ଭୁବନେଶ୍ୱର, ୩୦/୦୧ : ୨୦୨୫ ଜାନୁଆରୀରେ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଏକାକୀ ଟ୍ରେନକୁ ଅପେକ୍ଷା କରି ବସିଥାଏ ୧୪ ବର୍ଷର ସୀମା(ଛଦ୍ମ ନାମ)। ଆରପିଏଫ୍ର ଜଣେ ମହିଳା ଅଧିକାରୀ କଥାବାର୍ତ୍ତା ହେବାରୁ ଝିଅଟି ଘର ଛାଡ଼ି ପଳାଇ ଆସିଥିବା ଜଣାପଡ଼ିଲା। ପରେ ଅଧିକାରୀମାନେ ବୁଝାସୁଝା କରି ଝିଅକୁ ତା’ର ପରିବାରକୁ ହସ୍ତାନ୍ତର କରିଥିଲେ। ଝିଅକୁ ମା’ ଆକଟ କରି ଗାଳି ଦେବାରୁ ସେ ନିଜ ଅନଲାଇନ୍ ପ୍ରେମିକ ପାଖକୁ ଚାଲିଯିବ ବୋଲି ରାଗି ଘରୁ ପଳାଇ ଆସିଥିଲା। ସୀମା ଭଳି ଶହ ଶହ କିଶୋର କିଶୋରୀ ସାମାଜିକ ଗଣମାଧ୍ୟମ ପ୍ରଭାବରେ ପ୍ରେମର ଛଳନାର ଶିକାର ହୋଇ ଘରୁ ଚାଲି ଯାଉଛନ୍ତି। ଜୀବନହାନୀ, ଅଙ୍ଗତସ୍କରୀ ବା ଯୌନ କାରବାର ଭଳି ଅଘଟଣର ଶିକାର ହୋଉଛନ୍ତି । ଏହା ପଛରେ ଏକ ରାକେଟ୍ କାମ କରୁଛି।
ତଥ୍ୟ ଅନୁସାରେ, ୨୦୨୫ରେ ପୂର୍ବତଟ ରେଲୱେର ବିଭିନ୍ନ ଷ୍ଟେସନ ପରିସର ଏବଂ ଟ୍ରେନରୁ ୧୧୦୩ ଜଣ ନାବାଳକ ନାବାଳିକାଙ୍କୁ ଉଦ୍ଧାର କରିଛି ରେଳ ସୁରକ୍ଷା ବଳ । କେବଳ ଭୁବନେଶ୍ୱର ଷ୍ଟେସନରୁ ୫୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି । ସର୍ବାଧିକ ଖୋର୍ଦ୍ଧା ଡିଭିଜନରୁ ୪୫୫ ନାବାଳକ ଏବଂ ୧୨୩ ଜଣ ନାବାଳିକାଙ୍କୁ ଉଦ୍ଧାର ହୋଇଛନ୍ତି । ୨୦୨୪ରେ ମଧ୍ୟ ଖୋର୍ଦ୍ଧା ଡିଭିଜନରୁ ୩୬୫ ପୁଅ ଓ ୫୯ ଝିଅ ଉଦ୍ଧାର ହୋଇଥିଲେ । ଏହି ବର୍ଷ ପୂର୍ବତଟ ରେଲୱେ ଅଞ୍ଚଳରେ ମଧ୍ୟରେ ୮୧୯ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲା । ଜଣେ ବରିଷ୍ଠ ରେଳ ଅଧିକାରୀଙ୍କ କହିବା ଅନୁଯାୟୀ, ଘରୁ ଫେରାର୍ ହୋଇଥିବା ପିଲାଙ୍କ ସଂଖ୍ୟା ଅଧିକ । ସେହିପରି ତଥ୍ୟ ଅନୁସାରେ ୨୦୨୫ରେ ଖୋର୍ଦ୍ଧା ଜିଲ୍ଲାରେ ଚାଇଲଡ୍ ହେଲ୍ପଲାଇନ୍ ସହାୟତାରେ ୧୪୨ ଜଣ ଅସହାୟ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୧୧ହଜାରରୁ ଊର୍ଦ୍ଧ୍ୱ ଶିଶୁ ନିଖୋଜ ହୋଇଥିବା ନେଇ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ୮ ହଜାର ୩୬୨ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ପ୍ରାୟ ୩ ହଜାର ଶିଶୁଙ୍କ ପତ୍ତା ମିଳିନାହିଁ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୭୮୫ଟି ଶିଶୁ ନିଖୋଜ ମାମଲା ପଞ୍ଜିକୃତ ହୋଇଛି ।
ସଚେତନତା କାର୍ଯ୍ୟକ୍ରମ କରିବ ଓଏସ୍ସିପିସିଆର୍
