଏମ ରେଙ୍କ କୋକସି ମାଧବି , କୁମାର ମଦକମ, ୱାଙ୍ଗି ମାଧବୀ, ଯୋଗୀ ଓୟାମ, ବିଜୁ ଆତ୍ମ ସମର୍ପଣ କରିଛନ୍ତି। କେବଳ ସେତିକି ନୁହେଁ, ମାଓବାଦୀମାନେ ନିଜ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମଧ୍ୟ ଜମା କରିଛନ୍ତି। ଏଥିମଧ୍ୟରେ ଏକେ -୪୭, ଏସଏଲଆର ରାଇଫଲ, ଇନସାସ୍ ରାଇଫଲ ଏବଂ ଅନେକ ଦେଶୀ ବନ୍ଧୁକ ସାମିଲ ଅଛି। ଏହି ଅସ୍ତ୍ରଶସ୍ତ୍ର ବଦଳରେ ସେମାନଙ୍କୁ ପ୍ରାୟ ୧୦,୯୮,୬୯୦ ଟଙ୍କାର ସ୍ୱତନ୍ତ୍ର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସାମଗ୍ରିକ ଭାବେ କ୍ୟାଡରମାନଙ୍କ ପାଇଁ ୬୩.୨୫ ଲକ୍ଷ ଟଙ୍କା ଏବଂ ଅତିରିକ୍ତ ପୁନର୍ବାସ ପାଇଁ ୬୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ହିଂସାର ପଥ ପରିତ୍ୟାଗ କରି ସାଧାରଣ ଜୀବନ ବିତାଇବାକୁ ଚାହୁଁଥିବା ଏହି ଯୁବକଯୁବତୀମାନଙ୍କୁ ସରକାର ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏହି ୧୧ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ କେବିଏନ ମାଓ ସଂଗଠନ ପୂର୍ଣ୍ଣ ଦୁର୍ବଳ ହୋଇ ପଡିଛି ଏବଂ ଚଳିତ ମାର୍ଚ୍ଚ ମାସ ଶେଷ ସୁଦ୍ଧା କେବଳ କଳାହାଣ୍ଡି ନୁହଁ ଓଡ଼ିଶା ମାଓମୁକ୍ତ ହୋଇଯିବ ବୋଲି ଏହି ସମାରୋହରେ ଉପସ୍ଥିତ ବରିଷ୍ଠ ପୁଲିସ ପଦାଧିକାରୀ କହିଛନ୍ତି। ମାଓବାଦୀ ମାନଙ୍କଠାରୁ ବହୁ ପରିମାଣର ରାଇଫଲ, ବନ୍ଧୁକ ଓ ଗୁଳିଗୋଳା ଆଦି ଆସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି। ସମାରୋହକୁ କଳାହାଣ୍ଡି ଏସପି ନାଗରାଜ ଦେବାରକୋଣ୍ଡା ପରିଚାଳନା କରିଥିଲେ। ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ମଧ୍ୟରେ ଏଡିଜି, ଏଏନଓ ସଞ୍ଜୀବ ପଣ୍ଡା (ଆଇପିଏସ) ଏବଂ ଆଇଜି ଦୀପକ କୁମାର (ଆଇପିଏସ), ଆଇଜି, ସିଆରପିଏଫ ଅମିତେନ୍ଦ୍ରନାଥ ସିହ୍ନା (ଆଇପିଏସ) ଡିଆଇଜି, ଏସଆଇଡବ୍ଲୁ ଅଖିଳେଶ୍ୱର ସିଂ (ଆଇପିଏସ) ଏବଂ ଡିଆଇଜି, ଏସଡବ୍ଲୁଆର କନୱର ବିଶାଳ ସିଂ (ଆଇପିଏସ)ଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ (ଆଇଏଏସ) କନ୍ଧମାଳ ଏସପି ହରିଶ ବି.ସି. (ଆଇପିଏସ), ରାୟଗଡ଼ା ଏସପି କୁମାରୀ ସ୍ଵାତୀ ଏସ. କୁମାର (ଆଇପିଏସ) ଏବଂ ନୂଆପଡ଼ା ଏସପି ଅମ୍ରିତପାଲ ସିଂ (ଆଇପିଏସ) ଉପସ୍ଥିତ ଥିଲେ।