ପୁରୀ,୨୩/୦୯: ଆଜି ଉଭୟ ଭିତର ଓ ବାହାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ମାର୍ଗଦର୍ଶିକା ଅନୁପାଳନ ହେବ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାଧିକୃତ ୧୧ଜଣିଆ ଟିମ୍ ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରକୁ ଯିବେ ।
ବୈଠକର ନିଷ୍ପତ୍ତି ଅନୁସାରେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାଧିକୃତ ୧୧ଜଣିଆ ଟିମ୍ ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରକୁ ଯିବେ । ସକାଳ ୮ଟାରୁ ପୁଲିସ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ଭକ୍ତମାନେ ଭିତର ବେଢ଼ା ପରିକ୍ରମା କରିପାରିବେ ନାହିଁ । ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ପ୍ରାଧିକୃତ ୧୧ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ଏଏସ୍ଆଇ ଅଧିକାରୀ, ରତ୍ନଭଣ୍ଡାର ସବ୍କମିଟି ସଦସ୍ୟ, ଦେଉଳ କରଣ, ତଢ଼ଉକରଣ, ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକଙ୍କ ସହିତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରହିଛନ୍ତି । ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମ୍ପନ୍ନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ପ୍ରକ୍ରିୟା ସ୍ୱାଭାବିକ ହେବ ।
ସେପଟେ କେବଳ ଅଧିକୃତ କମିଟିର ସଦସ୍ୟମାନଙ୍କ ସହ ମହାପ୍ରଭୁଙ୍କ ନୀତି କରୁଥିବା ପାଳିଆ ସେବକମାନେ ଶ୍ରୀମନ୍ଦିର ନାଟମଣ୍ଡପ, ଗର୍ଭଗୃହ ଓ ଜଗମୋହନକୁ ଯାଇପାରିବେ । ଏଥିପାଇଁ ଦୁଇପ୍ରକାର ପାସ୍ ହୋଇଥିବା ଏସ୍ପି ପ୍ରତୀକ ସିଂହ କହିଛନ୍ତି । ଅଳଙ୍କାର ସ୍ଥାନାନ୍ତର ପାଇଁ କମିଟିର ସଦସ୍ୟମାନଙ୍କ ସହ ପାଳିଆ ଅଧିକୃତ ସେବକମାନଙ୍କ ପାଇଁ ପାସ୍ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଥିବା ଭକ୍ତମାନଙ୍କୁ ପୁଲିସ ପକ୍ଷରୁ କଡ଼ା ଚେକିଂ କରାଯିବ । ପୁଲିସ ପକ୍ଷରୁ ଶ୍ରୀମନ୍ଦିରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।