ସୋସିଆଲ ମିଡିଆ ଯୋଗୁ ଏଲୋପିଂ(ଅଭିଭାବକଙ୍କ ଅଗୋଚରରେ ବିବାହ) ଭଳି ମାମଲା ବଢ଼ିବାରେ ଲାଗିଛି । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ପାଖକୁ ମଧ୍ୟ ଏଭଳି ଅନେକ ମାମଲା ଆସୁଛି । ଏହାକୁ ରୋକିବା ଲାଗି ଆୟୋଗଙ୍କ ପକ୍ଷରୁ ଫେବ୍ରୁଆରୀରୁ ଅନ୍ଲାଇନ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତି ସ୍କୁଲରେ ଏବଂ ପରେ ସମସ୍ତ ବ୍ଲକ୍, ୱାର୍ଡ଼ ତଥା ପ୍ରତି ଶିଶୁ ଓ ଅଭିଭାବକଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯିବ। ପିଲାଙ୍କୁ ଇଣ୍ଟରନେଟ୍ର ସୁବ୍ୟବହାର ଏବଂ କୁପରିଣତି ବିଷୟରେ ବୁଝାଯିବ। ଏଥିସହ ପୁଲିସ ବିଭାଗ ସହ ଆଲୋଚନା କରାଯାଇ ଆଗାମୀ ଦିନରେ ଦୃଢ ପଦକ୍ଷେପ ନିଆଯିବ ବୋଲି ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ସୂଚନା ଦେଇଛନ୍ତି ।
ପିଲାଙ୍କୁ ଦିଆଯାଉ ବୟସ ଆନୁପାତିକ ଯୌନ ଶିକ୍ଷା
୨୦୨୪ରେ ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ସ ଆଲାଏନ୍ସ ପକ୍ଷରୁ କରାଯାଇଥିବା ଏକ ମାମଲାରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ, ପ୍ରତି ସ୍କୁଲରେ ପିଲାଙ୍କୁ ବୟସ ଅନୁପାତରେ ଯୌନ ଶିକ୍ଷା ପ୍ରଦାନ କରାଯିବ । ଯେଉଁ ପିଲାଙ୍କଠାରେ ପ୍ରୋବ୍ଲେମେଟିକ୍ ସେକ୍ସୁଆଲ୍ ବିହେଭିୟର ବା ସମସ୍ୟାଜନକ ଯୌନ ଆଚରଣ ରହିଛି, ସେମାନଙ୍କୁ ଚିହ୍ନଟ କରି ଆବଶ୍ୟକ ସାଇକୋ ସୋସିଆଲ୍ ସପୋର୍ଟ ଦିଆଯିବ । ଏହାକୁ ରାଜ୍ୟରେ ପାଳନ କରାଯାଉ । ଏହାଦ୍ୱାରା ଏଲୋପିଂ ମାମଲାଗୁଡ଼ିକ ବହୁତ ସଂଖ୍ୟାରେ କମିଯିବ ବୋଲି ଶିଶୁ ଅଧିକାର କର୍ମୀ ବେଣୁଧର ସେନାପତି କହିଛନ୍ତି ।
ବାପା ମା’ ସମୟ ଓ ସ୍ନେହ ଦିଅନ୍ତୁ
ଆଜିକାଲି ଘରେ ସମସ୍ତେ ବେଶୀ ସମୟ ମୋବାଇଲରେ ବିତାଉଛନ୍ତି । ଭାବର ଆଦାନ ପ୍ରଦାନ ହେଉନି । ଟିକିଏ ଚାପ ବଢ଼ିଲେ ପିଲାଙ୍କ ମଧ୍ୟରେ ଉଗ୍ରତା ବଢୁଛି । ଗେମିଂ ଆଡିକ୍ସସନ୍, ରିଲ୍ସ୍ ନିଶା, ଶୀଘ୍ର ବଡ଼ ଲୋକ ହେବାର ସ୍ୱପ୍ନ ପିଲାଙ୍କ ଭବିଷ୍ୟତ ନଷ୍ଟ କରିଦେଉଛି । କିଶୋର କିଶୋରୀ ବୟସରେ ହର୍ମୋନ୍ ବଦଳୁଥାଏ । ବୟସ ବଢ଼ିବା ସହିତ ହର୍ମୋନର ପ୍ରଭାବ ମସ୍ତିଷ୍କ ଉପରେ ଅଧିକ ପଡ଼ିଥାଏ । ଏହି ଅବସ୍ଥାରେ ବାପା ମା’ ଖୋଲାଖୋଲି ପିଲାଙ୍କ ସହ ଆଲୋଚନା କରିବା ଉଚିତ୍ । ତାଙ୍କୁ ସମୟ ଓ ସ୍ନେହ ଦେବା ସହ ସାଙ୍ଗ ଭଳି ମିଳାମିଶା କରିବା ଆବଶ୍ୟକ । କିଶୋର ବୟସରେ ପିଲାଙ୍କ ଉପରେ ନିଜ ଇଚ୍ଛାକୁ ଲଦିଦେବା ଉଚିତ୍ ନୁହେଁ ବୋଲି ମତ ଦେଇଛନ୍ତି ସମ୍ ହସ୍ପିଟାଲ୍ ମନୋଚିକିତ୍ସକ ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର।
ଏହି ଖବରଟିକୁ ପଢନ୍ତୁ- ପାନ ମସଲାରେ ନାହିଁ ଟବାକୋ କି ନିକୋଟିନ୍, ବ୍ୟାନ୍ ହେବନି କହିଲା ସ୍ଵାସ୍ଥ୍ୟ ବିଭାଗ