ନୂଆଦିଲ୍ଲୀ, ୧୧/୧୦ : ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍ସିପିସିଆର) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି କି ୨୦୨୩-୨୪ରେ ୧୧ ଲକ୍ଷ ଏଭଳି ବାଳିକାଙ୍କୁ ଚିହ୍ନଟ କରାଯାଇଥିଲା ଯେଉଁମାନେ ବାଲ୍ୟ ବିବାହର ସଙ୍କଟର ସାମ୍ନା କରିଥିଲେ । ସେମାନଙ୍କ ମଧ୍ୟରୁ କେବଳ ଉତ୍ତରପ୍ରଦେଶରୁ ଥିଲେ ୫ ଲକ୍ଷରୁ ଅଧିକ । ବାଲ୍ୟ ବିବାହ ରୋକିବା ଦିଗରେ କାର୍ଯ୍ୟ କରୁଥିବା ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ସଂସ୍ଥା ମାଧ୍ୟମରେ ପରିବାର କାଉନସେଲିଂ ସହ ବାଳିକାମାନଙ୍କୁ ପୁନଃ ସ୍କୁଲକୁ ପଠାଯିବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ଅଧିକାରୀ ଓ ସମ୍ବନ୍ଧିତ ସଂସ୍ଥାମାନଙ୍କ ସହ ଭର୍ଚୁଆଲ ବୈଠକ ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ସ୍କୁଲରେ ଅଧାରୁ ପାଠପଢ଼ା ଛାଡିବା ବାଲ୍ୟ ବିବାହର ଏକ ପ୍ରମୁଖ କାରଣ । ଏ କ୍ଷେତ୍ରରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ ରହିଛି । ତା ତଳକୁ ମଧ୍ୟପ୍ରଦେଶ ଓ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । କମିଶନ ଅଧ୍ୟକ୍ଷ ପ୍ରିୟଙ୍କ କାନୁନ୍ଗୋ କହିଛନ୍ତି ବାଲ୍ୟ ବିବାହ ରୋକିବାକୁ ଚାଲିଥିବା ସଚେତନତା ଅଭିଯାନରେ ୧ କୋଟି ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି । ଏଭଳି ଅଭିଯାନରେ ଉତ୍ତରପ୍ରଦେଶ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ସବୁଠାରୁ ଆଗରେ ରହିଥିଲେ । କମିଶନ ଲଗାତାର ୩୦ ଦିନ ଧରି ବିଭିନ୍ନ ସ୍କୁଲ ଉପରେ ନଜର ରଖିଥିଲେ । କେଉଁ ପିଲାମାନେ ବିନା କାରଣରେ ଦୀର୍ଘଦିନ ଧରି ସ୍କୁଲକୁ ଆସୁନାହାନ୍ତି ତାର ଅନୁଧ୍ୟାନ କରାଯାଇଥିଲା । କର୍ଣ୍ଣାଟକ ଓ ଆସାମ ଭଳି ରାଜ୍ୟରେ ବାଲ୍ୟ ବିବାହ ଉପରେ ସଚେତନତା ସୃଷ୍ଟି କରିବା ଲାଗି ଧାର୍ମିକ ନେତା, ବିବାହ ଉତ୍ସବରେ ସେବା ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ବା ସଂସ୍ଥା ଓ ଅଙ୍ଗନବାଡି କର୍ମୀଙ୍କ ସହ ୪୦ ହଜାରରୁ ଅଧିକ ବୈଠକ କରାଯାଇଥିଲା । ଯାହାଫଳରେ ଲୋକଙ୍କ ମଧ୍ୟରେ ସଚେତନତା ସୃ୍ଷ୍ଟି କରାଯାଇ ବାଲ୍ୟ ବିବାହକୁ ରୋକାଯାଇପାରିବ ।
ରିପୋର୍ଟରେ କୁହାଯାଇଛି କି କିଛି ଜିଲ୍ଲାରେ ବାଲ୍ୟ ବିବାହ ସହ ସାଂସ୍କୃତିକ ପରମ୍ପରା ଯୋଡିହୋଇ ରହିଛି । ସେଠାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ହଟାଇବା କଷ୍ଟକର ବ୍ୟାପାର ହୋଇପଡିଛି । କମିଶନ ଅଧ୍ୟକ୍ଷ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ବାଲ୍ୟ ବିବାହ ରୋକିବାକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଉପରେ ଜୋର୍ ଦେଇଛନ୍ତି । ବିଶେଷକରି ଜିଲ୍ଲା ସ୍ତରରେ ଲୋକମାନଙ୍କୁ ସଚେତନ କରିବା ଏବଂ ବାଲ୍ୟ ବିବାହ ରୋକିବା ଲାଗି ରହିଥିବା ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି।